ହକି ବିଶ୍ବକପ୍‌ ପୂର୍ବରୁ ବଦଳିବ ପାର୍କର ରୂପ

୩ ପାର୍କରେ ଫାଉଣ୍ଟେନ୍‌ର ପୁନରୁଦ୍ଧାର

ଭୁବନେଶ୍ବର: ହକି ବିଶ୍ବକପ୍‌ ପୂର୍ବରୁ ରାଜଧାନୀର ୪ଟି ପାର୍କ ନୂଆ ରୂପ ପାଇବ। ବିଡିଏ ପକ୍ଷରୁ ଫରେଷ୍ଟ ପାର୍କରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବା ବେଳେ ଏବେ ନୀଳାଦ୍ରି ବିହାରର ବୁଦ୍ଧଜୟନ୍ତୀ ପାର୍କ, ସଚିବାଳୟ ମାର୍ଗରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ, ଚନ୍ଦ୍ରଶେଖରପୁରରେ ଥିବା ମହାତ୍ମା ଗାନ୍ଧୀ ପାର୍କ ଏବଂ ସତ୍‌ସଙ୍ଗ ବିହାର ଛକ ନିକଟରେ ଥିବା ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କକୁ ନୂଆ ରୂପ ଦେବାକୁ ଯୋଜନା ହୋଇଛି। ଏନେଇ ଟେଣ୍ଡର ଆହ୍ବାନ ହୋଇଥିବା ବେଳେ ଚଳିତ ସପ୍ତାହରୁ କାମ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।

ଏଥିରେ ବୁଦ୍ଧ ଜୟନ୍ତୀ ପାର୍କରେ ଦର୍ଶକ ବସିବା ପାଇଁ ଏକ ଛୋଟ ଗ୍ୟାଲେରି ନିର୍ମାଣ ହୋଇଥିବା ବେଳେ ଏହାକୁ ଖୁବ୍‌ଶୀଘ୍ର ଉଦ୍‌ଘାଟନ କରାଯିବ। ଏହାଦ୍ବାରା ପାର୍କରେ ହେବାକୁ ଥିବା ସଂଗୀତ କାର୍ଯ୍ୟକ୍ରମକୁ ଦର୍ଶକମାନେ ଏଠାରେ ବସି ଉପଭୋଗ କରିପାରିବେ। ସେହିପରି ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ପୂରା ନୂଆ ରୂପ ପାଇବାକୁ ଯାଉଛି। ଏଠାରେ ପାର୍କକୁ ଆସୁଥିବା ଲୋକଙ୍କ ପାଇଁ ପଡ଼ିଥିବା ବେଞ୍ଚ ଭାଙ୍ଗିରୁଜି ଯାଇଥିବା ବେଳେ ଏହାକୁ ବଦଳାଇ ନୂଆ ଲଗାଯାଉଛି। ଏହାସହ ପାର୍କରେ ନୂଆ ଲନ୍, ଲ୍ୟାଣ୍ଡସ୍କେପ୍ ତିଆରି ହୋଇଛି। ପାର୍କରେ ଥିବା ଫାଉଣ୍ଟେନ୍ ପୁନରୁଦ୍ଧାର ପାଇଁ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି। ଏହାସହ ବିଭିନ୍ନ ପାର୍କରେ ଆଗନ୍ତୁକଙ୍କ ବସିବା ପାଇଁ ଷ୍ଟେନଲେସ୍ ଷ୍ଟିଲ୍ ଚେୟାର, ମୁକ୍ତାକାଶ ଜିମ୍‌, ସ୍କେଟିଂ ସୁବିଧା, ଚାଲିବା ପାଇଁ ଆକ୍ୟୁପ୍ରେସର୍‌, ଟୁଇନ୍ ଡଷ୍ଟବିନ୍, ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍ ଲଗାଯାଉଛି। କେତୋଟି ପାର୍କରେ ସେମି ଅଟୋମେଟିକ୍ ଏବଂ ଇକୋ ଫ୍ରେଣ୍ଡଲି ଶୌଚାଳୟ ନିର୍ମାଣ ହୋଇଥିବାବେଳେ ଆଗାମୀ ଦିନରେ ସମସ୍ତ ପାର୍କରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ। ହକି ବିଶ୍ବକପ୍‌ ପୂର୍ବରୁ ଇନ୍ଦିରା ଗାନ୍ଧୀ ପାର୍କ, ମହାତ୍ମା ଗାନ୍ଧୀ ପାର୍କରେ ଥିବା ଫାଉଣ୍ଟେନ୍‌ଗୁଡ଼ିକୁ ପୁନରୁଦ୍ଧାର କରାଯିବ। ଏଥିରେ ମହାତ୍ମା ଗାନ୍ଧୀ ପାର୍କରେ ଥିବା ଦୁଇଟି ଫାଉଣ୍ଟେନ୍ ଏବଂ ଆଇଜି ପାର୍କରେ ଥିବା ଗୋଟିଏ ଫାଉଣ୍ଟେନ୍‌ର ପୁନରୁଦ୍ଧାର କରାଯିବ। ଏଥିପାଇଁ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯେଉଁ ସଂସ୍ଥା ଏହାକୁ ଲଗାଇବ ସେହି ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର