ପପୁଙ୍କ ବିବାଦ: ରାନୁ ମଣ୍ଡଳଙ୍କୁ ତାଚ୍ଛଲ୍ୟ, ପବ୍ଲିସିଟି ନା ପ୍ରବୃତ୍ତି

ଭୁବନେଶ୍ବର: ଓଲିଉଡ୍‌ ହାସ୍ୟ ଅଭିନେତା ତତ୍ତ୍ବପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌ଙ୍କୁ ବିବାଦ ପିଛା ଛାଡ଼ୁନି। ସପ୍ତାହେ ତଳେ ଏକ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦ ଓ ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କୁ ନ୍ୟୁଜ୍‌ ଚ୍ୟାନେଲ୍‌ରେ କ୍ଷମା ମାଗିବା ନେଇ ଚର୍ଚ୍ଚା ନ ଥମୁଣୁ ଏବେ ଆଉ ଏକ ବିବାଦ ତାଙ୍କ ନାମରେ ଯୋଡ଼ି ହୋଇଯାଇଛି। ନିଜ ପ୍ରତିଭା ବଳରେ ହାୱଡ଼ା ରେଳ ଷ୍ଟେସନ୍‌ରୁ ମୁମ୍ବାଇର ଗୀତ ରେକର୍ଡିଂ ଷ୍ଟୁଡିଓରେ ପହଞ୍ଚିଥିବା ରାନୁ ମଣ୍ଡଳଙ୍କୁ ତାଚ୍ଛଲ୍ୟ କରି ଫସିଛନ୍ତି ପପୁ। ରାନୁ ଗାଇଥିବା ଗୀତ ‘ତେରି ମେରି କାହାନୀ’ର ଭିଡିଓକୁ ସେ ନକଲ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ରାନୁଙ୍କ ଭଳି ପପୁ ଏକ ହଳଦିଆ ଶାଢ଼ି ପିନ୍ଧି ଲମ୍ବା କେଶ ଲଗାଇ ରାନୁ ମଣ୍ଡଳ ସାଜିଛନ୍ତି। ତାଙ୍କ ପାଖରେ ସଂଗୀତ ନିର୍ଦ୍ଦେଶକ ହିମେଶ ରେସମିଆଙ୍କ ଭୂମିକାରେ ଆଉ ଜଣେ ଯୁବକ ଠିଆ ହୋଇ ପ୍ରୋତ୍ସାହନ ଦେଉଛନ୍ତି। ପପୁଙ୍କ ଏଭଳି କାଣ୍ଡକୁ ସୋସିଆଲ ମିଡିଆରେ ତୀବ୍ର ବିରୋଧ କରାଯିବା ସହ ନାରୀ ଓ ଗରିବକୁ ସେ ଉପହାସ କରିଛନ୍ତି ବୋଲି ଅନେକେ ମତ ଦେଇଛନ୍ତି। ଖାଲି ସେତିକି ନୁହେଁ, ପପୁଙ୍କ ଏହି ଆଚରଣ ପାଇଁ ତାଙ୍କ ବିରୋଧରେ କଟକ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦିଆଯାଇଛି। ତେବେ ଗୋଟିକ ପରେ ଗୋଟିଏ ବିବାଦରେ ଛନ୍ଦି ହେବା ପବ୍ଲିସିଟି ନା ପପୁଙ୍କ ପ୍ରବୃତ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅପରପକ୍ଷେ ସୋସିଆଲ୍‌ ମିଡିଆରେ ପପୁଙ୍କୁ ତୀବ୍ର ବିରୋଧ ପରେ ସେ ମୁହଁ ଖୋଲିଛନ୍ତି। କହିଛନ୍ତି, ମୁଁ ମଧ୍ୟ ରାନୁ ମଣ୍ଡଳଙ୍କୁ ପ୍ରଶଂସା ଓ ସମ୍ମାନ କରେ। ରାନୁଙ୍କ ନକଲ କରି ଅଭିନୟ କରିବା ମୁଁ ତାଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ କରି ନାହିଁ। ଏମିତି ୧୦ହଜାରରୁ ଊର୍ଧ୍ବ ଲୋକ ତାଙ୍କର ନକଲ କରିଛନ୍ତି। ଟିକଟକ୍‌ରେ ଏମିତି ଅନେକ ଭିଡିଓ ପୋଷ୍ଟ ଓ ସେୟାର ବି ହୋଇଛି। ଲୋକମାନେ ବଡ଼ବଡ଼ କଳାକାର, ପ୍ରତିଭାମାନଙ୍କର ମିମିକ୍ରି କରନ୍ତି। ରାନୁଙ୍କୁ ମିମିକ୍ରି କରିବା ଦ୍ବାରା ତାଙ୍କର ଅଧିକ ପ୍ରସାରପ୍ରଚାର କରାଯାଉଛି। ଏଥିରେ ସମସ୍ୟା ‌କେଉଁଠି ରହିଲା ବୋଲି ସେ ସଫେଇ ଦେଇଛନ୍ତି। ଯେଉଁମାନେ ଏହାକୁ ନେଇ ତର୍ଜମା କରୁଛନ୍ତି, ସେମାନେ ପ୍ରଥମେ ଏହି ଭିଡିଓ ଭାଇରାଲ୍‌କୁ ବନ୍ଦ କରନ୍ତୁ ବୋଲି ପପୁ କହିଛନ୍ତି।

କାଷ୍ଟିଂ କାଉଚ୍‌ ଅଭିଯୋଗ
କାଷ୍ଟିଂ କାଉଚ୍‌ ମାମଲାରେ ଛନ୍ଦି ହୋଇଥିବା ପପୁ ଗତ ୨୦୧୬ ଜୁନ୍‌ ୩୦ରେ ଗିରଫ ହୋଇଥିଲେ। ପପୁ ଜଣେ ନାବାଳିକାଙ୍କୁ ଅଭିନୟର ପ୍ରଲୋଭନ ଦେଖାଇ ଯୌନଶୋଷଣ କରିଥିବା ଅଭିଯୋଗ ‌େହାଇଥିଲା। ଏନେଇ ନାବାଳିକାଙ୍କ ପରିବାର ମହିଳା ଥାନାରେ ଅଭିଯୋଗ କରିଥିଲା। ଏହାପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପପୁଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା। ଶେଷରେ କମିସରେଟ୍‌ ପୁଲିସ ପପୁଙ୍କୁ ପୁରୀ ନୀଳାଚଳ ଆପାର୍ଟମେଣ୍ଟରୁ ଗିରଫ କରିଥିଲା।

ତୁଳସୀ ଓ ଜଗନ୍ନାଥଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ
୨୦୧୬ ମସିହା ପୁରୀରେ ଚାଲିଥିବା ଏକ ଷ୍ଟେଜ୍‌ ସୋ’ କାର୍ଯ୍ୟକ୍ରମରେ ପପୁ ତୁଳସୀ ଏବଂ ଜଗନ୍ନାଥଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଆଉ ଏଥିପାଇଁ ପପୁଙ୍କୁ ହଟହଟା ହେବାକୁ ପଡ଼ିଥିଲା। ସୁଟିଂ ସାରି ଫେରୁଥିବା ବେଳେ ପପୁଙ୍କ ଉପରକୁ ଲୁଲୁ ସେନା ପକ୍ଷରୁ କାଳିମାଡ଼ କରଯାଇଥିଲା। ପପୁଙ୍କ କାନ ମୋଡ଼ି ମାଡ଼ ମଧ୍ୟ ମାରିଥିଲେ।

‘ମିଷ୍ଟର କହ୍ନେୟା’ର ପୋଷ୍ଟର୍‌
ଗଣେଶ ପୂଜା‌ରେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ଏକ ପୋଷ୍ଟରରେ ୭ଜଣ ଝିଅ ଆଣ୍ଠେଇ ଥିବା ବେଳେ ପପୁ ସେମାନଙ୍କ ପଛରେ ଠିଆ ହୋଇ ହାତରେ ଲଗାମ ଧରିଛନ୍ତି। ଏଭଳି ପୋଷ୍ଟର୍‌ ନାରୀଙ୍କୁ ଅସମ୍ମାନ ବୋଲି ଅଭିଯୋଗ କରି ସମାଜସେବୀ ଲିଙ୍କନ ସୁବୁଦ୍ଧି ମହିଳା ଥାନା ଓ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଥିଲେ। ଏନେଇ ପପୁଙ୍କ ବିରୋଧରେ ମହିଳା ଥାନାରେ ମାମଲା ହୋଇଛି। ତେବ ଏହି ପୋଷ୍ଟର୍‌କୁ ନେଇ ଅଲିମ୍ପିଆନ୍‌ ଦୂତି ଚାନ୍ଦ ପ୍ରତିକ୍ରିୟା ପ୍ରକାଶ କରିବାରୁ ପପୁ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ବିବାଦ ଘେରକୁ ଆସିଥିଲେ। ଶେଷରେ ଏକ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ରେ କ୍ଷମା ମାଗି ମାନହାନି ମକଦ୍ଦମାରୁ ବର୍ତ୍ତି ଯାଇଥିଲେ।

‌ଗୋଇଠା ମାରି କ୍ଷମା ଭିକ୍ଷା
ପପୁଙ୍କର ଏ ପ୍ରକାର ଅଭ୍ୟାସଗତ ମହିଳା ବିରୋଧୀ ଟିପ୍ପଣୀ ଏବଂ ତାଚ୍ଛଲ୍ୟ ଏକ ନିନ୍ଦନୀୟ ଘଟଣା। ପପୁଙ୍କ ଏଭଳି ବ୍ୟବହାର ପ୍ରଦର୍ଶନ ସମାଜ ପାଇଁ ଶୁଭଙ୍କର ନୁହେଁ। ସେ ତାଙ୍କ ନିଜର ବ୍ୟକ୍ତିଗତ ପ୍ରଭାବ ଉଦ୍ଦେଶ୍ୟରେ ବାରମ୍ବାର ଏପରି କରୁଛନ୍ତି। ଲୋକଙ୍କୁ ଗୋଇଠା ମାରି ପ୍ରତିବାଦ ସ୍ବର ଉଠିବା ପରେ କ୍ଷମାଭିକ୍ଷା; ଏହା ପୁପଙ୍କ ଅଭ୍ୟାସଗତ ରୋଗରେ ପରିଣତ ହେଲାଣି। ଜଣେ କଳାକାରଙ୍କ ଭିତରେ ଏଭଳି ପ୍ରଦର୍ଶନ ଗ୍ରହଣୀୟ ନୁହେଁ।

ଦିଲ୍ଲୀପ ହାଲି, ସିନେ ସମୀକ୍ଷକ
ମିମିକ୍ରି ଏକ ପରିହାସ ଭଳି ଲାଗୁଛି
ରାନୁ ମଣ୍ଡଳ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ଏଥିପାଇଁ ତାଙ୍କୁ ବହୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ପପୁଙ୍କ ଦ୍ବାରା କରାଯାଇଥିବା ରାନୁଙ୍କ ମିମିକ୍ରି ଭିଡିଓ ଏକ ପରିହାସ ଭଳି ଲାଗୁଛି। ମିମିକ୍ରି ଗୋଟିଏ କଳା। ଏହାକୁ ଭଲ ଭାବେ ପ୍ରଦର୍ଶନ କରାଯିବା ଉଚିତ।

ଅନୁ ଚୌଧୁରୀ, ଅଭିନେତ୍ରୀ
ଆଦୌ ଶୋଭନୀୟ ନୁହେଁ
ମିମିକ୍ରି ଅପରାଧ ନୁହେଁ। କିନ୍ତୁ ଏମିତି କରାନଯାଉ ଯାହା ଅନ୍ୟକୁ ତାଚ୍ଛଲ୍ୟ କରୁଥିବ। ରାନୁ ମଣ୍ଡଳ ଆଜି ତା‌ଙ୍କର ପ୍ରତିଭା ବଳରେ ସାରା ଭାରତରେ ଉଦାହରଣ ସୃଷ୍ଟି କରିଛନ୍ତି। କିନ୍ତୁ ଜଣେ ହାସ୍ୟ ଅଭିନେତା ଭାବେ ପପୁ ଏଭଳି ମିମିକ୍ରି କରିବା ଆଦୌ ଶୋଭନୀୟ ନୁହେଁ।

ପିଙ୍କି ପ୍ରଧାନ, ଅଭିନେତ୍ରୀ

ସମ୍ବନ୍ଧିତ ଖବର