ଭୁବନେଶ୍ୱର: ପାରାମାଉଣ୍ଟ ସ୍ପୋର୍ଟିଂ ପ୍ରଥମ ଦଳ ଭାବେ ୧୬ ବର୍ଷରୁ କମ୍ ପ୍ରଶାନ୍ତ ମହାପାତ୍ର ମେମୋରିଆଲ ଅନ୍ତଃକ୍ଲବ୍ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ସେମିଫାଇନାଲ୍‌ରେ ଏହି ଦଳ ୮ ୱିକେଟ୍‌ରେ ରାମେଶ୍ୱର ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ମାତ୍ର ୫୮ ରନରେ ଅଲଆଉଟ୍‌ ହୋଇଯାଇଥିଲା। ପାରାମାଉଣ୍ଟ ଦଳ ପକ୍ଷରୁ ନକିବ୍ ସର୍ବାର ଏବଂ ପ୍ରତ୍ୟୁଷ ପ୍ରକାଶ ସାହୁ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ପାରାମାଉଣ୍ଟ ସ୍ପୋର୍ଟିଂ ମାତ୍ର ୧୩.୧ ଓଭରରେ ୨ଟି ୱିକେଟ ହରାଇ ମ୍ୟାଚ ଜିତିନେଇଥିଲା। ଶାଶ୍ୱତ ରାଉତ ୩୧ (୩୪) ରନ୍ କରିଥିଲେ। ରଣଜୀ ଦଳର ପ୍ରମୁଖ ଦ୍ରୁତ ବୋଲର ରାଜେଶ ମହାନ୍ତି ପୁରସ୍କାର ବିତରଣୀ ଉତ୍ସବରେ ଯୋଗ ଦେଇ ଏସ୍.କେ ନକିବ୍ ସର୍ବାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଥିଲେ। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ ଗ୍ରିନ୍ସ କ୍ରିକେଟ ଏକାଡେମି ଓ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।