ପପୁ ଜେନା ହତ୍ୟା ମାମଲା : ୬ ଦିନ ବିତିଗଲା, ହତ୍ୟାକାରୀଙ୍କ ମିଳୁନି ପତ୍ତା, ମୁମ୍ବାଇ, କୋଲକାତାରୁ ଫେରିଲା ପୁଲିସ ଟିମ୍

ପରିବାର ଓ ସାଙ୍ଗସାଥୀଙ୍କ ହେଉଛି ମୋବାଇଲ୍‌ ଟ୍ରାକିଂ, ଝାରପଡ଼ା ଜେଲରେ ଅନ୍ୟ କଏଦୀଙ୍କୁ ପଚରାଉଚରା

ଭୁବନେଶ୍ବର : ଖଣ୍ଡଗିରି ଥାନା ଅଧୀନ ବା‌ହାଦଲପୁର ଅନୀଲ ଜେନା ଓରଫ ପପୁ ହତ୍ୟା ଘଟଣାକୁ ୬ ଦିନ ବିତି ଗଲା। ପୁଲିସ ବାପିର ସମସ୍ତ ସମ୍ଭାବ୍ୟ ଆଡ଼ା, ଖୋର୍ଧା ଓ ପୁରୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଖାଲି ହାତରେ ଫେରି ଆସିବା ପରେ ରାଜ୍ୟ ବାହାର ମୁମ୍ବାଇ ଓ କୋଲାକାତା ଯାଇଥିବା ଟିମ୍ ମଧ୍ୟ ଆଜି ଭୁବନେଶ୍ବର ଫେରି ଆସିଛି। ଏଭଳି ସ୍ଥିତିରେ ହତ୍ୟାକାରୀ ବାପି ଓ ହାପି କେଉଁଆଡ଼େ ଗାଏବ ହୋଇଗଲେ, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଜୋର୍‌ ଧରିଛି। ସେହିପରି ଆଜି ପୁଲିସ୍‌ର ଏକ ଟିମ ଝାରପଡ଼ା ଜେଲ ଯାଇ ବାପି ସାଥିରେ ଥିବା ଅନ୍ୟ ବିଚାରାଧୀନ କଏଦୀଙ୍କୁ ବାପି ସମ୍ପର୍କରେ ପଚରାଉଚରା କରିଛି। ପୁଲିସ ସେହି ତଥ୍ୟକୁ ଆଧାର କରି ବାପି ଓ ହାପିକୁ କାବୁ କରିବାକୁ ବ୍ରହ୍ମପୁର ଯାଇଛି। ସେହିପରି ଥାନାରେ ଅଟକ ଥିବା ଆଲୋକକୁ ମଧ୍ୟ ପୁଲିସ ବିଭିନ୍ନ ସମୟରେ ବାପି ଓ ହାପି ସମ୍ପର୍କରେ ପଚରାଉଚରା କରୁଛି।

ପୂର୍ବରୁ ସୋନୁ ହତ୍ୟା ଘଟଣାରେ ବାପି, ସଂଜୟ ଓ ସାଗର ନାମକ ୩ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ଏବେ ସେହି ଅଭିଯୁକ୍ତମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି। ସେମାନେ ଏବେ କେଉଁଠି ? ବାପି ଜାମିନ ପାଇ ଯାଇଛି, କିନ୍ତୁ ସଂଜୟ ଓ ସାଗର ଜାମିନ ପାଇଛନ୍ତି ନା ନାହିଁ, ସେ ସମ୍ପର୍କରେ ପୁଲିସ ତଥ୍ୟ ସଂଗ୍ରହ କରୁଛି। ଯଦି ସଂଜୟ ଓ ସାଗର ଜାମିନ ପାଇଛନ୍ତି, ସେମାନେ ଏବେ କେଉଁଠି? କ’ଣ କରୁଛନ୍ତି? ବାପି ସେମାନଙ୍କ ସହିତ ଯୋଗାଯୋଗରେ ଅଛି କିମ୍ବା ନାହିଁ; ସେ ସମ୍ପର୍କରେ ପୁଲିସ ଖୋଳତାଡ଼ କରୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେହିପରି ପୁଲିସ ବାପି ଓ ହାପିଙ୍କ ପରିବାରଲୋକ ଓ ସାଙ୍ଗସାଥୀଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ଟ୍ରାକ୍‌ କରିବା ଆରମ୍ଭ କରିଛି। ପୁଲିସ ସନ୍ଦେହ କରୁଛି ବାପି ଓ ହାପି ଫେରାର ଥାଇ ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି ବୋଲି।

ଏ ସମ୍ପର୍କରେ କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଘଟଣାର ଖୁବ୍ ଶୀଘ୍ର ପର୍ଦାଫାସ ହେବ। ତେବେ ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି, ପୁଲିସ ବାପି ଓ ହାପିଙ୍କୁ ଠାବ କରିସାରିଛି। ଦୁହିଁଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପୁଲିସ ଜେରା କରୁଛି। ଅନ୍ୟପକ୍ଷରେ ଗାଁରେ ନିଶା କାରବାରକୁ ନେଇ ହତ୍ୟା ଭଳି ଘଟଣା ଘଟିବା ପରେ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀମାନେ ଏକାଠି ହୋଇ ଶପଥ କରିଛନ୍ତି ଯେ ନିଶା କାରବାରକୁ ପ୍ରଶ୍ରୟ ଦେବେ ନାହିଁ। ପୁଲିସକୁ ମଧ୍ୟ ସହଯୋଗ କରିବେ।

ଦୁଇ ସପ୍ତାହରେ ଦୁଇ ହତ୍ୟାକାଣ୍ଡ, ଦୁଇ ଜଣକୁ ହତ୍ୟା ଉଦ୍ୟମ
ଦୀପାବଳିରୁ କାର୍ତିକ ପୂଣ୍ଣିମା; ଦୁଇ ସପ୍ତାହ। ଏହି ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଦୁଇଟି ହତ୍ୟାକାଣ୍ଡ ଘଟିଗଲା ଓ ଦୁଇ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଗଲେ। ପ୍ରଥମେ ଦୀପାବଳି ରାତିରେ ଏୟାରଫିଲ୍ଡ ଥାନା ଅଧୀନ କପିଳପ୍ରସାଦ ବିଡିଏ କଲୋନିରେ ଅମରେଶ ନାୟକ ନାମକ ଜଣେ ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଗଲା। ପୁଲିସ ଏହି ଘଟଣାରେ ଶଙ୍କର ବସ୍ତିଆ, ଜଗଦୀଶ ଗଜେନ୍ଦ୍ର ଓ ଜି‌ତନ୍ଦ୍ରେ ମଲ୍ଲିକକୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତ ଏବେ ବି‌‌ ଫେରାର୍‌। ସେହିପରି ଚଳିତ ମାସ ୬ ତାରିଖରେ ନୂଆପଲ୍ଲୀ ଥାନା ଅଧୀନ ପାସପୋର୍ଟ କାର୍ଯ୍ୟାଳୟ ନିକଟରେ ଅଭୟ ନାୟକ ନାମକ ଜଣେ ଯୁବକକୁ ଦୁଇ ଭାଇ ଛୁରିରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ପୁଲିସ ଇନ୍ସପେକ୍ଟର ଅରୁଣ ସ୍ବାଇଁ ସେହି ରାସ୍ତାରେ ଯାଉଥିବା ବେଳେ ଅଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ୫ଦିନ ତଳେ ଖଣ୍ଡଗିରି ଥାନା ଅଧୀନ ବାହାଦଲପୁରରେ ଘଟିଲା ଏକ ହତ୍ୟାକାଣ୍ଡ ଓ ହତ୍ୟା ଉଦ୍ୟମ। ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପୁଅ ପପୁର ମୃତ୍ୟୁ ଘଟିଥିବା ବେଳେ ବାପା ଅଭିମନ୍ୟୁ ଏବେ ବି ଚିକିତ୍ସାଧୀନ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏଭଳି ଘଟଣା ସହରବାସୀଙ୍କୁ ଚିନ୍ତା‌ରେ ପକାଇଛି।

ହତ୍ୟାକାଣ୍ଡ ପରେ ଚେତିଲା ପୁଲିସ
ମାତ୍ର ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ ପରେ କମିସନରେଟ ପୁଲିସ ଚେତିଛି। ଏବେ ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏନ୍‌ଏସ୍‌ଏ ଲଗାଇବା ସହ ତଡ଼ିପାର୍‌ କରିବାକୁ ଯୋଜନା କରିଛି। କିଛି ଦିନ ରାଜୁ ପଠାନ ନାମକ ଜଣେ ଅପରାଧୀକୁ ଏନ୍‌ଏସ୍‌ଏ ଲାଗୁ କରାଯାଇଥିବା ବେଳେ ଗତକାଲି କଟକର ଦୁର୍ଦନ୍ତ ଅପରାଧୀ ସୁଭାଶିଷ ଖୁଣ୍ଟିଆ ଓରଫ ଗୁଗୁ ବିରୋଧରେ ଲାଗୁ ହୋଇଛି। ଆଗାମୀ ଦିନରେ ଆହୁରି ୧୦ରୁ ୧୫ଜଣ ଅପରାଧୀଙ୍କ ବିରୋଧରେ ଏଭଳି ଏନ୍‌ଏସ୍‌ଏ ଲାଗୁ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଚିନ୍ତାରେ ସ୍ପେସାଲ ସ୍କ୍ବାଡ୍
ଲୁଟ ହେଉ ବା ଚୋରି, କିମ୍ବା ଡକାୟତି। ଗୁଳିମାଡ଼ ହେଉ କିମ୍ବା ହତ୍ୟା, ସବୁଥିରେ ଏବେ ସ୍ପେସାଲ ସ୍କ୍ବାଡ୍‌ ଖୋଜା ପଡ଼ୁଛି। ଯାହାକୁ ନେଇ ସ୍ପେସାଲ ସ୍କ୍ବାଡ ଚିନ୍ତାରେ। ଗତ ଦୁଇ ସପ୍ତାହ ମଧ୍ୟରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନା ମୃତ୍ୟୁ ମାମଲା, ଅମରେଶ ହତ୍ୟାକାଣ୍ଡ ଓ ପପୁ ହତ୍ୟାକାଣ୍ଡ ଭଳି ଘଟଣା ଘଟିଗଲା। ସବୁ ମାମଲାର ତଦନ୍ତ ଭାର ସ୍ପେସାଲ ସ୍କ୍ବାଡ୍‌ ଉପରେ। ଏକାବେଳକେ ଏତେଗୁଡ଼ାଏ ମାମଲାର ତଦନ୍ତ ଭାରକୁ ନେଇ ଚିନ୍ତାରେ ସ୍ପେସାଲ ସ୍କ୍ବାଡ୍‌ କର୍ମଚାରୀ। କାରଣ ଏବେ ସ୍କ୍ବାଡ୍‌ରେ ଯେତିକି କର୍ମଚାରୀ ରହିବା କଥା ନାହାନ୍ତି, ଚଢ଼ଉ ପାଇଁ ଗାଡ଼ିର ମଧ୍ୟ ଅଭାବ ରହିଛି। ଏହିଭଳି ଅନେକ ସମସ୍ୟା‌‌‌ରେ ଯୁଝି ହେଉଛି କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍‌।

ସମ୍ବନ୍ଧିତ ଖବର