ପଣ୍ଡାକୁଦିଆରୁ ହଟିଲାନି ଅନ୍ଧାର : ବିଦ୍ୟୁତ୍ ଖେଳୁଛି ଲୁଚକାଳି, ଟିଭି ନାହିଁ କି ମୋବାଇଲ୍ ସେବା ନାହିଁ

ବାତ୍ୟା ‘ଫନି’ ପରଠାରୁ ଅନ୍ଧାରରେ ଶଢ଼ୁଛି ପଣ୍ଡାକୁଦିଆ ବସ୍ତି। ଭଙ୍ଗା ଇଟା ଗଦା ଭିତରେ ପଲିଥିନ୍‌ ଟାଣି ଏବେ ବି ଶତାଧିକ ପରିବାର ବଞ୍ଚି ରହିଛନ୍ତି। ଖୋଲା ଆକାଶ ତଳେ ଦିନରେ ଡହଡହ ଖରା ସାଙ୍ଗକୁ ରାତିରେ ମଶା ଓ କାକର ଦାଉ ସାଧୁଛି। ସେଥିରେ ପୁଣି ମଝିରେ ମଝିରେ କାଳବୈଶାଖୀ ବର୍ଷା ମୁଣ୍ଡ ଉପରୁ ଉଡ଼ାଇ ନେଉଛି ପଲିଥିନ୍‌। ଘର ଭିତରେ ପାଣି। ଖାଦ୍ୟ ଶସ୍ୟ ଓ ବସ୍ତ୍ର ଓଦା। ଯେମିତି ପ୍ରକୃତି ଏହି ବସ୍ତି ଉପରେ ଲାଗି ପଡ଼ି ଦାଉ ସାଧୁଛି। ଦୀର୍ଘ ମାସେ ହେଲା ଏମିତି କଲବଲ ହୋଇ ବଞ୍ଚିବାକୁ ସଂଘର୍ଷ କରି ଚାଲିଛନ୍ତି ଏହି ବସ୍ତିର ଲୋକମାନେ। ଫନି ପୂର୍ବରୁ ରନ୍ଧା ଖାଦ୍ୟ ଦି’ ଦିନ ଓ ପରେ ୫୦ କିଲୋ ଚାଉଳ ଓ ଅଢ଼େଇ ହଜାର ଟଙ୍କା ଦେଇ ସରକାର ଚୁପ୍‌ ବସି ପଡ଼ିଛି ବୋଲି ଅଭିଯୋଗ ହେଉଛି। ସେଥିରେ ପୁଣି ବହୁ ବସ୍ତିବାସିନ୍ଦାମାନଙ୍କର ରାସନ୍ କାର୍ଡ ନଥିବାରୁ ସେମାନେ ଏହି ସରକାରୀ ସହାୟତାରୁ ବଞ୍ଚିତ। ବିକାଶ ଦିଗାଲ, ସଂଯୁକ୍ତା ବେହେରା, ବାଙ୍ଗୁର ମୋହନ ସିଂହ, ଟୁନି ରେଡ୍ଡୀ ଓ ସଂଯୁକ୍ତା ଗଣ୍ଡ ଆଦି ବହୁ ପରିବାର ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତିକୁ ଚାହିଁ ବସିଛନ୍ତି। ବର୍ତ୍ତମାନ ସେମାନଙ୍କ ପାଇଁ ସମସ୍ୟା ହେଉଛି ଘର ତିଆରି। ସେମାନଙ୍କ କହିବା କଥା, ବସ୍ତି ଉଚ୍ଛେଦ ଓ ଥଇଥାନ ବେଳେ ଘର ତିଆରି ପାଇଁ ସରକାରଙ୍କ ସହାୟତା ରାଶି ୩୫ ହଜାର ଟଙ୍କା ବାଦ୍‌ ସେମାନେ ଧାରକରଜ କରିଥିଲେ। ବହୁ ଲୋକ ସେହି ଋଣ ଏବେ ବି ଶୁଝି ପାରି ନାହାନ୍ତି। ମୂଲପାତି ଲାଗି ପେଟକୁ ଦାନା ଯୋଗାଡ଼ କରୁ କରୁ କରଜ ଶୁଝିବା ପାଇଁ ସମୟ ଲାଗୁଛି। ଆଉ କିଛି ସପ୍ତାହ ପରେ ବର୍ଷା ଦିନ ଆସିବ। ତେଣୁ ଏତିକିବେଳେ ଘର ଭଙ୍ଗା ସହାୟତା ରାଶି ମିଳିଗଲେ ସେମାନେ ବହୁ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।

ଆଉ ଏକ ମୁଖ୍ୟ ସମସ୍ୟା ହେଉଛି ବିଦ୍ୟୁତ୍। ମା‌ସକ ପରେ ବି ଏହି ବସ୍ତିକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ପାରିନାହିଁ। ବସ୍ତିଲୋକମାନେ ନିଜେ ଲାଗି ପଡ଼ି ଖୁଣ୍ଟ ସବୁକୁ ସଳଖ କରିବା ପରେ ବି ବିଭାଗୀୟ ଅବହେଳା କାରଣରୁ ଘରକୁ ଲାଇନ୍ ସଂଯୋଗ ଦିଆଯାଉ ନଥିବା ଅଭିଯୋଗ ହେଉଛି। ତେଣୁ ଅନ୍ଧାରୁଆ ଦାସପୁର ଜଙ୍ଗଲ ସଂଲଗ୍ନ ଏହି ବସ୍ତିରେ ଲୋକେ ବନ୍ୟଜନ୍ତୁଙ୍କ ଆକ୍ରମଣ ଭୟରେ ରହୁଥିବା କହିଛନ୍ତି। ରାଜଧାନୀ ଉପକଣ୍ଠର ବହୁ ଅଞ୍ଚଳରେ ଏବେ ବି ବିଜୁଳିର ଲୁଚକାଳି ଖେଳ ଦେଖିବାକୁ ମିଳୁଛି। ଘଣ୍ଟା ଘଣ୍ଟା ଧରି ପାୱାର କଟ୍‌ ଲୋକଙ୍କୁ ହନ୍ତସନ୍ତ କରୁଛି। ତମାଣ୍ଡୋ, ଯାଁଳା, ମେଣ୍ଢାଶାଳ, ଛତାବର, ଗଙ୍ଗପଡ଼ା, ଅଙ୍ଗାରପଡ଼ା ନଁପୁଟ ଆଦି ଅଞ୍ଚଳରେ ଲୋକେ ଟିଭି ଦେଖିବା ଭୁଲି ଗଲେଣି। ମୋବାଇଲ୍ ଫୋନ୍‌ ସେବା କଥା ଆହୁରି ସଂଗିନ୍। ମୋବାଇଲ୍ ନେଟ୍‌ୱର୍କ ନ ଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପରୀକ୍ଷା ଓ ଆଡ୍‌ମିସନ୍ ପାଇଁ ସମସ୍ୟାରେ ପଡ଼ୁଛନ୍ତି। ସେହିଭଳି ବ୍ୟାଙ୍କ ସେବା ମଧ୍ୟ ସ୍ବାଭାବିକ ହୋଇନାହିଁ।

ସମ୍ବନ୍ଧିତ ଖବର