ପଣ୍ଡାକୁଦିଆରେ ଫିଙ୍ଗା ଯାଇଛି ଫାର୍ମଗେଟ୍‌ ବସ୍ତି: ମାଗଣା ଖାଉଛନ୍ତି, ଶୌଚାଳୟରେ ଗଣୁଛନ୍ତି

ମୂଳା ଡାଲ୍‌ମାରେ ପେଟ ଅଧା, ପିଲାଙ୍କ ସ୍କୁଲ୍ ଯିବା ଠପ୍‌

ଖଣ୍ଡଗିରି,୨: ‘ଆମକୁ ଫାର୍ମଗେଟ୍‌ ବସ୍ତିରୁ ଉଠାଇ ଆଣି ପଣ୍ଡାକୁଦିଆରେ ପିଙ୍ଗି ଦିଆଯାଇଛି। ଖୋଲା ପଡ଼ିଆରେ ତିନିପଟ ମେଲା ଶିବିରରେ ଥୋଇ ଦିଆଯାଇଛି। ଦିନକୁ ଦି’ଥର ମୂଳା ଡାଲ୍‌ମା ଦିଆଯାଉଛି। ଖୋଜିଲେ ଖଣ୍ଡେ ଆଳୁ ମିଳୁନି ସେଥିରୁ। ସକାଳେ କି ସନ୍ଧ୍ୟାରେ ଟିକେ ଜଳଖିଆ ମିଳୁନି ଶିବିରରେ। ଦାନ୍ତ ଚିପି ସେମିତି ଅନେଇ ରହୁଛୁ ୧୨ଟା ବେଳକୁ ୫ ଟଙ୍କିଆ ଭାତ ଆସିବା ପର୍ଯ୍ୟନ୍ତ। ତେଣୁ ଦି ଦିନ ହେଲା ପେଟ ଅଧା ରହୁଛି। ଚ‌ାଉଳିଆ ଭାତ ନ ଖାଇ ପାଣିବାରୁ ବୁଢ଼ାବୁଢ଼ୀ ଲୋକମାନେ ଏକପ୍ରକାର ଉପାସରେ ରହୁଛନ୍ତି। ମାଗଣା ସିନା ଖାଇବାକୁ ମିଳୁଛି, ପାଇଖାନା ନଥିବାରୁ ସୁଲଭ ଶୌଚାଳୟରେ ୫ଟଙ୍କା ଗଣୁଛୁ। ପିଲାଙ୍କ ପାଠପଢ଼ା ଠପ୍‌। ସ୍କୁଲ୍‌ କଲେଜ ଯିବା ବନ୍ଦ। ଏମିିତି ଦୁର୍ଦ୍ଦଶାର ଚିତ୍ର ବର୍ଣ୍ଣନା କରିଥିଲେ ପଣ୍ଡାକୁଦିଆ ବସ୍ତିର ଅସ୍ଥାୟୀ ଶିବିର‌ରେ ରହିଥିବା ଓୟୁଏଟି ଫାର୍ମଗେଟ୍‌ ବସ୍ତିର ବିସ୍ଥାପିତମାନେ। ସେମାନଙ୍କ ଅଭିଯୋଗ ଅନୁସାରେ, ବିଏମ୍‌ସି ପକ୍ଷରୁ ପଣ୍ଡାକୁଦିଆରେ ୩ଟି ଅସ୍ଥାୟୀ ଶିବିର କରାଯାଇଛି। ମାତ୍ର ତାହା ରହିବା ଉପ‌ଯୋଗୀ ନୁହେଁ। ୩ ପାଖ ମେଲା ଏହି ଶିବିରରେ କୋହଲା ପବନ ମାଡ଼ ହେଉଥିବାରୁ ଶୀତରେ ଦେହ କମ୍ପୁଛି। ବଡ଼ କଷ୍ଟରେ ଶୋଇବାକୁ ପଡ଼ୁଛି। ତେଣୁ କିଛି ଲୋକ ପଲିଥିନ୍‌ ଟାଣି ଛୋଟ ଝମ୍ପୁଡ଼ି କରିଛନ୍ତି ଓ ଘାସ ଚଟାଣରେ କାଗଜ ପଟି ପକାଇ ଓ ମସିଣା ପକାଇ ଶୋଇ ପଡ଼ୁଛନ୍ତି। ଦିନ ବେଳା ୫ ଟଙ୍କିଆ ଭାତ ଡାଲ୍‌ମାରେ ସେମାନେ ବଞ୍ଚିଛନ୍ତି। ବିସ୍ଥାପନ କରିବାକୁ ତର ଦେଇନଥିବା ପ୍ରଶାସନ ଏବେ ସେମାନଙ୍କୁ ଏକ ପ୍ରକାର ଫିଙ୍ଗି ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପିଲାମାନଙ୍କ ପାଠପଢ଼ା ବନ୍ଦ ହୋଇଯାଇଛି। ଶିରିପୁର ଓ ୟୁନିଟ୍‌-୮ ଅଞ୍ଚଳର ସ୍କୁଲ୍‌ରେ ସେମାନଙ୍କ ପିଲା ପଢ଼ୁଥିଲେ। ଏବେ ସେମାନେ କେମିତି ପଣ୍ଡାକୁଦିଆରୁ ସେଠାକୁ ପଢ଼ିବା ପାଇଁ ଯିବେ, ସେ ବ୍ୟବସ୍ଥା ପ୍ରଶାସନ କରିନାହିଁ। ସେହିଭଳି ମୂଲ ମଜୁରି ଯିବା ବନ୍ଦ ହୋଇ ଯାଇଥିବାରୁ ପାଖରେ ପଇସାଟିଏ ନାହିଁ। ଫଳରେ ୫ ଟଙ୍କିଆ ଆହାର ମିଲ୍‌କୁ ଚାହିଁ ରହିବା ଛଡ଼ା ଅନ୍ୟ ବାଟ କିଛି ନାହିଁ ବୋଲି ସେମାନେ କହିଛନ୍ତି। ବଡ଼ ଦୁଃଖର କଥା ଯେ ଏତେ ଲୋକଙ୍କୁ ଅସମୟରେ ବିସ୍ଥାପିତ କରାଯାଇଛି, ଅଥଚ କୌଣସି ନେତା ବା ବଡ଼ ପଦାଧିକାରୀମାନେ ସେମାନଙ୍କ ଅବସ୍ଥା ଟିକେ ଦେଖିବାକୁ ଆସିନାହାଁନ୍ତି। ବିଧାୟକ, ମନ୍ତ୍ରୀ କି ସାଂସଦ କାହା ପାଦ ପଡ଼ିନାହିଁ। ଏମିତିକି କୌଣସି ସାମାଜିକ ସଂଗଠନ ମଧ୍ୟ ସେମାନଙ୍କ ଆଡ଼କୁ ନଜର ପକାଇ ନାହିଁ ବୋଲି ସେମାନେ କହିଛନ୍ତି। ତେବେ ସେମାନଙ୍କ ଦେଖାଶୁଣା ପାଇଁ ଶିବିର ପରିଚାଳନାରେ ଥିବା ବିଏମ୍‌ସି କର୍ମଚାରୀମାନଙ୍କ କହିବା କଥା, ୧୫ଟି ଅସ୍ଥାୟୀ ପାଇଖାନା ପ୍ରସ୍ତୁତ ହୋଇଯାଇଛି। ସେହିଭଳି ଏହି ବିସ୍ଥାପିତ ବସ୍ତି ଲୋକଙ୍କଠାରୁ ପଇସା ନ ରଖିବାକୁ ସୁଲଭ ଶୌଚାଳୟକୁ ଆଜି ନିର୍ଦେଶ ହୋଇଛି। ସେହିଭଳି ପାଣି ଟାଙ୍କି ଓ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ପଦ‌କ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର