ପେପରଲେସ୍‌ ସ୍ବାସ୍ଥ୍ୟକେନ୍ଦ୍ର ଯୋଜନା: ବିନା ଭିତ୍ତିଭୂମିରେ ଉଦ୍‌ଘାଟନ, ଏବେ ଠପ୍

ଭୁବନେଶ୍ୱର: ରାଜଧାନୀର ସ୍ୱାସ୍ଥ୍ୟକେନ୍ଦ୍ରକୁ ଡିଜିଟାଲାଇଜେସନ୍‌ କରିବାକୁ ହୋଇଥିବା ଯୋଜନା ଏବେ ପ୍ରହସନରେ ପରିଣତ ହୋଇଛି। ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପେପରଲେସ୍‌ କରିବାକୁ ହୋଇଥିବା ଯୋଜନା ଉଦ୍‌ଘାଟନ ପରଠାରୁ କାମ କରୁନାହିଁ। ପାଇଲଟ୍‌ ପ୍ରଳକ୍ପ ଭାବେ ଘାଟିକିଆ ସ୍ବାସ୍ଥ୍ୟକେନ୍ଦ୍ରରେ ବିନା ଭିତ୍ତିଭୂମିରେ କେବଳ ଲୋକଦେଖାଣିଆ ଭାବେ ଉଦ୍‌ଘାଟନ ହେଲା ସିନା ଲୋକଙ୍କ କାମରେ ଲାଗୁନାହିଁ।

ଏହି ଯୋଜନାନୁସାରେ ରୋଗୀଜଣକ ପ୍ରଥମେ ଏକ ଧାର୍ଯ୍ୟ କାଉଣ୍ଟରରେ ପଞ୍ଜୀକରଣ କରିବେ। ସେଠାରେ ରୋଗୀଙ୍କ ନାମ, ଠିକଣା ଓ ରୋଗ ସମ୍ପର୍କରେ ଉଲ୍ଲେଖ ହେବା ପରେ ତାଙ୍କୁ ଏକ ନମ୍ବର ଥିବା ଟୋକନ ମିଳିବ। ଉକ୍ତ ଟୋକନ ଧରି ରୋଗୀ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ଯିବେ ଏବଂ ନମ୍ବର ଅନୁସାରେ ଡାକ୍ତରଙ୍କୁ ସାକ୍ଷାତ କରିବେ। ରୋଗୀଙ୍କୁ ଦେଖିସାରିବା ପରେ ଡାକ୍ତର ତାଙ୍କୁ ପୁଣି ଏକ ଟୋକନ ଦେବେ ଏବଂ ରୋଗୀ ତାହାକୁ ଧରି ଔଷଧ ବିତରଣ କା‌ଉଣ୍ଟରକୁ ଯିବେ। ସେଠାରେ ନମ୍ବର ଅନୁସାରେ ତାଙ୍କୁ ଡକାଯିବ ଏବଂ ଫାର୍ମାସିଷ୍ଟ କମ୍ପ୍ୟୁଟରରୁ ପ୍ରେସ୍‌କ୍ରିପ୍‌ସନ୍ ବାହାର କରି ତାଙ୍କୁ ଆବଶ୍ୟକ ଔଷଧ ଦେବେ। ସେହିଭଳି ଯଦି କୌଣସି ପରୀକ୍ଷା ଦରକାର ହେଉଥାଏ, ରୋଗୀ ଅନୁରୂପ ଭାବେ ଟୋକନ୍ ନେଇ ପାଥୋଲାବ୍‌କୁ ଯିବେ ଏବଂ ସେଠାରେ ବି ନମ୍ବର ଅନୁସାରେ ତାଙ୍କ ପରୀକ୍ଷା କରାଯିବ। ଏମିତି ସବୁ କାମ କେବଳ ଅନ୍‌ଲାଇନ୍‌ରେ ହେବ।

ଫଳ‌ରେ ପେପର ୱାର୍କ କମିବା ସହ ରୋଗୀଙ୍କୁ ଅଯଥାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ। ସେହିଭଳି କେହି ଗଳିପଶି ଡାକ୍ତରଙ୍କ ଅନୁକମ୍ପା ପାଇପାରିବନାହିଁ। ଏଥିପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଘାଟିକିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠା‌ରେ ଏହି ଯୋଜନା ସଫଳ ହେଲେ ରାଜଧାନୀର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ‘ପେପରଲେସ୍‌’ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଥିଲା। ବିଏମ୍‌ସି କମିସନରଏହାକୁ ଉଦ୍‌ଘାଟନ କରିଥିଲେ। ଏହାକୁ ଟ୍ବିଟର୍‌ରେ ପୋଷ୍ଟ କରାଯାଇଥିଲା ଏବଂ ଏହି ଉନ୍ନତ ପଦକ୍ଷେପ ପାଇଁ ବିଏମ୍‌ସି ମଧ୍ୟ ଖୁବ୍‌ ପ୍ରଂଶସିତ ହୋଇଥିଲା। କିନ୍ତୁ କିଛି ଦିନ ପାଇଁ ଲୋକଦେଖାଣିଆ ଟ୍ରାଏଲ୍ ବେସିସ୍‌ରେ କାର୍ଯ୍ୟ କଲା ସିନା ଏବେ ଠପ୍‌।

ସ୍ୱାସ୍ଥ୍ୟକେନ୍ଦ୍ରକୁ ଡିଜିଟାଲାଇଜେସନ କରିବା ପାଇଁ ଆବଶ୍ୟକ ଡାଟା ଏଣ୍ଟ୍ରି ଅପରେଟର, ସ୍ୱତନ୍ତ୍ର ରୁମ୍‌ ଓ ଅନ୍ୟାନ୍ୟ ଉପକରଣର ଅଭାବ ରହିଛି। ଆବଶ୍ୟକ ଭିତ୍ତିଭୂମି ନଥାଇ ତରବରିଆ ଭାବେ ବାହାବା ପାଇଁ ନୂଆ ବ୍ୟବସ୍ଥା କରିବା କେତେ ଦୂର ଠିକ୍‌ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ କହିବା ଅନୁଯାୟୀ ଟ୍ରାଏଲ୍‌ ବେସିସ୍‌ରେ ଏହି ଯୋଜନାର ସଫଳତା ମିଳିଥିଲା। କିନ୍ତୁ ଡିଜିଟାଲ ବ୍ୟବସ୍ଥା ପାଇଁ କର୍ମଚାରୀ ଅଭାବ ସମସ୍ୟା ସୃଷ୍ଟି କରିଛି। ଜଣେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି କରିବା ପାଇଁ ଆବେଦନ କରାଯାଇଛି ଏବଂ ଦୁଇ ମାସ ମଧ୍ୟରେ ନିଯୁକ୍ତି ମିଳିଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର