ବାଳକାଟି ପଞ୍ଚୁଦୋଳ ମେଳଣ ଆରମ୍ଭ : ମଣ୍ଡପରେ ୫୬ ଦୋଳ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ବାଳକାଟି ପଞ୍ଚୁ ଦୋଳ ମେଳଣ ଆଜିଠାରୁ ଆରମ୍ଭ ହୋଇଛି। ମେଳଣ ପଡ଼ିଆରେ ବାଲିଅନ୍ତା, ବାଲିପାଟଣା, ପିପିଲି ଓ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳରୁ ୫୬ଟି ଦୋଳ ବିମାନ ମଣ୍ଡପରେ ବିରାଜମାନ ହୋଇଛନ୍ତି। ଏହି ଅବସରରେ ଆଜି ପୂର୍ବାହ୍ନରେ ‘ଆମ ସଂଗଠନ’ ପକ୍ଷରୁ ଦୁଇଦିନ ଧରି ବ୍ୟୟବହୁଳ ଜଳସେବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସଂଗଠନର ଅଧ୍ୟକ୍ଷ କମଳ କୁମାର ପାତ୍ର ଫିତାକାଟି ଏହାର ଶୁଭାରମ୍ଭ କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ବାରିକାନାଥ ଦାଶ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ଉପାଧ୍ୟକ୍ଷ ଦୀପସ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାମ ଦୋଳି, ମୀନାବଜାର ଓ ଶହ ଶହ ମନୋହରି ସାମଗ୍ରୀ ଦୋକାନ ‌ପସରା ଖୋଲିଛି। ଚକି, ଶିଳଠୁ ଆରମ୍ଭ କରି ଫର୍ଣ୍ଣିଚର୍‌ ତଥା ଅନ୍ୟାନ୍ୟ ଆସବାବପତ୍ର କାରବାର ଜୋରଦାର ଚାଲିଛି। ଆସନ୍ତାକାଲି ବାଳକାଟି ପଞ୍ଚୁଦୋଳ ମେଳଣ ଉଦ୍‌ଯାପିତ ହେଉଥିଲେ ହେଁ ୧୫ ଦିନ ଧରି କାରବାର ଚାଲିବ। ହରିରାଜପୁର ମେଳଣ ପରି ବାଳକାଟି ପଞ୍ଚୁଦୋଳ ମେଳଣର ପ୍ରସିଦ୍ଧି ରହିଛି। ଏହାର ଆଉ ଗୋଟିଏ ବିଶେଷତ୍ବ ହେଉଛି ହରିହର ଭେଟ ପରମ୍ପରା। ଥାନପତି ସ୍ବପ୍ନେଶ୍ବରଦେବଙ୍କ ସହ ବିମାନସମୂହ ମଧ୍ୟରେ ହରିହର ଭେଟ ଅନ୍ୟତମ ଆକର୍ଷଣ। ଶ୍ରଦ୍ଧାଳୁମାନେ ଉପବିଷ୍ଟ ବିମାନଗୁଡ଼ିକରେ ଫଗୁ ପକାଇ ଉଲ୍ଲସିତ ହୋଇଥାନ୍ତି।

ସମ୍ବନ୍ଧିତ ଖବର