ଭୁବନେଶ୍ବର : ଲକ୍ଷ୍ନୌ ସହରରେ ଏକ ବିଶାଳ ମହଲ। ସେଠି ଏକାକୀ ରୁହନ୍ତି ୬୫ବର୍ଷୀୟ ଆମ୍ମା ବି’। ସ୍ବାମୀଙ୍କ ସ୍ମୃତି ଓ ପୁରୁଣା କାର୍କୁ ଦିନରାତି ଦେଖି ଦେଖି ସମୟ ଅତିବାହିତ କରିବା ଛଡ଼ା ତାଙ୍କ ପାଖେ ଆଉ ବିଶେଷ କିଛି କାମ ନଥାଏ। ସକାଳେ ଓ ସନ୍ଧ୍ୟାରେ ଚାକର ଜୁମନ୍ ତାଙ୍କ ପାଖକୁ ଆସେ। ହେଲେ ସେ ତା’ ଘରକୁ ଚାଲିଯିବା ପରେ ମହଲରେ ପୁଣି ଏକଲାପଣ ରାଜୁତି କରେ। ଦି’ପହର ଏବଂ ନିଚ୍ଛାଟିଆ ରାତିର ସେ ଏକଲାପଣ ଆମ୍ମାଙ୍କୁ ବ୍ୟତିବ୍ୟସ୍ତ କରିପକାଏ। ସବୁ ଦିନ ଅପରାହ୍ଣ ୩ଟାରେ ଏକ ଅଜଣା ଶବ୍ଦ ତାଙ୍କୁ ଭୟଭୀତ କରେ। ନିଜ ଲିଖିତ ଉପନ୍ୟାସ ‘ଦୋପହରୀ’ରେ ଏକକ ଅଭିନୟ କରି ବିଶିଷ୍ଟ ବଲିଉଡ୍ ଅଭିନେତା ତଥା ଲେଖକ ପଙ୍କଜ କପୁର୍ ଉପସ୍ଥିତ ଦର୍ଶକଙ୍କୁ ଭାବନାର ଏକ ନୂଆ ରାଇଜକୁ ନେଇ ଯାଇଥିଲେ। ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ଭୁବନେଶ୍ବର ସାହିତ୍ୟ ଉତ୍ସବର ଶେଷ ସନ୍ଧ୍ୟାରେ ରେଳ ଅଡିଟୋରିୟମ୍ ମଞ୍ଚସ୍ଥ ଏହି ନାଟକ ଲୋକଙ୍କୁ ମଞ୍ଚ ନିକଟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ରାତି ବଢ଼ିବା ସହ ନାଟକର କାହାଣୀକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଚାଲିଥିଲା।
କାହାଣୀର ପୃଷ୍ଠଭୂମି କିଛି ଏମିତି ଥିଲା; ମହଲରେ ଆମ୍ମା. ବିଙ୍କ ଏକଲାପଣକୁ ଦୂର କରିବା ପାଇଁ ଜଣେ ଲୋକଙ୍କୁ ସେମାନେ ଭଡ଼ାରେ ରଖିବା ପାଇଁ ଚାହୁଛନ୍ତି। ହେଲେ କେହି ତାଙ୍କ ପସନ୍ଦ ଆସୁନାହାନ୍ତି। ତାଙ୍କର ଅନ୍ୟତମ ପାରିବାରିକ ସହଯୋଗୀ ସକ୍ସେନା ଭଡ଼ା ଦେବାକୁ ଲୋକଟିଏ ବାଛିବାରେ ବିଫଳ ହେଉଛନ୍ତି। ପରେ ପରେ ସବିହା ନାମକ ଜଣେ ଝିଅ ଭଡ଼ା ପାଇଁ ଆସିଛି। ଆଉ ସେ ଆମ୍ମା ବି’ଙ୍କର ପସନ୍ଦ ହୋଇଛି। ପରେ ପୁଣି ତାକୁ ସେ ନାପସନ୍ଦ କରିଛନ୍ତି। ହେଲେ ନିଜ ବାପଘର ଗାଁର ବୋଲି ଜାଣିବା ପରେ ତାକୁ ରଖିବାକୁ ରାଜି ହୋଇଛନ୍ତି ଓ ତାଙ୍କର ଏକ୍ଲାପଣ କିଛି ମାତ୍ରାରେ ଲାଘବ ହୋଇଛି। ସେଇଠୁ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ସୁପ୍ରିୟା ପାଠକ କପୁର୍ ଏହି ନାଟକର ପ୍ରଯୋଜକ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/m26.jpg)