ଖଣ୍ଡଗିରି : ସ୍ଥାନୀୟ ଆଇଗିଣିଆରେ ଏକ ଘରବାରି ପ୍ଲଟ୍‌କୁ ନେଇ ହାସ୍ୟ ଅଭିନେତା ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌ଙ୍କୁ ବାରମ୍ବାର ଧମକ ଦିଆଯାଉଛି। ଜଣେ ଅପରିଚିତ ବ୍ୟକ୍ତି ତାଙ୍କୁ ଧମକ ଦେଉଛି। ଏ ନେଇ ସୋମବାର ପପୁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ସେହି ଅଜଣା ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଥିଲେ ବି ତା’ର ପତ୍ତା ମିଳି ନଥିବା ଜଣାପଡ଼ିଛି।

Advertisment

ପପୁଙ୍କ ଅଭିଯୋଗ ଅନୁସାରେ ସେ ୨୦୧୨ରେ ଆଇଗିଣିଆରେ ଏକ ପ୍ଲଟ୍‌ କିଣିଥିଲେ। ୫୪ ଡିସିମିଲି ପରିମିତ ଏହି ପ୍ଲଟ୍‌ରେ ଏବେ ସେ ଗୃହ ନିର୍ମାଣ କରାଉଛନ୍ତି। କିନ୍ତୁ ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳର ଜଗବନ୍ଧୁ ଜେନା ନାମକ ଜଣେ ବ୍ୟକ୍ତି ନିର୍ମାଣ କାମ କରାଇ ଦେଉନାହାନ୍ତି। କାମରେ ଲାଗିଥିବା ଶ୍ରମିକମାନଙ୍କୁ ଧମକ ଦେଇ ବିଦା କରାଇ ଦେଉଛନ୍ତି। ଫଳରେ ତାଙ୍କ ଘର କାମ ଆଗେଇ ପାରୁନାହିଁ। ଗଣ୍ଡଗୋଳ ଖବର ପାଇ ସେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଜଗବନ୍ଧୁ ଓ ତାଙ୍କ ଲୋକେ ପ୍ଲଟ୍‌ ଉପରୁ ପଳାଇ ଯାଉଛନ୍ତି। ପପୁଙ୍କ କହିବା କଥା ଜଗବନ୍ଧୁ କେବେ ବି ସମ୍ମୁଖକୁ ଆସି କଥାବାର୍ତା କରୁନାହାନ୍ତି। ଯଦି ଉକ୍ତ ପ୍ଲଟ୍‌ରେ ତାଙ୍କର କୌଣସି ମାଲିକାନା ସ୍ୱତ୍ୱ ରହୁଛି, ତେବେ ସେ ରେକର୍ଡପତ୍ର ଧରି ଆସି କଥାବାର୍ତା କରିବା କଥା। ମାତ୍ର ଜଗବନ୍ଧୁ ସେ ଭଳି କିଛି ନକରି ଦାଦାଗିରି କରି କାମ ବନ୍ଦ କରାଉଛନ୍ତି। ପୁଲିସ ସୂଚନାନୁସାରେ ପପୁ ଯେଉଁ ଜଗବନ୍ଧୁ ଜେନାଙ୍କ ନାମରେ ଏତଲା କରିଛନ୍ତି, ସେହି ଠିକଣାରେ ତାଙ୍କୁ ଖୋଜା ଚାଲିଛି। ଜଗବନ୍ଧୁଙ୍କୁ ପଚରାଉଚରା କରାଯିବା ପରେ ପ୍ରକୃତ ସତ୍ୟ କ’ଣ ଜଣାପଡ଼ିବ।