ପପୁ ହତ୍ୟାକାଣ୍ଡକୁ ମାସେ ପୂରିଲା, ଧରା ପଡ଼ିଲେନି ୩ ଅଭିଯୁକ୍ତ

ଖଣ୍ଡଗିରି : ଆସନ୍ତାକାଲିକୁ ମାସେ ପୂରିବ। ମାତ୍ର ସ୍ଥାନୀୟ ବାହାଦଲପୁର ଅନିଲ ଜେନା ଓରଫ ପପୁ ହତ୍ୟାକାଣ୍ଡର ୩ ଅଭିଯୁକ୍ତଙ୍କୁ କମିସନରେଟ୍‌ ପୁଲିସ ଧରି ପାରିଲା ନାହିଁ। ମୁଖ୍ୟ ଅଭିଯୁକ୍ତ ଭରତ ସାହୁ ଓରଫ ବାପି ଓ ତାର ଦୁଇ ସହଯୋଗୀ ହାପି ଓ ଆଲୋକର ପତ୍ତା ପାଇନାହିଁ ପୁଲିସ। ଖଣ୍ଡଗିରି ଥାନା ପୁଲିସ ସହ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ବଛା ବଛା ପୁଲିସ ଅଧିକାରୀମାନେ ଏହି ମାମଲାରେ ଅପରାଧୀମାନଙ୍କ ପିଛା କରୁଥିଲେ ବି ବାପି ଗ୍ୟାଙ୍ଗ୍‌କୁ ଠାବ କରିବା ସମ୍ଭବ ହୋଇନାହିଁ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସର ସମସ୍ତ ଆଧୁନିକ ଜ୍ଞ‌ାନକୌଶଳ ଫେଲ୍ ମାରିଛି। ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୂର୍ବ ଶତ୍ରୁତା ଓ ବ୍ରାଉନ୍ ସୁଗାର ବେପାର ପ୍ରତିରୋଧକୁ ନେଇ ଟାର୍ଗେଟ୍‌ରେ ଥିବା ପପୁଙ୍କୁ ତାଙ୍କ ନିଜ ଘର ପାଖରେ ବାପି ଅତି ନିକଟରୁ ଗୁଳି କରିଥିଲା। ଛାତିକୁ ଲକ୍ଷ୍ୟ କରି ୨ ରାଉଣ୍ଡ ଗୁଳି କରିବାରୁ ପପୁଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଘଟଣାସ୍ଥଳକୁ ପପୁଙ୍କ ବାପା ଅଭିମନ୍ୟୁ ଜେନା ଧାଇଁ ଆସିବାରୁ ବାପି ତାଙ୍କ ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲା। ଫଳରେ ସେ ମଧ୍ୟ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର