ସ୍କୁଲ ବନ୍ଦ ପ୍ରତିବାଦରେ ଅଭିଭାବକଙ୍କ ବିକ୍ଷୋଭ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଅଞ୍ଜିରା ପ୍ରକଳ୍ପ ପ୍ରାଥମିକ ସ୍କୁଲ ଓ ପୂରଣଶାସନ ପ୍ରାଥମିକ ସ୍କୁଲକୁ ବନ୍ଦ କରାଯିବା ପ୍ରତିବାଦରେ ଆଜି ଶତାଧିକ ଅଭିଭାବକ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଶତାଧିକ ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ଆଜି ବାଳକାଟି ପୁରୁଣା ଫାଣ୍ଡି ଛକ ନିକଟରେ ଏକାଠି ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ର‌ାରେ ବାହାରି ନୂଆପାଟଣା ସ୍ଥିତ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଅଭିଭାବକଙ୍କ ସହ ଛାତ୍ରଛା‌ତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍କୁଲର ଖେଳପଡ଼ିଆଠାରୁ ଆରମ୍ଭ କରି ସବୁ ପ୍ରକାର ଭିତ୍ତିଭୂମି ନିର୍ମାଣ କରାଯିବାରେ ଖର୍ଚ୍ଚ ହୋଇଥିବା ବିପୁଳ ଟଙ୍କା ପାଣିରେ ପଡ଼ିବ‌ା ନେଇ ପ୍ରଶ୍ନ ଉଠାଇଥିଲେ। ସ୍କୁଲ ବନ୍ଦ କରାଯିବା ସଂପର୍କରେ ଅବଗତ ହେବା ପରେ ଅଭିଭାବକମାନେ ସଜାଗ ହୋଇଯାଇଥିଲେ।

ତେଣୁ ଚଳିତ ଶିକ୍ଷାବର୍ଷରେ ଉଭୟ ଅଞ୍ଜିରା ଓ ପୂରଣଶାସନ ସ୍କୁଲ ଦ୍ବୟରେ ୧୦ ଜଣ ଲେଖାଏଁ ପିଲା ନାମ ଲେଖାଇବା ଦିଗରେ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ। ହେଲେ ତା’ ପୂର୍ବରୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତରିତ କରିଦିଆଗଲା କହି ଅସନ୍ତୋଷ ପ୍ରକାଶ କରିଥିଲେ।
ଏହାର ପ୍ରତିବାଦରେ ଆନ୍ଦୋଳନକାରୀ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଦୁଇ ସ୍କୁଲ ପୁଣି କାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି କରିଥିଲେ। ଏହାପରେ ଏ ସଂପର୍କିତ ଦାବିପତ୍ର ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ରଙ୍କୁ ପ୍ରଦାନ କରିଥିଲେ। ଶ୍ରୀମତୀ ମିଶ୍ର ଏନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚିତ୍ତରଂଜନ ସାମନ୍ତରାୟ, ସମାଜସେବୀ ଯଶୋବନ୍ତ ନାୟକ, ଅଜୟ ନାୟକ, କାହ୍ନୁ ନାୟକ, ମନମୋହନ ବେହେରା, ବାପିନା ନାୟକ, ସନ୍ତୋଷ ସ୍ବାଇଁ, କାବୁଲି ଭୋଇ, ରମେଶ ନାୟକ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ। ସୂଚନାଯୋଗ୍ୟ ଏହି ଦୁଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୨୦ରୁ କମ୍‌ ଥିବାରୁ ବନ୍ଦ କରାଯାଇଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର