ଖଣ୍ଡଗିରି: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କହୁଛି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କରିବ। ବିଡିଏ କହୁଛି ଦାୟିତ୍ବ ବିଏମ୍ସିର। ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ଉଭୟ ବିଡିଏ-ବିଏମ୍ସି ପରସ୍ପର ଉପରକୁ କାହୁଅ ଫିଙ୍ଗୁଛନ୍ତି।ଦୁଇ ସଂସ୍ଥାର କଳି ଭିତରେ ଫିସ କଲବଲ ହେଉଛନ୍ତି ପଣ୍ଡାକୁଦିଆ ବସ୍ତିବାସିନ୍ଦା। ବିଭିନ୍ନ ପ୍ରକଳ୍ପ ପାଇଁ ଉଚ୍ଛେଦ ହେଉଥିବା ବସ୍ତିବାସିନ୍ଦା ଟ୍ରାଞ୍ଜିଟ୍ହାଉସ୍ରେ ୬ ମାସରୁ ଅଧିକ ଦିନ ରହିବେ ନାହିଁ। ଅର୍ଥାତ ୬ ମାସ ଭିତରେ ସରକାର ଘର ତିଆରି କରି ଏମାନଙ୍କୁ ଥଇଥାନ କରିବେ। କିନ୍ତୁ ୨୦୧୮ ମସିହାରୁ ବିଭିନ୍ନ ଦଫାରେ ଉଚ୍ଛେଦ ହୋଇ ଶ୍ୟାମପୁର ପଣ୍ଡାକୁଦିଆ ଟ୍ରାଞ୍ଜିଟ୍ହାଉସ୍ରେ ରହିଥିବା ବସ୍ତି ବାସିନ୍ଦାଙ୍କ କଥା ସରକାର ଭୁଲିଯାଇଛନ୍ତି। ଯାହାକୁ ନେଇ ଏବେ ପଣ୍ଡାକୁଦିଆରେ ରହୁଥିବା ୪ ହଜାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ନୀଳାଦ୍ରିବିହାରର ୬୩୯ ପରିବାରଙ୍କୁ ସୁଲଭ ଗୃହନିର୍ମାଣ ପ୍ରକଳ୍ପ (ଏଏଚ୍ପି)ରେ ଥଇଥାନ କରାଯାଇଛି। ଏଠାରେ ବାସିନ୍ଦାଙ୍କ ପାଇଁ ବିଡିଏ ଅସ୍ଥାୟୀ ଘର ନିର୍ମାଣ ସହିତ ମାଗଣାରେ ବିଜୁଳି ଓ ପାଣି ସଂଯୋଗ ଦେଇଥିଲା। କିନ୍ତୁ ପଣ୍ଡାକୁଦିଆରେ ବସ୍ତିବାସିନ୍ଦାମାନେ ନିଜେନିଜେ ଘର ତିଆରି କରିଥିଲେ। ବିଜୁଳି, ପାଣି ପାଇଁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରୁଛନ୍ତି।
୨୦୧୮ ମସିହାରେ ହକି ବିଶ୍ବକପ୍ ସମୟରେ ଷ୍ଟାଡିୟମ୍ କଡ଼ରୁ ଉଚ୍ଛେଦ ହୋଇଥିବା ଜଗନ୍ନାଥ ବସ୍ତିର ବାସିନ୍ଦାଙ୍କୁ ଏଠାରେ ରଖାଯାଇଥିଲା। ପରେ ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଜାଗମରାରୁ, ବସ୍ଷ୍ଟାଣ୍ଡ୍ ପାଇଁ ବରମୁଣ୍ଡାରୁ, ଏମ୍ଏଲ୍ଏ କଲୋନି ଓ କ୍ୟାପିଟାଲ ଡାକ୍ତରଖାନା କଡ଼ରୁ ପ୍ରାୟ ୧୧ଶହ ପରିବାରଙ୍କୁ ଅଣାଯାଇଥିଲା। ସେବେଠାରୁ ବିଏମ୍ସି କିମ୍ବା ବିଡିଏ କେହି ଏମାନଙ୍କ କଥା ବୁଝିନାହାନ୍ତି। କିଛି ବାସିନ୍ଦାଙ୍କର ଭୂମି ଅଧିକାର ପ୍ରମାଣପତ୍ର (ଏଲ୍ଆର୍ସି) ନଥିବା ବେଳେ କେତେକଙ୍କୁ ରାଜୀବଆବାସ ଯୋଜନାରୁ କାଟି ଦିଆଯାଇଛି। ଅନ୍ୟପକ୍ଷରେ ଏଠାକାର ରାସ୍ତାଘାଟ କଥା ନ କହିବା ଭଲ। ୭ ବର୍ଷ ଧରି ରାସ୍ତାରେ ଖାଲି ପ୍ୟାଚ୍ ପଡ଼ିଛି। ବର୍ଷା ଦିନେ ହନୁମାନ ମନ୍ଦିର ଛକ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ଲଗାଣ ବର୍ଷାରେ ଘରେ ପାଣି ପଶୁଛି।
ଏ ନେଇ ସ୍ଥାନୀୟ ବାସିନ୍ଦା କାଳୁ ବେହେରା କହିଛନ୍ତି, ଖୁଣ୍ଟରେ ବଲ୍ ନାହିଁ। ଫଳରେ ରାସ୍ତା ଅନ୍ଧାର ରହୁଛି। ଏହି ରାସ୍ତାରେ ଏବେ ଗାଈଗୋରୁ ଶୋଉଛନ୍ତି। ଯେଉଁଥିପାଇଁ ଦୁର୍ଘଟଣା ହେଉଛି। ୭ ବର୍ଷ ହେଲା ଅଞ୍ଚଳକୁ ମଶାଧୂଆଁ ଗାଡ଼ି ଯାଇନାହିଁ। ବିଏମ୍ସିର ଜୋନାଲ୍ ଡେପୁଟି କମିସନର ରାକେଶ କୁମାର କହିଛନ୍ତି, ପଣ୍ଡାକୁଦିଆ ଲୋକଙ୍କ ପାଇଁ ବିଡିଏ ସର୍ଭେ କରି ଘର ଯୋଗାଇବ। ସେଥିରେ ଆମର କୌଣସି ଭୂମିକା ନଥିବା ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଶାନ୍ତିପଲ୍ଲୀ ବସ୍ତି ପ୍ରକଳ୍ପରେ ଅଯୋଗ୍ୟ ଧରାପଡ଼ିବା ପରେ ବିଡିଏ ହାତରୁ ସମସ୍ତ ପ୍ରକଳ୍ପକୁ ଅଣାଯାଇ ବିଏମ୍ସିକୁ ଦିଆଯାଇଛି। ବିଡିଏ କେବଳ ଘର ତିଆରି କରି ବିଏମ୍ସିକୁ ହସ୍ତାନ୍ତର କରିବ। ଯୋଗ୍ୟ ହିତାଧିକାରୀ ବାଛି ବିଏମ୍ସି ସେମାନଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ବିଏମ୍ସି ସବୁ କଥା ବୁଝିବ ବୋଲି ନିଷ୍ପତ୍ତି ହୋଇଥିବା ବିଡିଏ କହୁଛି। ଏଭଳି କାଦୁଅଫିଙ୍ଗା ନୀତିରେ ବସ୍ତିବାସିନ୍ଦାମାନେ ହଇରାଣ ହେଉଛନ୍ତି।