ପାରଳା ଗଜପତି ବିକାଶ ମଞ୍ଚର ଦ୍ବିତୀୟ ବାର୍ଷିକୋତ୍ସବ : ଭାଷାଭିତ୍ତିକ ପ୍ରଦେଶ ପାଇଁ ମନେ ରହିବେ କୃଷ୍ଣଚନ୍ଦ୍ର

ଭୁବନେଶ୍ବର : ଦେଶରେ ଭାଷା ଭିତ୍ତିକ ପ୍ରଦେଶ ଗଠନରେ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସର୍ବଦା ସ୍ମରଣୀୟ। ଓଡ଼ିଆଙ୍କ ଅସ୍ତିତ୍ବ ଓ ଅସ୍ମିତା ପାଇଁ ତାଙ୍କର ଅବଦାନକୁ ଏ ଜାତି ଭୁଲିପାରିବ ନାହିଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ପାରଳା ଗଜପତି ବିକାଶ ମଞ୍ଚର ୨ୟ ବାର୍ଷିକ ଉତ୍ସବକୁ ଉଦଘାଟନ କରି ପ୍ରଫେସର ଲାଲ କହିଲେ, ବ୍ରହ୍ମାଣ୍ଡରେ ଓଡ଼ିଶା ହେଉଛି ନିଜେ କୋହିନୂର। ଏହା ଏମିତି ଏକ ରାଜ୍ୟ ଯେଉଁଠି, ଅଫିସ୍‌ରେ ଚା ଦେଉଥିବା ବ୍ୟକ୍ତିଟିଏ ମଧ୍ୟ ଭଲ କବିତା ରଚନା କରିପାରୁଛି।

ବିକାଶ ମଞ୍ଚର ସଭାପତି ରାସବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବି ପ୍ରଫେସର ବିପିନ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାର ଶିକ୍ଷା ମାନଚିତ୍ରକୁ ପାରଳା ଗଜପତିଙ୍କ ଅବଦାନ ସମ୍ପର୍କରେ କହିଥିଲେ। ବିଧାୟକ କେ.ନାରାୟଣ ରାଓ, ଶିକ୍ଷାବିତ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡା, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ଭୃଗୁ ବକ୍ସିପାତ୍ର ପ୍ରମୁଖ ଯୋଗଦେଇ ପାରଳା ଗଜପତିଙ୍କ ବ୍ୟକ୍ତିତ୍ବ ଓ ଓଡ଼ିଶା ପାଇଁ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାମାନନ୍ଦ ଦାସଜୀ ମହାରାଜ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୌରଚନ୍ଦ୍ର ପଣ୍ଡା, ଇଂ ତୀର୍ଥବାସୀ ପଣ୍ଡା, ଅମର ପାଢ଼ୀ, ମୁରଲୀଧର ପରିଚ୍ଛା ଓ ନିହାର ରଂଜନ ପଣ୍ଡାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାଧାରଣ ସମ୍ପାଦକ ରାଜକିଶୋର ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ ସହ ପାରଳାଖେମୁଣ୍ଡି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ କେତେକ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ମଞ୍ଚର ମୁଖପତ୍ର ‘ପୁଣ୍ୟପୀଠ’ ଲୋକାର୍ପିତ ହୋଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର