ସ୍ୱାବ୍ ସଂଗ୍ରହର ମୁଖ୍ୟ ଭୂମିକାରେ ପାରା- ମେଡିକାଲ କର୍ମଚାରୀ

ଏମାନେ ବି ନିଆରା କରୋନା ଯୋଦ୍ଧା
ପ୍ରତି ୧୫ଦିନରେ ଥରେ ପରସ୍ପରର କରୁଛନ୍ତି ସ୍ବାବ୍ ପରୀକ୍ଷା
ଅସ୍ଥାୟୀ ନିଯୁକ୍ତି ସତ୍ତ୍ବେ ନିଷ୍ଠାର ସହ କରୁଛନ୍ତି ସେବା

ଭୁବନେଶ୍ବର : କରୋନା ମହାମାରୀ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ। ସେ ଡାକ୍ତର ହୁଅନ୍ତୁ କିମ୍ବା ନର୍ସ ବା ପାରା ମେଡିକାଲ କର୍ମଚାରୀ। ଏହି ଆଗଧାଡ଼ିର ଯୋଦ୍ଧାମାନେ ଲୋକମାନଙ୍କ ସ୍ବାବ୍ ସଂଗ୍ରହ କରିବାଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସାରେ ଆଗେଇ ଆସିଛନ୍ତି। ରୋଗୀଙ୍କ ସହ ରହୁଥିବା ଡାକ୍ତର ଓ ନର୍ସ ସବୁବେଳେ ଚର୍ଚାରେ ରହିଛନ୍ତି। ମାତ୍ର ସ୍ବାବ୍ ସଂଗ୍ରହ ଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରୁଥିବା ପାରା ମେଡିକାଲ କର୍ମଚାରୀ ଲୋକଲୋଚନକୁ ଆସିପାରୁ ନାହାନ୍ତି। ସ୍ବାବ୍ ସଂଗ୍ରହ ଭଳି ଏକ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହୋଇଥିବା ପାରା ମେଡିକାଲ କର୍ମଚାରୀ ବି ଅନ୍ୟତମ ପ୍ରମୁଖ ଯୋଦ୍ଧା ସାଜିଛନ୍ତି। କାରଣ ସେମାନେ ଲୋକଙ୍କ ସ୍ବାବ୍ ସଂଗ୍ରହ କରିବା ପରେ ହିଁ, ତାହା ପରୀକ୍ଷା ପାଇଁ ପଠାଯାଇଥାଏ। ପରବର୍ତୀ ସମୟରେ ଏହି ନମୁନା ପଜିଟିଭ୍ କିମ୍ବା ନେଗେଟିଭ୍ ବୋଲି ସ୍ପଷ୍ଟ ହୋଇଥାଏ।

ରାଜ୍ୟରେ କରୋନା ଧୀରେ ଧୀରେ କାୟା ବିସ୍ତାର କରିବାକୁ ଆରମ୍ଭ କରିବା ପରେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଅସ୍ଥାୟୀ ଭାବେ ଡାକ୍ତର, ଷ୍ଟାଫ୍ ନର୍ସ ଓ ପାରା ମେଡିକାଲ କର୍ମଚାରୀମାନଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଦେଇଥିଲେ। ଏହି ସମୟରେ ଅନେକ ପାରା ମେଡିକାଲ କର୍ମଚାରୀ ବିଶେଷକରି ଲାବୋରେଟାରି ଟେକ୍‌ନିସିଆନ୍ ବା ଏଲ୍‌ଟି କାର୍ଯ୍ୟରେ ଯୋଗ ଦେଇଥିଲେ। ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲରେ ଏହିଭଳି ଅନେକ ଏଲ୍‌ଟିଙ୍କୁ ଏପ୍ରିଲ ମାସରେ ନିଯୁକ୍ତି ଦିଆଯାଇଥିଲା। ଏବେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଏଲ୍‌ଟି ଓ କୋଭିଡ ପାଇଁ ନିୟୋଜିତ ଏଲ୍‌ଟିମାନେ ସ୍ବାବ୍ ସଂଗ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍ଆର ପକ୍ଷରୁ ଦେଶବ୍ୟାପୀ ରାପିଡ୍‌ ଟେଷ୍ଟିଂ ଆରମ୍ଭ କରାଯାଇଥିଲା। ଏହି ସମୟରେ ସ୍ବତନ୍ତ୍ରଭାବେ ନିଯୁକ୍ତ ଏଲ୍‌ଟିମାନଙ୍କୁ ରାପିଡ୍ ଟେଷ୍ଟିଂରେ ନିୟୋଜିତ କରାଯାଇଥିଲା।

