ବାରଙ୍ଗ : ଆଜି ବାରଙ୍ଗ ବ୍ଲକ୍‌ର ୧୬ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ୨୩୦ ବୁଥ୍‌ରେ ଭୋଟରମାନେ ମତଦାନ କରିବେ। ତେଣୁ ଆଜିଠୁ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ବୁଥ୍‌ ନିକଟରୁ ଆଜି ପ୍ରାର୍ଥୀମାନଙ୍କ ପୋଷ୍ଟର ଓ ବ୍ୟାନର୍‌କୁ ଚିରି ହଟାଇ ଦିଆଯାଇଛି। ସେହିଭଳି ଆଇନଶୃଙ୍ଖଳା ଉପରେ ନଜର ରଖିବାକୁ ଗାଁ ଗାଁରେ ପୁଲିସ ଗାଡ଼ି ପଇଁତରା ମାରୁଛି। ବିଶେଷକରି ଆଜି ରାତିରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି ଚଳି ଆସୁଥିବା ଅନ୍ଧାରି ବିଜେ ବ୍ୟବସ୍ଥାକୁ ରୋକିବାକୁ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ବ୍ଲକର ସମସ୍ତ ୭୬ ଗ୍ରାମରେ ପୁଲିସ ମୁତୟନ ହୋଇଛନ୍ତି। ୫୩ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ସେସବୁ ସ୍ଥାନରେ ପୁଲିସ ସ୍ବତନ୍ତ୍ର ନଜର ରଖିଛି।

Advertisment

ସୂଚନାଯୋଗ୍ୟ, ଏହି ବ୍ଲକ୍‌ରେ କଟକ ଜିଲ୍ଲା ପରିଷଦର ୨ଟି ଜୋନ୍‌ ରହିଛି। ୩୨ ନମ୍ବର ଜୋନ୍‌ରେ ୪ ଓ ୩୩ ନମ୍ବର ଜୋନ୍‌ରେ ୫ ଜଣ ଜିଲ୍ଲା ପରିଷଦ ସଭ୍ୟ ଲାଗି ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ୧୬ ପଞ୍ଚାୟତ ପାଇଁ ୬୩ ଜଣ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ୬୧ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

publive-image

ପ୍ରଧାନସାହିରେ ଜମୁଛି ନିର୍ବାଚନ ପ୍ରଚାର

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ତଥା ଜଟଣୀ ବ୍ଲକ ପ୍ରଧାନସାହି ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜୋର୍‌ ଧରିଛି। ଚଳିତ ଥର ଏଠାରେ ଅଧିକାଂଶ ପ୍ରାର୍ଥୀ ନୂଆ ମୁହଁ। ଏଠାରେ ସରପଞ୍ଚ ପଦ ଅପେକ୍ଷା ସମିତି ସଭ୍ୟ ପଦ ପାଇଁ ଲଢ଼େଇ ଜୋର୍‌ଦାର୍‌ ହେଉଥିବା ଜଣାପଡ଼ିଛି। ମହିଳାଙ୍କ ପାଇଁ ସରଂକ୍ଷିତ ଥିବା ଏହି ପଦ ପାଇଁ ଶୁଭଲକ୍ଷ୍ମୀ ପରିଡ଼ା ଓ ପୁଷ୍ପାଞ୍ଜଳି ଭଟ୍ଟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ଦୁଇ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନୂଆ ମୁହଁ। ଜଣେ ନିଜକୁ ବ୍ଲକ୍‌ ଅଧ୍ୟକ୍ଷା ପାଇଁ ଦାବିଦାର ଥିବା କହି ପ୍ରଚାର କରୁଛନ୍ତି। ତେଣୁ ପ୍ରତିପକ୍ଷ ପକ୍ଷରୁ ତାଙ୍କୁ ହରାଇବାକୁ କଳବଳ କୌଶଳ ଖଟାଇବା ଦେଖାଯାଉଛି।

ଏଠାରେ ସରପଞ୍ଚ ପଦ ପାଇଁ ଏକ ନିଆରା କଥା ଦେଖିବାକୁ ମିଳୁଛି। ରାଜ୍ୟର ଜଣାଶୁଣା ସଂସ୍କୃତି ପ୍ରଚାରକ ତଥା ପାଲା ଗାୟକ ଅମରେନ୍ଦ୍ର ପଟ୍ଟନାୟକ ରାଜନୀତି କ୍ଷେତ୍ରକୁ ଆସିଛନ୍ତି। ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ସ୍ଥାନୀୟ ପୁରୁଖା ନେତା ଅନାମ ଚରଣ ସେନାପତି। ଶ୍ରୀ ସେନାପତି ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟ ଭାବେ ଦାୟିତ୍ବ ନିର୍ବାହ କରିସାରିଛନ୍ତି। ସେହିଭଳି ଏହି ପଦ ପାଇଁ ଅନ୍ୟ ଦୁଇ ପ୍ରାର୍ଥୀ ହେଲେ ସୁରେନ୍ଦ୍ର ଭଞ୍ଜ ଓ ଶିଶିର ସେନାପତି। ତେବେ ଭୋଟରଙ୍କ ମଧ୍ୟରେ ଅନାମ ଓ ଅମରେନ୍ଦ୍ରଙ୍କୁ ନେଇ ଅଧିକ ଆଲୋଚନା। ରାଜନୀତିରେ ନୂଆମୁହଁ ଓ ଜଣେ ପାଲା ଗାୟକ ହୋଇଥିବାରୁ ସେ ରାଜନୀତିରେ ପୋଖତ ଅନାମଙ୍କ ସହ କଡ଼ା ଟକ୍କର ଦେଉଥିବା ଚର୍ଚ୍ଚା ହେଉଛି। ବଡ଼ କଥା ହେଉଛି ଏଠାରେ ପ୍ରାୟ ସବୁ ପ୍ରାର୍ଥୀଙ୍କ ପଛରେ ଦଳୀୟ ସମର୍ଥନ ରହିଛି। କିନ୍ତୁ ଅନ୍ୟ ପଞ୍ଚାୟତ ଭଳି ଏଠାରେ ଦଳୀୟ କନ୍ଦଳ ନାହିଁ। ତେଣୁ ପ୍ରାର୍ଥୀମାନେ ଦଳୀୟ ଓ ମୁହଁ ଚାହାଁ ଭୋଟ୍‌ ହା‌ତେଇ ଜିତିବା ଲକ୍ଷ୍ୟରେ ଅଛନ୍ତି।

ବାଲିପାଟଣାରେ ୨୪୫ ବୁଥ୍‌ ମଧ୍ୟରୁ ୩୪ ସମ୍ବେଦନଶୀଳ, ବୁଦ୍ଧନାଥ ହାଇସ୍କୁଲ୍‌ରେ ଗଣତି
ବାଲିପାଟଣା : ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବାଲିପାଟଣା ବ୍ଲକ୍‌ର ୧୭ ପଞ୍ଚାୟତରେ ୨୪୫ ବୁଥ୍‌ ହୋଇଛି। ସେଥିରୁ ୩୪ଟି ବୁଥ୍‌ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। ଏଠାରେ ଥିବା ୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ ଗ୍ରହଣ ପରେ ଶ୍ରୀବୁଦ୍ଧନାଥ ହାଇସ୍କୁଲ୍‌ରେ ଗଣତି ହେବ। ତେଣୁ ସେଠାରେ ଷ୍ଟ୍ରଙ୍ଗ୍‌ ରୁମ୍‌ ପ୍ରସ୍ତୁତ କରାଯାଇଛି। ଆଜି ବିଡିଓ ଆଦିକନ୍ଦ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାନୁସାରେ ୨୨ତାରିଖରେ ଭୋଟ୍‌ ଗ୍ରହଣ ହେବ। ବ୍ଲକ୍‌ର ୧୭ ପଞ୍ଚାୟତରେ ମୋଟ୍ ୨୪୫ବୁଥ୍‌ କରାଯାଇଛି। ସେଥିମଧ୍ୟରୁ ୩୪ଟି ବୁଥ୍‌ ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ କରାଯାଇଛି। ତେଣୁ ସେସବୁ ବୁଥ୍‌ରେ ଭୋଟ ଗ୍ରହଣ ବେଳେ ପୁଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜର ରହିବ। କୌଣସି ବିଶୃଙ୍ଖଳା ହେଲେ, ଦୃଢ଼ କା‌ର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ଲକ୍‌ରେ ନିୟୋଜିତ ହୋଇଥିବା ୨୩ ସେକ୍ଟର ଅଫିସର୍‌ଙ୍କୁ ତାଲିମ୍ ଦିଆଯାଇଛି। ସେହିପରି ୩ ଜୋନ୍‌ ପାଇଁ ୩ ଷ୍ଟ୍ରଙ୍ଗ୍ ରୁମ୍‌ର ବ୍ୟବସ୍ଥା ହୋଇଛି। ସବୁଠି ସିସିଟିଭି ଲଗାଯାଇଛି। ଜୋନ୍‌ ଅନୁଯାୟୀ ୩ ଦିନ ଭୋଟ ଗଣତି ହେବ। ୧୯ ନମ୍ବର ଜୋନ୍‌ ପାଇଁ ୨୬ ତାରିଖ, ୨୦ ନମ୍ବର ଜୋନ୍‌ ପାଇଁ ୨୭ ତାରିଖ ଓ ୨୧ ନମ୍ବର ଜୋନ୍ ପାଇଁ ୨୮ ତାରିଖ ଧାର୍ଯ୍ୟ କରାଯାଇଛି।

publive-image

୨୦ ନମ୍ବର ଜୋନ୍‌ରେ ବିଜେଡିର ରୋଡ୍‌ ସୋ’

ବାଲିପାଟଣା : ବିଜେଡି ପକ୍ଷରୁ ଆଜି ବାଲିପାଟଣା ବ୍ଲକ୍‌ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପରିଷଦ ୨୦ ନମ୍ବର ଜୋନ୍‌ରେ ଏକ ବିଶାଳ ରୋଡ୍‌ ସୋ’ କରାଯାଇଥିଲା। ଗତକାଲିଠାରୁ ଏହି ବ୍ଲକ୍‌ରେ ପ୍ରଚାର ପାଇଁ ଡେରା ପକାଇଥିବା ରାଜ୍ୟ ସଭା ସାଂସଦ ମୁନା ଖାଁ ଏହି ରୋଡ୍‌ ସୋ’ର ମୁଖ୍ୟ ଆକର୍ଷଣ ଥିଲେ। ବିଜେଡି ଜିଲ୍ଲା ପରିଷଦ ସଭ୍ୟା ପ୍ରାର୍ଥୀ ସୁକନ୍ୟା ସେଠୀଙ୍କ ପ୍ରଚାର ଲାଗି ଏହି ରୋଡ୍‌ ସୋ’ ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଳିସି, ରାଜସ, ମୁକୁନ୍ଦଦାସପୁର, ସୋମଣା, କୁରୁଞ୍ଜିପୁର, ତୁରିନ୍ତିରା ଓ ମାର୍ଥାପୁର ପଞ୍ଚାୟତରେ ଜୋର୍‌ଦାର ପ୍ରଚାର ହୋଇଥିଲା। ରୋଡ୍‌ ସୋ’ ଭିତରେ ସାଂସଦ ମୁନା ଖାଁ ଲୋକଙ୍କ ପାଖକୁ ଯାଇ ଭୋଟ୍‌ ଭିକ୍ଷା କରିଥିଲେ। ଏହି ଶୋଭାଯାତ୍ରାରେ ପ୍ରାର୍ଥୀ ସୁକନ୍ୟା ସେଠୀ, ବିଜେଡି ବ୍ଲକ୍‌ ସଭାପତି କିଶୋର ଜେନା, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ତ୍ରିବିକ୍ରମ ଦାଶ, ପ୍ରଦ୍ୟୁମ୍ନ ସେନାପତି, ବାସୁଦେବ ପାଳ, ଦେବୀପ୍ରସାଦ ମହାନ୍ତି, ରମେଶଚନ୍ଦ୍ର ମହାପାତ୍ର ଓ ଶତାଧିକ କର୍ମୀ ଭୋଟରଙ୍କୁ ନିବେଦନ କରିଥିଲେ।