ସାମ୍ପ୍ରଦାୟିକ ସଦ୍‌ଭାବନାର ପ୍ରତୀକ ପଣ୍ଡାକୁଦିଆ: ଧର୍ମ ଭିନ୍ନ; କିନ୍ତୁ ଏକାଠି ପାଳନ ହୁଏ ଗଣେଶ ପୂଜା

ଭୁବନେଶ୍ବର : ବ୍ୟକ୍ତିଗତ ଜୀବନରେ କିଏ ହିନ୍ଦୁ, ମୁସଲମାନ ତ କିଏ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ବାସ କରନ୍ତି। କିଛି ସଂକୀର୍ଣ୍ଣ ଗୋଷ୍ଠୀ ଏହାକୁ ନେଇ ଘୃଣାର ମଞ୍ଜି ବି ବୁଣିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ରାଜଧାନୀର ପଣ୍ଡାକୁଦିଆବାସୀଙ୍କୁ ଏସବୁ ପ୍ରଭାବିତ କରିପାରି ନାହିଁ। ସବୁ ବର୍ଷ ଭଳି ଚଳିତ ବର୍ଷ ବି ଏଠାରେ ଭିନ୍ନ ଭିନ୍ନ ସଂପ୍ରଦାୟର ଲୋକେ ମିଳିତ ଭାବରେ ଗଣେଶ ପୂଜା ପାଳନ କରିଛନ୍ତି। ଏଥିସହିତ ଲଗାତାର ୧୨ ବର୍ଷ ହେଲା ସାମ୍ପ୍ରଦାୟିକ ସଦଭାବନା ବାର୍ତ୍ତା ଦେଉଥିବା ଏହି ପୂଜା କେବଳ ରାଜଧାନୀ ନୁହେଁ; ସମଗ୍ର ଓଡ଼ିଶା ପାଇଁ ଉଦାହରଣ ସୃଷ୍ଟି କରିଛି।

ଶୁକ୍ରବାର ଗଣେଶ ପୂଜାର ପବିତ୍ର ଦିନରେ ନିଲୁ ସେଠୀ, କ୍ରିଷ୍ଣା ସିଂ ପ୍ରମୁଖ ଯେତେ ବ୍ୟସ୍ତ ଥିଲେ, ମୁସଲମାନ ଧର୍ମ ବିଶ୍ବାସୀ କାଳୁ କି ଇସାଇ ପରିବାରରୁ ଆସିଥିବା ରାକେଶ, ସାଗର ଦିଗଲ ବି ପୂଜାକୁ ନେଇ ସେତିକି ଉତ୍ସାହିତ ଥିଲେ। କରୋନା ଯୋଗୁଁ ପୂଜା ଫିକା ନପଡ଼ୁ; ଏଥିପାଇଁ ଏମାନେ ସମସ୍ତେ ପ୍ରାୟ ଏକ ମାସରୁ ଊର୍ଧ୍ବ ସମୟ ହେଲା ପ୍ରସ୍ତୁତ ହେଉଛନ୍ତି। କାଳୁ କହନ୍ତି, ଛୋଟ ବେଳେ ସମସ୍ତେ ସାଙ୍ଗଙ୍କୁ ଦେଖନ୍ତି, ଧର୍ମ କଥା କିଏ ଜାଣେ? ଗଣେଶ ପୂଜା ତ ପିଲାଙ୍କ ପର୍ବ। ବସ୍ତିର ସବୁ ପିଲା ମିଳିମିଶି ଖେଳିବା ବେଳକୁ ଇନ୍ତାକ ମଲ୍ଲିକ, ଶଙ୍କର ସ୍ବାଇଁ, ଆକବର ମଲ୍ଲିକ, ହରି ସିଂ, ଗୁରୁବା ହାଁସଦା ପ୍ରଥମେ ଗଣେଶ ପୂଜା ଆୟୋଜନ ପାଇଁ ଚିନ୍ତା କରିଥିଲେ। ବୟସ କମ୍‌; ତେଣୁ ପୂଜା ଆୟୋଜନ କିଭଳି ହେବ ଏହାକୁ ନେଇ ଚିନ୍ତା ପଡ଼ିଲା। ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ବାନର ସିଂ ସେମାନଙ୍କ ମାର୍ଗଦର୍ଶକ ହେଲେ। ଏହାପରେ ନୀଳକଣ୍ଠ ୟୁଥ୍‌ ଆସୋସିଏସନ ପକ୍ଷରୁ ଗଣେଶ ପୂଜା ଆରମ୍ଭ ହେଲା। ପୂଜା ସମୟର ଦୁଇ ଦିନ ହିନ୍ଦୁ ଧର୍ମର ପିଲାଙ୍କ ସହିତ ଖ୍ରୀଷ୍ଟିଆନ, ମୁସଲମାନ ପିଲାମାନେ ମଧ୍ୟ ଆଇଁଷ ବର୍ଜନ କରନ୍ତି।

ସାଜସଜ୍ଜାଠାରୁ ଆରମ୍ଭ କରି ମାର୍କେଟିଂ ସବୁ କାର୍ଯ୍ୟ ମିଳିତ ଭାବରେ କାର୍ଯ୍ୟ କରନ୍ତି। ବିସର୍ଜନ ସରିବା ପରେ ବସ୍ତିର ସମସ୍ତେ ମିଳିତ ଭାବରେ ଭାତ, ଡାଲ୍‌ମା ଭୋଜିର ଆୟୋଜନ ସହିତ ରାତିରେ ମେଲୋଡ଼ିର ମଜା ନେଇଥାଆନ୍ତି। ପ୍ରତିବର୍ଷ ପଣ୍ଡାକୁଦିଆରେ ଆୟୋଜିତ ଗଣେଶ ପୂଜା ପାଇଁ ୧ ଲକ୍ଷରୁ ଅଧିକ ଟଙ୍କାର ବଜେଟ ପ୍ରସ୍ତୁତ ହୁଏ। ଏଥିପାଇଁ ଅଧିକାଂଶ ଅର୍ଥ ବସ୍ତି ଅଧିବାସୀଙ୍କଠାରୁ ନିଆଯାଉଥିବା ଚାନ୍ଦାରୁ ପୂରଣ ହୁଏ। ଏହା ସବୁ ଧର୍ମର ପରିବାର ଦେଇଥାଆନ୍ତି। ମିଳିତ ଭାବରେ ଭୋଜି ସହିତ ମେଲୋଡିର ମଜା ନିଆରା ବୋଲି କହନ୍ତି ସ୍ଥାନୀୟ ଅଧିବାସୀ। ଧାର୍ମିକ ସହାବସ୍ଥାନର ପ୍ରତୀକ ସାଜିଥିବା ପଣ୍ଡାକୁଦିଆ ଗଣେଶ ପୂଜା, ଅନ୍ୟମାନଙ୍କ ମନରେ ମଧ୍ୟ ସାମ୍ପ୍ରଦାୟିକ ବିଦ୍ବେଷ ଦୂର କରି ସଦ୍‌ଭାବନା ପ୍ରତିଷ୍ଠା କରିବ ବୋଲି ସେମାନଙ୍କର ଦୃଢ଼ ବିଶ୍ବାସ ରହିଛି।

ସମ୍ବନ୍ଧିତ ଖବର