ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ଶିଶୁଭବନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫ ଦିନର ନାବଜାତକ ଶିଶୁକନ୍ୟାକୁ ହସ୍ପିଟାଲର ଶିଶୁଭବନର ଏସ୍ଏନ୍ସିୟୁରେ ଛାଡ଼ି ବାପା ମା’ ପଳାଇଛନ୍ତି। ଶିଶୁଟିର ମୃତ୍ୟୁ ହୋଇଯାଇଥିବା ବେଳେ ବାପା ମା’ଙ୍କ ସହ ଯୋଗାଯୋଗ କରାଯାଇପାରୁ ନାହିଁ। ପୁଲିସ ଓ ହସ୍ପିଟାଲ କର୍ମଚାରୀ ଶିଶୁର ବାପା ମା’ ଦେଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କଲେ ମଧ୍ୟ କେହି ଉଠାଇ ନଥିବାରୁ ଏନେଇ କ୍ୟାପିଟାଲ ହସ୍ପିଟାଲର କର୍ମଚାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।
ସୂଚନାନୁସାରେ, ଗତ ୨୬ ତାରିଖ ଦିନ ଢ଼େଙ୍କାନାଳ କଙ୍କଡ଼ାହାଡ଼ର ଗୌରବ ନାୟକ ନିଜ ପତ୍ନୀଙ୍କୁ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଇଥିଲେ। ତାଙ୍କା ଏକ ଶିଶୁକନ୍ୟା ହୋଇଥିଲା। ଶିଶୁଟି ଜନ୍ମ ପରେ ଅସୁସ୍ଥ ହୋଇଯିବାରୁ ତାକୁ ୨୬ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ପରେ ଶିଶୁଟି ଗୁରୁତର ହୋଇ ଯିବାରୁ ତାକୁ ଏସ୍ଏନ୍ସିୟୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ଆଜି ପୂର୍ବାହ୍ନରେ ତାର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁକନ୍ୟାର ବାପା ମା’କୁ ଖୋଜିଥିଲେ। ହେଲେ ସେମାନେ ହସ୍ପିଟାଲ ପରିସରରେ ନଥିଲେ। ମାଇକ୍ରେ ମଧ୍ୟ ଡକା ଯାଇଥିଲା। ହେଲେ କେହି ନ ଆସିବାରୁ ଏନେଇ ଫାଣ୍ଡି ପୁଲିସକୁ ସୂଚନା ଦିଆଯାଇଥିଲା। ଫାଣ୍ଡି ପୁଲିସ ଶିଶୁର ମୃତଦେହ ଜବତ କରିବା ସହିତ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖିଛନ୍ତି। ଏହାସହ ଭର୍ତି ସମୟରେ ଦିଆ ଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା। ହେଲେ ସମ୍ଭବ ହୋଇନଥିଲା। ପୁଲିସ ଦିଆଯାଇଥିବା ଠିକଣା ଅନୁସାରେ ସଂପୃକ୍ତ ଥାନା ସହ ଯୋଗାଯୋଗ କରିବା ସହିତ ବାପା ମା’ଙ୍କୁ ଖୋଜିବାକୁ ଚେଷ୍ଟା ଜାରି ରଖିଛି।