ମାତ୍ର ୨/୩ଦିନ ଏଥିରେ କାମ କରିଥିଲେ ଏଲ୍‌ଟିମାନେ। କିନ୍ତୁ ଏହି ପରୀକ୍ଷାକୁ ବିବାଦୀୟ ପରିସ୍ଥିତିରେ ଦେଶବ୍ୟାପୀ ବନ୍ଦ କରାଯିବା ପରେ ଏଲ୍‌ଟିମାନଙ୍କୁ ସ୍ବାବ୍ ସଂଗ୍ରହରେ ନିୟୋଜିତ କରାଯାଇଥିଲା। ଏବେ ସେମାନେ ସବୁଦିନ ସ୍ବାବ୍ ସଂଗ୍ରହ କାର୍ଯ୍ୟରେ ଲାଗିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଅଧୀନରେ କାର୍ଯ୍ୟରତ ଏଲ୍‌ଟିମାନେ ନିଜର ଏହି ଅଭିଜ୍ଞତା ‘ସମ୍ବାଦ’କୁ ବଖାଣିଛନ୍ତି। ସେମାନେ କହିଛନ୍ତି, ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରେ ସେମାନଙ୍କୁ ୫ଦିନ ତାଲିମ୍ ଦିଆଯାଇଥିଲା। ଗୋଟିଏ ଦିନ ରାପିଡ୍ ଟେ‌ଷ୍ଟିଂ କିଭଳି କରାଯିବ ତାହାର ତାଲିମ ଦିଆଯାଇଥିବା ବେଳେ ବାକି ୪ ଦିନ ସ୍ବାବ୍ ସଂଗ୍ରହଠାରୁ ଆରମ୍ଭ କରି ସଂଗ୍ରହ ପରେ ଏହାକୁ କିଭଳି ତ୍ରିସ୍ତରୀୟ ପ୍ୟାକେଜିଂ କରାଯିବ ସେ ସଂପର୍କରେ ସେମାନଙ୍କୁ ସୂଚନା ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ହସ୍ପିଟାଲରେ ଥିବା କରୋନା ୱାର୍ଡରେ ଡ୍ୟୁଟି କରୁଥିବା ବେଳେ କିଛି ରାଜଧାନୀର ବିଭିନ୍ନ ସ୍ଥାନରେ ଚାଲୁଥିବା ସ୍ବାବ୍ ସଂଗ୍ରହ କ୍ୟାମ୍ପରେ ନିୟୋଜିତ ରହିଛନ୍ତି। ଏହିପରି ଭାବେ ଗୋଟିଏ କ୍ୟାମ୍ପ୍‌ରେ ୩ଜଣ ଏଲ୍‌ଟି କାର୍ଯ୍ୟ କରୁଛନ୍ତି। ସକାଳ ୯ଟାରୁ ଦିନ ସାଢ଼େ ୧ଟା ପର୍ଯ୍ୟନ୍ତ ସେମାନେ ଲୋକମାନଙ୍କର ସ୍ବାବ୍ ସଂଗ୍ରହ କରୁଛନ୍ତି। ଏଥିପାଇଁ ହସ୍ପିଟାଲ ପକ୍ଷରୁ ସେମାନଙ୍କୁ ପିପିଇ କିଟ୍ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଛି। ଏହାକୁ ପିନ୍ଧି ସେମାନେ ନିର୍ଭୟରେ ଲୋକମାନଙ୍କ ସ୍ବାବ୍ ସଂଗ୍ରହ କରୁଛନ୍ତି। ଛୋଟ ପିଲାଙ୍କ ସ୍ବାବ୍ ନମୁନା ସଂଗ୍ରହରେ କିଛିଟା ସମସ୍ୟା ହେଉଥିବା ବେଳେ ଲୋକମାନେ ଏଥିରେ ସହଯୋଗ କରୁଥିବା ନିଜ ନାମ ଗୋପନ ରଖି ଏଲ୍‌ଟିମାନେ କହିଛନ୍ତି।

ସେମାନେ କହିଛନ୍ତି ଯେ, ସ୍ବାବ୍ ସଂଗ୍ରହ ଓ ଭିଟିଏମ୍ ଭାଇରାଲ ଟ୍ରାନ୍‌ସପୋର୍ଟ ମିଡିଆର ତ୍ରିସ୍ତରୀୟ ପ୍ୟାକେଜିଂ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଏହା ଏକ ଜଟିଳ କାର୍ଯ୍ୟ ହୋଇଥିଲେ ହେଁ, ଏହାକୁ ଠିକଣା ଢଙ୍ଗରେ କରାଯାଉ ଥିବାରୁ କୌଣସି ସମସ୍ୟା ହେଉନାହିଁ। ତେବେ ନିୟମିତ ସନ୍ଦିଗ୍ଧ ଲୋକମାନଙ୍କ ସଂସ୍ପର୍ଶରେ ଆସୁଥିବାରୁ ପ୍ରତି ୧୫ଦିନରେ ଥରେ ଆମେ ନିଜ ନିଜର ସ୍ବାବ୍ ସଂଗ୍ରହ କରୁଛୁ। ପିପିଇ କିଟ୍ ପିନ୍ଧିଥିବାରୁ ଏ ପର୍ଯ୍ୟନ୍ତ କୌଣସି ଏଲ୍‌ଟି ସଂକ୍ରମିତ ହୋଇ ନାହାନ୍ତି। ଅସ୍ଥାୟୀ ଭାବେ ଅର୍ଥାତ ୩ମାସ ପାଇଁ ନିଯୁକ୍ତ ହୋଇଥିଲେ ହେଁ, ଲୋକଙ୍କ ସେବାକୁ ଗୁରୁତ୍ବ ଦେଉଛୁ ବୋଲି ଏଲ୍‌ଟିମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର