ବର୍ଜ୍ୟ କାଗଜ ରାଖୀରୁ ରୋଜଗାର

ଭୁବନେଶ୍ବର : ବର୍ଜ୍ୟ କାଗଜରୁ ପ୍ରସ୍ତୁତ କରୁଛନ୍ତି ରାଖୀ। ବଡ଼ ସୁନ୍ଦର ଦେଖାଯାଉଛି କାଗଜ ରାଖୀ। ଘରେ ନିଜ ହାତରେ ଏଭଳି ରାଖୀ ତିଆରି କରି ଅନ୍‌ଲାଇନ୍‌ ବଜାରରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ସହିଦନଗର ଅଞ୍ଚଳର ଶାନ୍ତିଲତା ମିଶ୍ର। ଗତ କିଛି ବର୍ଷ ହେଲା ଏହି ଅବସର ସମୟ କାମ ତାଙ୍କ ପାଇଁ ଏକ ରୋଜଗାର ମାଧ୍ୟମ ପାଲଟିଛି। ଏବେ ଅନ୍‌ଲାଇନ୍ ବଜାରରେ ତାଙ୍କ ରାଖୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ଶାନ୍ତିଲତାଙ୍କ କହିବା କଥା, ପିଲା ବେଳୁ ଚିତ୍ର ଆଙ୍କିବା ପ୍ରତି ତାଙ୍କର ବହୁ ଆଗ୍ରହ ଥିଲା। ନିଜର ଚିତ୍ରକଳାକୁ ପ୍ରୟୋଗ କରି ସେ ଉପହାର ସାମଗ୍ରୀ ତିଆରି କରିବା ଶିଖିଥିଲେ ଓ ସାଙ୍ଗମାନଙ୍କ ଜନ୍ମଦିନରେ ଉପହାର ତିଆରି କରୁଥିଲେ। ସାଙ୍ଗମାନଙ୍କ ପରାମର୍ଶକ୍ରମେ ସେ ଏସବୁ ଜିନିଷକୁ ଅନ୍‌ଲାଇନ୍‌ ପ୍ରଦର୍ଶନ କରିଥିଲେ। ୨୦୧୮ ମସିହାରୁ ଉପହାର ସାମଗ୍ରୀ ପ୍ରସ୍ତୁତ କରୁଥିଲେ ବି ଗତବର୍ଷଠାରୁ ଅନ୍‌ଲାଇନ୍‌ରେ ଦେଉଛନ୍ତି। ବର୍ତ୍ତମାନ ଚାହିଦା ବୃଦ୍ଧି ପାଉଛି। ଚଳିତ ବର୍ଷ ୫ହଜାର ଟଙ୍କାର ରାଖୀ ବିକ୍ରି କରିସାରଲେଣି ବୋଲି ସେ କହିଛନ୍ତି। ପ୍ରତିଦିନ ଅର୍ଡର୍ ଆସୁଥିବାରୁ ଆହୁରି କିଛି ଲାଭ ହେବ ବୋଲି ସେ ଆଶା କରିଛନ୍ତି। ତାଙ୍କ ରାଖୀର ମୂଲ୍ୟ ୩୫ ଟଙ୍କାରୁ ଶହେ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର