ଖଣ୍ଡଗିରି: ପଞ୍ଚସଖାନଗର- ଡୁମୁଡୁମା ରାସ୍ତାରେ ୱାଟ୍କୋ ପକ୍ଷରୁ ଚାଲିଥିବା ଯୋଜନାବିହୀନ ସ୍ବେରେଜ୍ କାମ ଲୋକଙ୍କୁ ବହୁ ସମସ୍ୟାରେ ପକାଉଛି। ପ୍ରାୟ ଦେଢ଼ ବର୍ଷ ହେଲାଣି କାମ ସରୁନି। ମନଇଛା ଖୋଳି ପକାଇ ରାସ୍ତା ବନ୍ଦ କରିଦେଉଥିବାରୁ ସ୍ଥାନୀୟ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏମିତିକି ଅନେକ ସମୟରେ ଲୋକେ ଗୃହବନ୍ଦୀ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି। ଏବେ ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ସବୁଆଡ଼େ କାଦୁଅ ଭର୍ତ୍ତି। ଖାଲଖମାରେ ପାଣି ଭର୍ତ୍ତି ହୋଇ ରହିଛି। ତେଣୁ ସ୍ଥାନୀୟ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଗତକାଲି ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ୱାଟ୍କୋ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଘରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ପ୍ରଶ୍ନବାଣରେ ୱାଟ୍କୋ ଅଧିକାରୀ ବେଶ୍ ଅପଦସ୍ଥ ହେବାକୁ ପଡ଼ିଥିଲା।
ସୋମବାର ପୂର୍ବାହ୍ନରେ ପଞ୍ଚସଖାନଗରକୁ କାମ ତଦାରଖ କରିବାକୁ ୱାଟ୍କୋ ଅଧିକାରୀ ଆସିଥିଲେ। ୱାଟ୍କୋ ମହାପ୍ରବନ୍ଧକଙ୍କ ସହ ଆଉ କିଛି ଅଧିକାରୀ ପଞ୍ଚସଖାନଗରରେ ପହଞ୍ଚିବା ପରେ ଲୋକମାନେ ସେମାନଙ୍କୁ ଘେରି ଯାଇଥିଲେ। ପ୍ରଶ୍ନ ବାଣରେ ସେମାନଙ୍କୁ ବେହାଲ କରି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଦେଢ଼ବର୍ଷ ହେଲା କାମ ସରୁନି। ମନ ଇଛା ଯେଉଁଠି ପାଇଲେ ଖୋଳି ଦିଆଯାଉଛି। ପୂର୍ବରୁ ସୂଚନା ନଦେଇ ଘର ସମ୍ମୁଖ ରାସ୍ତାକୁ ଖୋଳି ଦେବାରୁ ଘରୁ ବାହାରି ହେଉନାହିଁ। ବଡ଼ ସମସ୍ୟା ହେଉଛି କାମର ମନ୍ଥର ଗତି। ପୁଣି କେବେ କେଉଁଠି ଖୋଳି ଦେଇ ରାସ୍ତାରେ ବ୍ୟାରିକେଡ୍ ପକାଇ ଦିଆଯାଉଛି। ଲୋକେ ଜାଣିବାର ଅବକାଶ ନାହିଁ। ଦିନରେ ଯାଇ ରାତିରେ ଘରକୁ ଫେରିବା ବେଳକୁ ବାଟ ବନ୍ଦ। ଏମିତି ବର୍ଷ ବର୍ଷ ଧରି ଲାଗିରହିଛି।
ସ୍ବାଭାବିକ ଚଳପ୍ରଚଳ ହେବା ବନ୍ଦ ହୋଇଗଲାଣି। ରାତି କ’ଣ ଦିନ ବେଳା ବି ଆମ୍ବୁଲାନ୍ସ ଆସିପାରୁନାହିଁ। ପୁଣି ଯେତିକି କାମ ସରୁଛି, ତାହା ଏତେ ନିମ୍ନମାନର ହେଉଛି ଯେ ଦିନକ ପରେ ଦବି ଯାଇ ଖାଲ ହୋଇଯାଉଛି। ସେପଟେ କସ୍ମୋପଲିସ ଛକରେ ଓଭର୍ବ୍ରିଜ୍ କାମ ଚାଲିଛି। ଏପଟେ ସ୍ବେରେଜ୍ କାମ ସରୁନି। ତେଣୁ ସେମାନେ କେମିତି ଚଳପ୍ରଚଳ ହେବେ ବୋଲି ୱାଟ୍କୋ ଅଧିକାରୀମାନଙ୍କୁ ପଚାରିଥିଲେ। ୱାଟ୍କୋ ଅଧିକାରୀ ସେମାନଙ୍କୁ ବୁଝାସୁଝା କରି ତୁରନ୍ତ କାମ ସାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ବାସିନ୍ଦା ସେକ୍ ଗୁଫ୍ରାନ୍ଙ୍କ କହିବା କଥା ପ୍ରାୟ ଦେଢ଼ ବର୍ଷ ହେବ ସ୍ବେରେଜ୍ ପାଇପ୍ ବିଛା କାମ ଚାଲିଛି। ମନ୍ଥର ଗତିରେ କାମ ଚାଲିଥିବାରୁ ଲୋକଙ୍କ ଦୁଃଖ ବଢ଼ିବଢ଼ି ଚାଲିଛି। ଏବେ ଯେଉଁ ରାସ୍ତା ଖୋଲୁଛି, ତାହା ମଧ୍ୟ ସୁରକ୍ଷିତ ମନେହେଉନି। କାମ ସରିଥିବା ରାସ୍ତା ୧୦ ଦିନରେ ଦବି ଯାଉଛି। ସକାଳେ ରାସ୍ତା ଖୋଲାଥିବା ଦେଖି ସେହି ରାସ୍ତା ଦେଇ ଯାଇଥିଲେ ହେଁ ଫେରିବା ବେଳକୁ ରାସ୍ତା ଖୋଳା ସରିଥିବ ଓ ବାଟ ବନ୍ଦ। ଲୋକଙ୍କ ସୁବିଧା ଅସୁବିଧାକୁ ନଜରରେ ରଖି କାମ କରାଯାଉନାହିଁ। ଚାରି ଆଡ଼ୁ ରାସ୍ତା ବନ୍ଦ କରି କାମ ହେଉଥିବାରୁ, ସମସ୍ୟା ହେଉଛି। ସୂଚନାଯୋଗ୍ୟ ଯେ ଆଇଟିଇଆର୍ କଲେଜ ଗେଟ୍ ଛକଠାରୁ ପଞ୍ଚସଖାନଗର ପର୍ଯ୍ୟନ୍ତ ସ୍ବେରେଜ୍ କାମ ଚାଲିଛି। କେତେବେଳେ ମୁଖ୍ୟ ରାସ୍ତା ଖୋଳିଦିଆଯଉଛି ତ କେତେବେଳେ ଗଳି ରାସ୍ତା ଖୋଳା ଯାଉଛି। ଗଳି ରାସ୍ତା କାମ ଚାଲିଥିବା ବେଳେ ମୁଖ୍ୟ ରାସ୍ତାରେ ବ୍ୟାରିକେଡ୍ ପକାଇ ବନ୍ଦ କରିଦିଆଯାଉଛି। ଏମିତି ଲାଗିରହିଲେ ବାଧ୍ୟ ହୋଇ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।