ଭୁବନେଶ୍ୱର: ପୁରୀ-ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥ କଡ଼( ପାଣ୍ଡରା)ରେ ନିର୍ମାଣ ହେବ ରାଜ୍ୟର ଅଦ୍ବିତୀୟ ଓ ଅତ୍ୟାଧୁନିକ ହୋଲ୍ସେଲ୍ ମାଛ ବଜାର। ଯେଉଁଠି ସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ଡ୍ରେନେଜ୍ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ରହିବ। ବିଏମ୍ସି ଟର୍ନକି ମୋଡ୍(ଡିଜାଇନ୍ ଓ କାର୍ଯ୍ୟାନ୍ୱୟନ ସହିତ)ରେ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ପାଣ୍ଡରାରେ ୫.୮୧ ଏକର ଜାଗାରେ ଏହି ପ୍ରକଳ୍ପ ନିର୍ମାଣ ହେବ ଓ ପ୍ରକଳ୍ପ ବାବଦରେ ୫୯.୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ କେନ୍ଦ୍ର ସରକାର ୩୦ କୋଟି ଓ ରାଜ୍ୟ ସରକାର ୨୯.୧୩ କୋଟି ଟଙ୍କା ଖର୍ଚ୍ଚ କରିବେ। ୨ ବର୍ଷ ଭିତରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଏହି ପ୍ରକଳ୍ପର ଡିଜାଇନ୍ ସାର୍ବଜନୀନ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)। ଏହି ପ୍ରକଳ୍ପ ରାଜଧାନୀ ଭୁବନେଶ୍ୱରରେ ମତ୍ସ୍ୟଚାଷର ସ୍ଥାୟୀତ୍ବ ଓ ଦାୟିତ୍ୱପୂର୍ଣ୍ଣ ବିକାଶରେ ବିପ୍ଳବ ଆଣିବା ସହ ସ୍ଥାନୀୟ ଚାହିଦା ପୂରଣ କରିପାରିବ ବୋଲି ବିଏମ୍ସି କହିଛି।
ପ୍ରକଳ୍ପର ରୂପରେଖ ଅନୁଯାୟୀ, ଏହି ହୋଲ୍ସେଲ୍ ମାଛ ବଜାର ଜାତୀୟ ରାଜପଥ ୧୬ ଓ ଜାତୀୟ ରାଜପଥ ୩୧୬ଠାରୁ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ। ଏହି ପ୍ରକଳ୍ପକୁ ଦୁଇପାର୍ଶ୍ବରୁ ଆପ୍ରୋଚ୍ ରୋଡ୍ ଥିବାବେଳେ ଗମନାଗମନ ଦୃଷ୍ଟିରୁ ବେଶ ଉପଯୋଗୀ। ଏଣୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ମାଛ ଗାଡ଼ିଗୁଡ଼ିକ ଜାତୀୟ ରାଜପଥରୁ ସୁବିଧାରେ ଏଠାରେ ପହଞ୍ଚି ପାରିବେ। ଏହି ପ୍ରକଳ୍ପକୁ ୧୨ ମିଟର ରାସ୍ତା ରହିବ, ଯେଉଁଥିରେ ୬ ମିଟର କ୍ୟାରେଜ୍ ୱେ ରହିବ। ପ୍ରକଳ୍ପ ଭିତରେ ୪୪ଟି ହୋଲ୍ସେଲ୍ ମାଛ ଦୋକାନ ସହ ଲୋଡିଂ ଓ ଅନ୍ଲୋଡିଂ ବେ, ଟେଷ୍ଟିଂ ଓ ପ୍ରୋସେସିଂ ୟୁନିଟ୍, ପ୍ରଶାସନିକ କୋଠା, ସେମିନାର ହଲ୍, ଅତିଥି ଗୃହ, ଶ୍ରମିକଙ୍କ ପାଇଁ ଡର୍ମିଟୋରି, କ୍ୟାଣ୍ଟିନ୍ ରହିବ। ୧୦୦ଟି ରିଟେଲ୍ ଦୋକାନୀଙ୍କ ପାଇଁ ପିଣ୍ଡି ବ୍ୟବସ୍ଥା ହେବ। ଡିଜି ସେଟ୍, ଟ୍ରାନ୍ସଫର୍ମର, ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ, ମାଛ ହାଇଡ୍ରୋ ଲାଇସେଟ୍ ପ୍ଲାଣ୍ଟ, ବରଫ କାରଖାନା ସହ ବିକେନ୍ଦ୍ରିତ ପାର୍କିଂ ବ୍ୟବସ୍ଥା ରହିବ। ବଜାରର ଦକ୍ଷତା ଓ ସ୍ମାର୍ଟ ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ କରାଯିବ। ଦକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ, ଇ-ମାର୍କେଟ୍ ଓ ପ୍ରକୃତ ସମୟ(ରିୟଲ୍ ଟାଇମ୍) ପରିବେଶଗତ ପାରାମିଟରଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥା ରହିବ। ୫.୮୧ ଏକର ଜାଗାରୁ ୧.୧୨ ଲକ୍ଷ ବର୍ଗଫୁଟ ଜାଗାରେ କୋଠା ନିର୍ମାଣ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓୟୁଏଟିର କୃଷି ଶିକ୍ଷା ସଦନରେ ଆୟାଜିତ ଧନଧାନ୍ୟ ଯୋଜନା ଶୁଭାରମ୍ଭ ଅବସରରେ ଅବସରରେ ଭୁବନେଶ୍ୱରର ପାଣ୍ଡରାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପ୍ରକଳ୍ପ ମତ୍ସ୍ୟ ସମ୍ପଦ ବିକାଶ ଓ ବିପଣନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ।