ପଣ୍ଡା ପାର୍କ ବସ୍ତିରେ ନାବାଳକ ମୃତ୍ୟୁ ମାମଲା: ୨ ସନ୍ଦିଗ୍ଧଙ୍କୁ ଛାଡ଼ୁଛି, ଉଠାଉଛି; ପ୍ରମାଣ ଅଣ୍ଡାଳୁଛି ପୁଲିସ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତିରେ ନାବାଳକ ଦୈତ୍ୟରାଜର ମୃତ୍ୟୁକୁ ଏକ ହତ୍ୟାକାଣ୍ଡ ବୋଲି ପୁଲିସ ମାନିବାକୁ ନାରାଜ। ମୃତଦେହ ଉଦ୍ଧାର ହେବାକୁ ଦୁଇ ଦିନ ବିତିସାରିଛି। ମୃତକଙ୍କ ପରିବାରଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ଏମିତିକି ବସ୍ତିର ଦୁଇଜଣଙ୍କ ନାଁ ନେଇ ସେମାନେ ହତ୍ୟା ଅଭିଯୋଗ କରିଛନ୍ତି। ତଥାପି ପୁଲିସ ପ୍ରମାଣ ଅଭାବ ବାହାନାରେ ହାତବାନ୍ଧି ବସିଛି। ପୁଲିସ ଉପଯୁକ୍ତ ପ୍ରମାଣ ଖୋଜୁଥିବା କହି ଆସୁଛି। ତେଣୁ ବସ୍ତିରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୁଲିସର ଏହି ଉଦାସୀନତାକୁ ନେଇ ଆଜି ଦୈତ୍ୟରାଜଙ୍କ ବାପା ଯୁଧିଷ୍ଠିର ନାୟକ ଓ ବସ୍ତିବାସିନ୍ଦାମାନେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ବାରସ୍ଥ ହୋଇଥିଲେ। ଆଗକୁ ସେମାନେ ଚନ୍ଦ୍ରଶେଖରପୁର ଥାନା ପୁଲିସ ବିରୋଧରେ ଭୁବନେଶ୍ବର ଡିସିପି ଓ ସିପିଙ୍କୁ ଭେଟି ଗୁହାରି କରିବେ ବୋଲି କହିଛନ୍ତି।

Sambad English

ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ, ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ନେଇଛି। ତଦନ୍ତ ଚାଲିଛି। ଦୁଇ ସନ୍ଦିଗ୍ଧ ଦୀପକ ଓ ଗେଡ଼ୁଙ୍କୁ ପଚରାଉଚରା ଚାଲିଛି। ତଦନ୍ତ ନ ସରିବା ପର୍ଯ୍ୟନ୍ତ ସେମାନେ ବସ୍ତି ଛାଡ଼ି ଯାଇପାରିବେ ନାହିଁ ବୋଲି ସତର୍କ କରାଇଦିଆଯାଇଛି। ତେବେ ଉପଯୁକ୍ତ ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ କାହାକୁ କିଭଳି ଗିରଫ କରାଯିବ ବୋଲି କୁହାଯାଇଛି। ମୃତ ଦୈତ୍ୟରାଜର ଶରୀରର ବାହାରେ କି ଅଭ୍ୟନ୍ତରରେ କୌଣସି କ୍ଷତ ଚିହ୍ନ ନାହିଁ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ଭିସେରା ପରୀକ୍ଷା ପାଇଁ ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି। ରସୁଲଗଡ଼ ଫୋରେନ୍‌ସିକ୍‌ ଲାବରେଟୋରିରୁ ରିପୋର୍ଟ ଆସିବା ପ‌ରେ ଦୈତ୍ୟରାଜ ମୃତ୍ୟୁର ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ ସୂଚନା ଦେଇଛି। କିନ୍ତୁ ପୁଲିସର ଏହି ପଦକ୍ଷେପକୁ ବସ୍ତିବାସିନ୍ଦାମାନେ ନାପସନ୍ଦ କରିଛନ୍ତି।

ସେମାନଙ୍କ କହିବା କଥା, ପୁଲିସ ଯଦି ଏହାକୁ ହତ୍ୟା ବୋଲି ମାନିବାକୁ ନାରାଜ, ତେବେ ଏହା କି’ ପ୍ରକାର ମୃତ୍ୟୁ ବୋଲି ପୁଲିସ ସ୍ପଷ୍ଟ କରୁ। ଏହା ଏକ ଆତ୍ମହତ୍ୟା ନୁହେଁ ବୋଲି ସ୍ପଷ୍ଟ। ଟ୍ରେଞ୍ଚ ଭିତରକୁ ମୃତଦେହ କିଭଳି ଗଲା? ମୃତଦେହରୁ ପୋଷାକ କୁଆଡ଼େ ଗଲା? ମୃତଦେହରେ ପଡ଼ିଥିବା କମ୍ବଳ କାହାର? ପୁଲିସ ଏସବୁର ପ୍ରଶ୍ନର ଉତ୍ତର ପାଇଲାଣି କି ବୋଲି ବସ୍ତିବାସିନ୍ଦାମାନେ କହିଛନ୍ତି। ଦୁଇ ସନ୍ଦିଗ୍ଧ ଦୈତ୍ୟରାଜଙ୍କ ମୋବାଇଲ୍‌ ଫୋନ୍‌ ତାଙ୍କ ଘରକୁ ପଠାଇଲେ, ଅଥଚ ଦୈତ୍ୟରାଜ କୁଆଡ଼େ ଗଲା ବୋଲି ସେମାନେ କିଭଳି ଜାଣିନାହାନ୍ତି? ପୁଲିସ ଜାଣିଶୁଣି ବହୁ ଦିଗକୁ ତଦନ୍ତଭୁକ୍ତ ନକରି ଛାଡ଼ି ଦେଉଛି ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ବସ୍ତିରେ ନିଶା କାରବାର ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ପୁଲିସ ଏଭଳି କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ଦୈତ୍ୟରାଜ ହଠାତ୍ ନିଖୋଜ ହୋଇଯାଇଥିଲେ। ୧୬ ତାରିଖ ଅପରାହ୍‌ଣରେ ବସ୍ତି ସଂଲଗ୍ନ ଭରତପୁର ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚରୁ ତାଙ୍କ ଗଳିତ ମୃତଦେହ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର