ଘରୋଇ ସ୍କୁଲ ମନଇଚ୍ଛା ଫି’ ଆଦାୟ, ଆମରଣ ଅନଶନରେ ବସିଲେ ଅଭିଭାବକ

ଭୁବନେଶ୍ବର: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସ୍ବାର୍ଥ ରକ୍ଷା ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକର ମନମାନି ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଅଭିଭାବକ ମହାସଂଘ। ଘରୋଇ ବିଦ୍ୟାଳୟଗୁଡ଼ିକରେ ଲାଗୁ ହେବା ପାଇଁ ପ୍ରସ୍ତୁତ ହୋଇଥିବା ଫି’ ଷ୍ଟ୍ରକଚର କମିଟି ରିପୋର୍ଟକୁ ତୁରନ୍ତ ଲାଗୁ କରିବା ଦାବିରେ ଅଭିଭାବକମାନେ ଆଜି ଆମରଣ ଅନଶନକୁ ଓହ୍ଲାଇଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟଙ୍କ କାର୍ଯ୍ୟାଳୟ ଥିବା ନ’ତାଲା ସମ୍ମୁଖରେ ଅଭିଭାବକମାନେ ଅନଶନରେ ବସିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ଚେତାବନୀ ଦେଇଥିଲେ। ୧୫ ଘଣ୍ଟା ଧରି ଅଭିଭାବକମାନେ ଅନଶନରେ ବସିବା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସନ୍ଧ୍ୟାରେ ଓଡ଼ିଶା ଅଭିଭାବକ ମହାସଂଘର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଫି’ ଷ୍ଟ୍ରକଚର ଲାଗୁ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଶ୍ରୁତି ଦେବା ପରେ ମହାସଂଘର ସଦସ୍ୟମାନେ ରାତି ପ୍ରାୟ ୧୦ଟାରେ ଅନଶନରୁ ଓହରିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ଯଦି ଖୁବ୍‌ଶୀଘ୍ର ଫି’ ବ୍ୟବସ୍ଥା ଲାଗୁ ନ ହୁଏ ତେବେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ-ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ କହିଛନ୍ତି ଯେ ଆଉ ଅଳ୍ପ ଦିନ ପରେ ନୂ୍ତନ ଶିକ୍ଷାବର୍ଷ ଆରମ୍ଭ ହେବ। ହେଲେ ଫି’ ସମ୍ପର୍କିତ କୌଣସି ସ୍ବତନ୍ତ୍ର ଅଧ୍ୟାଦେଶ ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ଗତବର୍ଷ ସେପ୍ଟେମ୍ବର ମାସରୁ ଫି’ ଆଦାୟ ସଂକ୍ରାନ୍ତରେ ଗଠିତ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ଏଥିରେ କେଉଁ ଶ୍ରେଣୀର ଛାତ୍ରଛାତ୍ରୀଙ୍କଠାରୁ କେତେ ଟଙ୍କା ନାମଲେଖା ଫି’ ଆଦାୟ କରାଯିବ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ‌କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ଘୋଷଣା କରୁ ନଥିବାରୁ ଏଥର ବି ଘରୋଇ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଫି’ ଆଦାୟ କରିବେ। ଅଭିଭାବକମାନେ ପୁଣିଥରେ ଶୋଷଣର ଶିକାର ହେବେ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର