ପଣ୍ଡାକୁଦିଆ ବସ୍ତି: ଭଙ୍ଗା ଇଟା ଭିତରେ ବିତୁଛି ଜୀବନ

ଖଣ୍ଡଗିରି: ଆରମ୍ଭରୁ ତିତ୍‌ଲି ଏମିତି ଦାଉ ସାଧିଲା ଯେ ଘର କରାଇ ଦେଲାନି। ବଡ଼ କଷ୍ଟେମଷ୍ଟେ ମୁଣ୍ଡ ଗୁଞ୍ଜିବାକୁ ଛପର ଘର ଖଣ୍ଡେ ଖଣ୍ଡେ କରିଥିଲୁ। ଏବେ ସେଇ ଘରଖଣ୍ଡିକୁ ଭାଙ୍ଗି ଦେଇ ଫନି ଆମକୁ କନ୍ଦାଉଛି। ପୁଣି ଖୋଲା ଆକାଶ ତଳେ ଭଙ୍ଗା ଇଟାଗଦାରେ ମୁଣ୍ଡ ଗୁଞ୍ଜିବାକୁ ପଡ଼ୁଛି। ସେତିକିରେ ବି ଦଇବର ମନ ବୁଝୁନି। ଦିନରେ ପ୍ରବଳ ଖରା ସାଙ୍ଗକୁ କାଳବୈଶାଖୀ ବର୍ଷା ବି ଦାଉ ସାଧୁଛି। ୩ ଦିନ ବିତିଲା ପରେ ବି ସରକାରୀ ସହାୟତା ମିଳିନି। ପ୍ରଶାସନର ଦର୍ଶନ ବି ନାହିଁ। ତେଣୁ ଭାଗ୍ୟକୁ ଆଦରି ପଡ଼ି ରହିଛୁ। ଏମିତି ଥିଲା ଗରିବ ମହିଳା ସଂଯୁକ୍ତା ଗଣ୍ଡଙ୍କ କୋହଭରା କଥା। ବାତ୍ୟା ଫନି ପରେ ଶ୍ୟାମପୁର ପଣ୍ଡାକୁଦିଆ ଜଗନ୍ନାଥ ବସ୍ତିର ଏହି ଚିତ୍ର ସଂଯୁକ୍ତାଙ୍କ ମୁହଁ ବଖାଣୁଥିଲା।

ବାତ୍ୟା ଫନି ଏହି ବସ୍ତିକୁ ପୂରା ଉଜାଡ଼ି ଦେଇଛି। ୩ ଶହ ଆଜ୍‌ବେଷ୍ଟସ୍ ଘରର ଛପର ଉଡ଼ି ଯାଇଛି। ଶତକଡ଼ା ୭୦ ଭାଗ ଘରର କାନ୍ଥ ତଳେ ଲେ‌ାଟୁଛି। ପିନ୍ଧା ଲୁଗା କିଛି ଓ ରୋଷେଇ ସରଞ୍ଜାମକୁ ବାଦ୍‌ ଦେଲେ ଆଉ କିଛି ବଞ୍ଚିନି। ସବୁ ଇଟା କାନ୍ଥ ତଳେ ଭାଙ୍ଗିରୁଜି ଚୁନା ହୋଇ ଯାଇଛି। ଦୁଇ ଦିନ ଆଶ୍ରୟସ୍ଥଳୀରେ ରହି ବସ୍ତିକୁ ଫେରି ଆସିବା ପରେ ଏବେ ମୁଣ୍ଡ ଗୁଞ୍ଜିବାକୁ ସେଇ ଭଙ୍ଗା ଇଟା ଗଦା ହିଁ ସବୁକିଛି। ଘର ସଜାଡ଼ିବା ନିହାତି ଜରୁରୀ ହୋଇପଡ଼ିଥିବାରୁ ଏବେ ମୂଲ ପାତି ଲାଗିବାକୁ ବେଳ ନାହିଁ। ‌େତଣୁ ରୋଜଗାର ଠପ୍। ଫଳରେ ହାତରେ ପଇସା ନଥିବାରୁ ନିତିଦିନିଆ ଖର୍ଚ୍ଚ ତୁଲାଇବା କାଠିକାର ହେଉଛି। ରାଇମୁନି ମୁଣ୍ଡା, କବିରାଜ ଦିଗାଲ, ପ୍ରମୋଦ ଦିଗାଲ, ସୁବାସ ଦିଗାଲ୍‌ଙ୍କ ଭଳି ବହୁ ପରିବାର ଏବେ ଦିନକୁ ପେଟପୁରା ଖାଇବାକୁ ପାଉ ନଥିବା ଦେଖିବାକ ୁ ମିଳୁଛି।

ଗତ ସେପ୍ଟେମ୍ବର ମାସରେ ଜୟଦେବ ବିହାର ଛକରୁ ଏହି ବସ୍ତିକୁ ଉଚ୍ଛେଦ କରାଯିବା ପରେ ଶ୍ୟାମପୁର ପଣ୍ଡାକୁଦିଆରେ ଥଇଥାନ କରାଯାଇଥିଲା। ସେତେବେଳେ ତିତ୍‌ଲି ଜନିତ ବର୍ଷା ଏହି ବସ୍ତିବାସିନ୍ଦାଙ୍କୁ ବଡ଼ ହନ୍ତସନ୍ତ କରିଥିଲା। ଅଧାଗଢ଼ା ଘର ଭିତରେ ସେମାନେ ତିନ୍ତିତିନ୍ତି ଜିଇଁବାକୁ ବାଧ୍ୟ ହୋଇଥିଲେ। ଏବେ ସମାନ ଦୁରାବସ୍ଥା ନେଇ ଆସିଛି ବାତ୍ୟା ଫନି। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଯେ ପ୍ରଶାସନ ଦି ଦିନ ରନ୍ଧା ଖାଦ୍ୟ ଦେବା ପରେ ଭୁଲି ଯାଇଛି। ଭଙ୍ଗା ଛପରକୁ ଘୋଡ଼ାଇବାକୁ ପଲିଥିନ୍ ଖଣ୍ଡେ ବି ମିଳୁନାହିଁ। ବିଦ୍ୟୁତ୍ ସେବା ନଥିବାରୁ ନିହାତି କିରାସିନି ଦରକାର, କିନ୍ତୁ ମିଳୁନାହିଁ। ଫଳରେ ଅନ୍ଧାର ରାତିରେ ଭଙ୍ଗା ଇଟା ଗଦାରେ ବିପଜ୍ଜନକ ଭ‌ାବେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ବସ୍ତିବାସିନ୍ଦାମାନେ। ତୁରନ୍ତ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର