ଖଣ୍ଡଗିରି: ଦିନେ ପାହାଡ଼ ଉପରେ ଥିବା ପାଞ୍ଚଟି କୁଣ୍ଡ ପଞ୍ଚତୀର୍ଥ ଭାବେ ବିବେଚିତ ହେଉଥିଲା। ମୁନିଋଷୀମାନେ ଏହି ପବିତ୍ର କୁଣ୍ଡରେ ସ୍ନାନ‌ବିଧି ସମ୍ପନ୍ନ କରୁଥିଲେ ଓ ସୂର୍ଯ୍ୟଙ୍କୁ ଜଳଦାନ କରୁଥିଲେ। ଏହି ପବିତ୍ର ଜଳ ପୂଜାବିଧିରେ ମଧ୍ୟ ବ୍ୟବହାର ହେଉଥିଲା। କିନ୍ତୁ କାଳକ୍ରମେ ପବିତ୍ର କୁଣ୍ଡଗୁଡ଼ିକର ପବିତ୍ରତା ନଷ୍ଟ ହୋଇଗଲା। ଏବେ ବହୁ ବର୍ଷ ଧରି କୁଣ୍ଡଗୁଡ଼ିକ ନିଜର ପବିତ୍ରତା ହରାଇ ବସିଛି। କୁଣ୍ଡରେ ବର୍ଷ ସାରା ଜଳ ରହୁଥିଲେ ବି ବଡ଼ ଅସ୍ବଚ୍ଛ ଅବସ୍ଥାରେ ରହୁଛି। ଅବ୍ୟବହୃତ ହୋଇ ରହୁଥିବା କୁଣ୍ଡର ଜଳରେ ଗୁଳ୍ମ ଭରି ରହୁଥିବାରୁ ନେଳି ପାଣି ଦେଖିବାକୁ ବଡ଼ କଦର୍ଯ୍ୟ ଲାଗୁଛି। ଆବର୍ଜନା ପଡ଼ିପଡ଼ି ଜଳ ଦୁର୍ଗନ୍ଧଯୁକ୍ତ ହୋଇ ରହୁଛି। ତପଭୂମି ଖଣ୍ଡଗିରି ଓ ଉଦୟଗିରିରେ ଥିବା ପାଞ୍ଚଟି ଜଳାଶୟର ଆଜି ଏମିତି ଅବସ୍ଥା। ବହୁ ବର୍ଷ ଧରି ଏହି କୁଣ୍ଡଗୁଡ଼ିକ ଏମିତି କଦର୍ଯ୍ୟ ଅବସ୍ଥାରେ ଥିଲେ ବି ଏସବୁର ପୁନରୁଦ୍ଧାର ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପର୍ଯ୍ୟଟକମାନେ ଖଣ୍ଡଗିରି ବୁଲି ଦେଖନ୍ତି, କିନ୍ତୁ ଏହି ପଞ୍ଚତୀର୍ଥ ସେମାନଙ୍କ ନଜରକୁ ଆସିପାରେ ନାହିଁ। କେବଳ ପ୍ରସିଦ୍ଧ କୁମ୍ଭମେଳା ବେଳେ ଲୋକେ ମନେ ପକାନ୍ତି ଓ କିଛି ଶ୍ରଦ୍ଧାଳୁ ଏହି କୁଣ୍ଡଗୁଡ଼ିକୁ କେବଳ ଦର୍ଶନ କରନ୍ତି।

Advertisment

ସୂଚନାଯୋଗ୍ୟ, କୁଣ୍ଡଗୁଡ଼ିକର ନାମକରଣରେ ମଧ୍ୟ ରହିଛି ପବିତ୍ରତା। କଳିଙ୍ଗ ସମ୍ରାଟ୍‌ ମହାମେଘବାହାନ ଐରଖାରବେଳଙ୍କ ସମୟରେ ଖୋଦିତ ଏହି କୁଣ୍ଡଗୁଡ଼ିକ ପୌରାଣିକ ନାମ ଧାରଣ କରିଛନ୍ତି। ଗଙ୍ଗା ମା’ଙ୍କ ନାମରେ ରହିଛି ଦୁଇଟି ଜଳାଶୟ ଗୁପ୍ତଗଙ୍ଗା ଓ ଆକାଶଗଙ୍ଗା। ସେହିଭଳି ଭଗବାନ କୃଷ୍ଣଙ୍କ ଲୀଳାକୁ ନେଇ ତିନିଟି କୁଣ୍ଡର ନାମକରଣ ହୋଇଛି। ସେଗୁଡ଼ିକ ହେଲା ଶ୍ୟାମକୁଣ୍ଡ, ରାଧାକୁଣ୍ଡ ଓ ଲଳିତାକୁଣ୍ଡ। ଲଳିତାକୁଣ୍ଡ ଉଦୟଗିରି ପାହାଡ଼ରେ ରହିଛି। ଅନ୍ୟ ଚାରିଟିଯାକ ଖଣ୍ଡଗିରି ପାହାଡ଼ରେ ଅବସ୍ଥିତ। ସେ ସମୟରେ ଏହି ପାହାଡ଼ରେ ତପ ସାଧନ କରୁଥିବା ମୁନିଋଷିମାନେ ଏସବୁ କୁଣ୍ଡରେ ସ୍ନାନ କରୁଥିଲେ ଓ ପୂଜା ପାଇଁ ଏହି ଜଳକୁ ବ୍ୟବହାର କରୁଥିଲେ। ସାଧୁସନ୍ଥଙ୍କ ବ୍ୟବହାରରେ ଲାଗୁଥିବା ଏହି ପାଞ୍ଚ ପୁଷ୍କରିଣୀକୁ ଲୋକେ ପଞ୍ଚତୀର୍ଥ ବୋଲି ବିଶ୍ବାସ କରୁଥିଲେ। କିନ୍ତୁ ଏବେ ସେଦିନର କଥା ପୂରା ଭିନ୍ନ। କୁଣ୍ଡର ଜଳ ଦୁର୍ଗନ୍ଧମୟ। ବର୍ଷ ବର୍ଷ ଧରି ଯତ୍ନ ନିଆଯାଉ ନଥିବାରୁ ଆବର୍ଜନା କୁଣ୍ଡ ଭଳି ପଡ଼ି ରହିଛି। ଗୁପ୍ତଗଙ୍ଗାରେ ପୂର୍ବ ଭଳି ଜଳ ରହୁନାହିଁ। ଏବେ ପ୍ରତିବର୍ଷ ଲଳିତାକୁଣ୍ଡରେ ପ୍ରଭୁ ଅନନ୍ତକେଶରୀ ଚାପ ଖେଳୁଥିଲେ ବି ଜଳ ସେମିତି ଅପରିଷ୍କାର ହୋଇରହୁଛି। ସେମିତି ଏବେ ବି ରାଧାକୁଣ୍ଡରେ କୁମ୍ଭମେଳା ଅବସରରେ କିଛି ସାଧୁସନ୍ଥ ସ୍ନାନ କରୁଛନ୍ତି। ଜଳ ଅପରିଷ୍କାର ଥିଲେ ମଧ୍ୟ ବିଧି ରକ୍ଷା କରିବାକୁ ଯାଇ କିଛି ସାଧୁସନ୍ଥ ଏଥିରେ ସ୍ନାନ କରୁଛନ୍ତି। କିନ୍ତୁ ପରିତାପର କଥା ହେଉଛି, ବିଶ୍ବ ଐତିହ୍ୟସମ୍ପନ୍ନ ଏହି ପୁରାତନ ପର୍ଯ୍ୟଟନ ସ୍ଥଳରେ ଅଲୋଡ଼ା ହୋଇପଡ଼ିଥିବା ଏହି ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ପାଇଁ କାହାରି ନିଘା ନାହିଁ। ଏ ସବୁର ପୁନରୁଦ୍ଧାର ହେଲେ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ହେଲେ, ଏସବୁ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ହୋଇପାରନ୍ତା ବୋଲି ଐତିହ୍ୟପ୍ରେମୀମାନେ ମତ ଦିଅନ୍ତି।