ପଣ୍ଡିତ ଗୋପବନ୍ଧୁ ଥିଲେ ବିଶ୍ବପ୍ରେମର ଉଜ୍ଜ୍ବଳ ପ୍ରତୀକ

ଭୁବନେଶ୍ବର: ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଅମୂଲ୍ୟମଣି। ତାଙ୍କ ନିଷ୍ଠା, ତ୍ୟାଗ ଓ ମାନବ ସେବାର ପଟାନ୍ତର ନାହିଁ। ଭାରତୀୟ ମୁକ୍ତି ସଂଗ୍ରାମକୁ ଓଡ଼ିଶାରେ ନେତୃତ୍ବ ଦେବା ସହ ମାନବବାଦୀ ଆନ୍ଦୋଳନର ସେ ଅଗ୍ରଦୂତ ଥିଲେ ବୋଲି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ କିସ୍‌ ବିଶ୍ବବିଦ୍ୟାଳୟ ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ପାଳନ କରାଯାଇଛି। ଏହି ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ କବିତାରେ ‘ବିଶ୍ବପ୍ରେମ’ ଶୀର୍ଷକ ଆଲୋଚନାଚକ୍ରକୁ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉଦ୍‌ଘାଟନ କରି କହିଲେ ଯେ, ଗୋପବନ୍ଧୁ ଥିଲେ ତ୍ୟାଗପୂତ ଜୀବନର ଉଦାହରଣ।

ସେ ଥିଲେ ବିଶ୍ବପ୍ରେମର ଉଜ୍ଜ୍ବଳ ପ୍ରତୀକ। ଉତ୍ସବରେ କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର ପ୍ରଫେସର ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ସମର୍ପିତ ଜୀବନ ଓ ସାହିତ୍ୟ ବିରଳ ବୋଲି କହିଥିଲେ। କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଦେଇଥିଲେ। ଅଧ୍ୟାପିକା ନିବେଦିତା ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଉତ୍ସବରେ ବିଶ୍ବବିଦ୍ୟାଳୟର ଡି.ଜି. କାହ୍ନୁ ଚରଣ ମାହାଲି, ଏମେରିଟ୍‌ସ ପ୍ରଫେସର ବିଜୟ କୁମାର ଶତପଥୀ, ପ୍ରଫେସର ଯୁଗଳ କିଶୋର ମିଶ୍ର, ପ୍ରଫେସର ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର