ପରିବା ବଜାରରେ ପଞ୍ଚୁକ‌ ତାତି: ଫୁଲକୋବି କେଜି ୮୦, ସବୁ ସବୁଜ ପରିବା ୫୦ ପାର୍‌

ଭୁବନେଶ୍ବର: ଆରମ୍ଭ ହୋଇଛି ମହାକାର୍ତ୍ତିକର ପବିତ୍ର ପଞ୍ଚୁକ। ପ୍ରାୟତଃ ସବୁ ଓଡ଼ିଆଙ୍କ ଘରେ ଆମିଷ ବାରଣ। ଘରେ ଘରେ ଚାଲିଛି ହବିଷ କିମ୍ବା ନିରାମିଷ ଭୋଜନ ବିଧି। ମାତ୍ର ଏତିକିବେଳେ ପରିବା ବଜାରର ତାତି ପଞ୍ଚକ ପାଳନକୁ ଅଧିକ କଷ୍ଟଦାୟକ କରିଛି। ବଜାରରେ କୌଣସି ସବୁଜ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। କେବଳ ଆଳୁ, ସାରୁ ଓ କଖାରୁକୁ ବାଦ୍‌ ଦେଲେ ଅନ୍ୟ ସବୁ ପରିବା ୫୦ ଟଙ୍କା ପାର୍‌ କରିଯାଇଛି। ଏମିତିକି ଏବେ ଫୁଲକୋବି ବି କେଜି ଦରରେ ବିକ୍ରି ହେଉଛି। ପ୍ରାୟ ସବୁ ହାଟରେ ଫୁଲକୋବି କେଜି ୮୦ ଟଙ୍କା ରହିଛି। ତେଣୁ ପଞ୍ଚୁକ ପାଳୁଥିବା ଲୋକଙ୍କ ହାଣ୍ଡିଶାଳରେ ଚଡ଼କ ପଡ଼ିଛି ବୋଲି କୁହାଯାଉଛି। ଏହି ଦରବୃଦ୍ଧି କାରଣରୁ ଖାଉଟିମାନେ କମ୍ ପରିମାଣର ପରିବା କିଣିବାକୁ ବାଧ୍ୟ ହେଉଥିବାରୁ ବେପାରୀମାନେ ବି କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ବର୍ତ୍ତମାନର ପରିବା ଦର ବୃଦ୍ଧି ଉଭୟ ବେପାରୀ ଓ ଖାଉଟିଙ୍କ ପାଇଁ କାଳ ସାଜିଛି।

ୟୁନିଟ୍-୧ ହାଟରୁ ମିଳିଥିବା ସୂଚନାନୁସାରେ କିଲୋ ହିସାବରେ ଟମାଟୋ ୬୦ ଟଙ୍କା, ବାଇଗଣ ୪୦ ଟଙ୍କା, ପୋଟଳ ୫୦ ଟଙ୍କା, ବିନ୍‌ସ ୬୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଝୁଡୁଙ୍ଗ ୫୦ ଟଙ୍କା, କଲରା ୪୦ ଟଙ୍କା, ତରକାରୀ କଦଳୀ ଗୋଟାକୁ ୬/୭ ଟଙ୍କା, ଖମ୍ବ ଆଳୁ ୩୫ ଟଙ୍କା କଖାରୁ ୧୨/୧୩ ଟଙ୍କା ଓ ଫୁଲକୋବି ଗୋଟା ୪୦ ରୁ ୫୦ ଟଙ୍କା ରହିଛି। ରାଜଧାନୀରେ ଏହି ହାଟ ଏକପ୍ରକାର ପାଇକାରୀ ହାଟ ହୋଇଥିବାରୁ ଏଠାରେ ସାଧାରଣତଃ ପରିବା ଦର କିଛିଟା କମ୍‌ ଥାଏ। ଅଧିକ ସଂଖ୍ୟାରେ ବେପାରୀ ଓ ଅଧିକ ମାଲ୍ ଆସୁଥିବାରୁ ଏଠାରେ ପରିବା ଦର କମ୍ ଥାଏ। ମାତ୍ର ରାଜଧାନୀର ଅନ୍ୟ ସବୁ ହାଟର ଚିତ୍ର ପୂରା ଭିନ୍ନ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଡମଣା ହାଟ, ରେଲ୍‌ୱେ ମାର୍କେଟ୍‌ରେ ପରିବା ଦର ଆକାଶଛୁଆଁ। ଏସବୁ ଅଞ୍ଚଳରେ ଟମାଟୋ କିଲୋ ୮୦ ଟଙ୍କା ଥିବା ବେଳେ ଝୁଡ଼ଙ୍ଗ, ବିନ୍‌ସ ୧୦୦, ବାଇଗଣ ୫୦ରୁ ୬୦ ଟଙ୍କା, ଫୁଲକୋବି ଗୋଟାକୁ ୬୦ ଟଙ୍କା, ଭେଣ୍ଡି ୫୫ ଟଙ୍କା, ଅମୃତଭଣ୍ଡା ୩୦, କଲରା ୬୦ ଟଙ୍କା, ପୋଟଳ ୮୦ ଟଙ୍କା‌, ବିନ୍‌ସ ୧୦୦ ଟଙ୍କା, କାକୁଡ଼ି ୫୦, କଞ୍ଚା କଦଳୀ ଗୋଟା ୮ ଟଙ୍କା ଓ କଲରା ୬୦ ଟଙ୍କା‌ରେ ବିକ୍ରି ହେଉଛି। ସେହିଭଳି ଲିଙ୍ଗରାଜ ହାଟରେ ବି ଅନୁରୂପ ଦର।

ଏଠାରେ ବାଇଗଣ କେଜି ୪୫ ଟଙ୍କା ଥିବା ବେଳେ ଟମା‌ଟୋ, ପୋଟଳ, ଝୁଡ଼ଙ୍ଗ ୮୦ ଟଙ୍କା, ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଛି। ଖଣ୍ଡଗିରି ଜାଗମରା ଅଞ୍ଚଳରେ ବାଇଗଣ ୭୦ ଟଙ୍କାକୁ ଛୁଇଁଥିବା ବେଳେ ଅନ୍ୟ ସବୁ ସବୁଜ ପରିବାର ଦର କେଜି ପିଛା ୬୦ ତଳକୁ ନାହିଁ। ପ୍ରାୟ ସବୁ ହାଟରେ ଆଳୁ କେଜି ୧୭ରୁ ୨୦ ଟଙ୍କା ରହିଥିବା ବେଳେ କଖାରୁ ୧୫ ଟଙ୍କା ତଳକୁ ରହିଛି। ସାରୁ କେଜି ୪୦ ଟଙ୍କା ତଳକୁ ରହିଛି। ମୋଟାମୋଟି ହବିଷ ପାଇଁ ଉଦ୍ଦିଷ୍ଟ ପରିବା ୫୦ ଟଙ୍କା ବା ତା’ ତଳକୁ ରହିଛି। କିନ୍ତୁ ନିରାମିଷ ଭୋଜନ ପାଇଁ ବା ପଞ୍ଚକରେ ଆମିଷ ନଖାଉଥିବା ଲୋକଙ୍କ ପାଇଁ ଆବଶ୍ୟକ ପରିବା ଦର କାନମୁଣ୍ଡା ଝାଇଁଝାଇଁ କରି ଦେଉଥିବା ଖାଉଟିମାନେ କହିଛନ୍ତି। ‌ଫୁଲକୋବି କେଜି ଦରରେ ବିକ୍ରି ହେଉଥିବା ଖାଉଟିମାନଙ୍କୁ ବିସ୍ମିତ କରିଛି। ନାଡ଼ ଓ ଡାଙ୍ଗ ଲାଗିଥିବା ଫୁଲକୋବି କିଲୋ ୮୦ ଟଙ୍କା ବେଶ୍ ବାଧୁଛି ବୋଲି ଖାଉଟିମାନେ କହିଛନ୍ତି। ସେହିଭଳି ପରିବା ବେପାରୀମାନେ ମଧ୍ୟ ଏବେ କମ୍ ଲାଭ ପାଉଥିବା କହିଛନ୍ତି। ଅଧିକ ବିକ୍ରି ହେଉନଥିବାରୁ ବହୁ କଞ୍ଚା ପରିବା ପଚିସଢ଼ି ନଷ୍ଟ ହେଉଛି ବୋଲି ସେମାନେ କହିଛନ୍ତି। ଗତ ମାସରେ ଲଗାଣ ବର୍ଷା‌ରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଥିବା ବେଳେ ନୂଆ ଅମଳ ହୋଇନଥିବାରୁ ପରିବା ଦର ବୃଦ୍ଧି ପାଇଛି। ଏଭଳି ଅବସ୍ଥା ଆଉ ପ୍ରାୟ ଦୁଇ ସପ୍ତାହ ଲାଗି ରହିବ ବୋଲି ବ୍ୟବସାୟୀମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର