ଅଭିଭାବକ ସଂଘର ଜାତୀୟ ଶିକ୍ଷା ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର: ଅର୍ଗାନାଇଜେସନ୍ ଅଫ ପ୍ୟାରେଣ୍ଟ ଆସୋସିଏସନ୍ ଫୋରମ୍ ବା ଓପିଏଏଫ୍‌ର ପକ୍ଷରୁ ଆଜି ଦୁଇ ଦିନିଆ ଜାତୀୟ ଶିକ୍ଷା ସମ୍ମିଳନୀ ରେଡକ୍ରସ୍ ଭବନରେ ଆରମ୍ଭ ହୋଇଛି। ଓପିଏଏଫ୍‌ର ସଭାପତି ଗଗନ ବିହାରୀ ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିକ୍ଷା ଏକ ମୌଳିକ ଅଧିକାର। ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର ଶିକ୍ଷାକୁ ବ୍ୟବସାୟୀକରଣ ନ କରିବା ପାଇଁ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ପ୍ରୋତ୍ସାହନ ଦିଆ ନଯିବା ଆବଶ୍ୟକ। ରାଜ୍ୟ ତଥା ଦେଶ‌ରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ବଢ଼ି ଚାଲିଛି। ଅଭିଭାବକଙ୍କଠାରୁ ବିଭିନ୍ନ ଆଳରେ କିପରି ଅର୍ଥ ହଡ଼ପ କରାଯାଇ ପାରିବ, ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଡିଆ ଓ ଭାରତ ଦୁଇଟି ଗୋଷ୍ଠୀରେ ଆବଦ୍ଧ କରି ଶୋଷଣ କରି ଚାଲିଛନ୍ତି। ବିଭିନ୍ନ ଆଳରେ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ଏଭଳି କ୍ଷେତ୍ରରେ ସରକାର ନିଜ ଉପରକୁ ଦାୟିତ୍ବ ନେଇ ଘରୋଇ ବିଦ୍ୟାଳୟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ପରିଚାଳନା ଆଇନ ପ୍ରଣୟନ କରି ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଧ୍ୟାନ ଦେବା ଜରୁରୀ। ଏଥିପାଇଁ ଏକ ନିୟାମକ ପରିଷଦ ଗଠନ କରି ବିଦ୍ୟାଳୟଗୁଡ଼ିକୁ ଠିକ୍ ଭାବେ ପରିଚାଳନା କରାଯାଉ। ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ବ୍ୟା‌ବସାୟିକ ବୃତ୍ତିରୁ ବଞ୍ଚିତ ରଖିବା ଉଚିତ୍। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ସହ ଯେକୌଣସି ପରିସ୍ଥିତିକୁ ସାମ୍ନା କରିପାରିବେ, ସେ ଦିଗରେ ଅଭିଭାବକ, ଶିକ୍ଷକ ଓ ବିଦ୍ୟାଳୟ ଉଦ୍ୟମ କରିବା ଆବଶ୍ୟକ। ଶିଶୁମାନଙ୍କ ବିକାଶ ଉପରେ ସମସ୍ତେ ଗୁରୁତ୍ବ ଦେବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥି ଭାବେ ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଷ୍ଣୁଚରଣ ବାରିକ, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ, ମନସ୍ତତ୍ବବିତ୍ ପ୍ରତାପ ରଥ, ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ସିଡବ୍ଲ୍ୟୁସିର ଅଧ୍ୟକ୍ଷ ପର୍ଶୁରାମ ମହାରଣା, ଓପାଫର ଉପଦେଷ୍ଟା ରବି ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ଶ୍ରମିକ ନେତା ଜୟନ୍ତ ଦାସ, ନୂଆଦିଲ୍ଲୀର ଅତୁଲ ରାଫେଜା, ରାଜସ୍ଥାନର ସୁଶୀଲ ଶର୍ମା, କର୍ଣ୍ଣାଟକ ‌ଅଶୋକ ଆଦିଗ୍, ମହାରାଷ୍ଟ୍ରର ଜୟନ୍ତ ଜୈନ, ପ୍ର‌ମୋଦ ଯାଦବ, ସୀମା ଅଗ୍ରୱାଲ, ସୀମା ତ୍ୟାଗୀ, ଅଜୟ ରାୟ, କିଲିଭାଲଭନ, ଓପାଫର କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ସଂପାଦକ ମିତାରାଣୀ ସାହୁ, ମଧୁସୂଦନ ବିଶ୍ବାଳ, ସୁଶାନ୍ତ କୁମାର ସାହୁ, ନନ୍ଦକିଶୋର ମଲ୍ଲିକ, ସତ୍ୟ ନାରାୟଣ ମହାପାତ୍ର, ଅଜୟ କୁମାର ରାଉତରାୟ, ମନୋରଂଜନ ପଣ୍ଡା ଓ ଅମରେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର