ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଖୋଲିବ ଶିଶୁଙ୍କ ପାଇଁ ପାର୍କ : ବିଜ୍ଞାନ ସହ ଖେଳର ମଜା ନେବେ

ଭୁବନେଶ୍ବର: ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ। ଏଥିପାଇଁ ଜୋରଦାର କାର୍ଯ୍ୟ ଆରମ୍ଭ ଚାଲିଛି। ଆସନ୍ତା କିଛି ଦିନ ଭିତରେ ଏହି ଶିଶୁ ପାର୍କଟି ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି। ଫଳରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଶିଶୁଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଓ ବୟସ୍କ ବ୍ୟକ୍ତିମାନଙ୍କ ଉପାଦେୟ ଓ ମନୋରଂଜନର ମାଧ୍ୟମ ପାଲଟିବ।

ସୂଚନା ଅନୁସାରେ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ୩୫ ଶହ ବର୍ଗଫୁଟ୍ ଅଞ୍ଚଳରେ ଏହି ଶିଶୁ ପାର୍କ ଖୋଲାଯିବ। ୫ ବର୍ଷର ଶିଶୁମାନଙ୍କ ପାଇଁ ଏହି ପାର୍କ ଉଦ୍ଦିଷ୍ଟ ରହିବ। ଝୁଲା, ପେଣ୍ଡୁଲମ୍‌କୁ ଧୀର ଭାବେ ଝୁଲିବା, ଟ୍ରାନ୍‌ସଫର ଅଫ୍ ମୁମେଣ୍ଟମ୍, ସ୍ପାଇରାଲ ସ୍ଲାଇଡ୍‌, ଲିଭର ୱିଥ୍ ସେଲ୍‌ଫ ବାଲାନ୍‌ସିଂ, ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ ଓ ସ୍ପାଇରାଲ ୱେଭ୍ ଭଳି ମଜାଦାର ଖେଳ ଏହି ପାର୍କର ପ୍ରମୁଖ ଆକର୍ଷଣ ପାଲଟିବ। ଶିଶୁମାନେ ନିଜ ପିତାମାତା କିମ୍ବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହିତ ଏହି ପାର୍କ ବୁଲି ପାରିବେ। ଏହି ପାର୍କର କିଛି ସାମଗ୍ରୀ ମୁମ୍ବାଇରୁ ଅଣାଯାଉଛି। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଶିଶୁମାନଙ୍କ ପାଇଁ ଅନେକ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଛୋଟ ଶିଶୁମାନଙ୍କୁ ଏଥିରେ ଖେଳିବା ଲାଗି ବାରଣ କରାଯାଉଛି। ତେଣୁ ଶିଶୁ ପାର୍କ ଖୋଲିବା ପରେ ଏହା ସ୍ବତନ୍ତ୍ର ଭାବେ ଶିଶୁମାନେ ଖେଳି ପାରିବେ। ଏକାସାଙ୍ଗରେ ୨୦/୨୫ଜଣ ଶିଶୁ ଓ ସେମାନଙ୍କ ପିତାମାତା/ଶିକ୍ଷକଙ୍କୁ ଏଥିରେ ପ୍ରବେଶର ଅନୁମତି ଦିଆଯିବ। ଆରମ୍ଭରୁ ଏହି ପାର୍କରେ ଖେଳିବା ପାଇଁ ନିଃଶୁଳ୍କ ପ୍ରବେଶର ସଯୋଗ ମିଳିବ। ତେବେ ଏଥିପାଇଁ ସ୍ବତନ୍ତ୍ର ଭାବେ ଅର୍ଥ ଆଦାୟ କରାଯିବ କି ନାହିଁ ତାହା ବିଜ୍ଞାନ କେନ୍ଦ୍ରର କମିଟି ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ ହରପ୍ରସାଦ ମିଶ୍ରଙ୍କ ସୂଚନା ଅନୁସାରେ, ଛୋଟ ପିଲାଙ୍କୁ ଖେଳିବା ସହିତ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ହେଉଛି କିଡ୍‌ସ ବା ଶିଶୁ ପାର୍କର ମୁଖ୍ୟ ଉଦ୍ଦେଶ୍ୟ। ରାଜଧାନୀରେ ଶିଶୁମାନଙ୍କ ପାଇଁ ଏହା ଏକ ନିଆରା ପାର୍କର ଅନୁଭୂତି ଆଣିବ। ବିଜ୍ଞାନ କେନ୍ଦ୍ରରେ ଛୋଟ ପିଲାଙ୍କ ଖେଳିବା ପାଇଁ ଏକାଧିକ ପ୍ରଦର୍ଶନୀ ରହିଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ଏହାର ମଜା ନେବା ସମ୍ଭବ ହେଉନାହିଁ। ତେଣୁ ଏହି ବିଜ୍ଞାନଭିତ୍ତିକ ଶିଶୁ ପାର୍କ ବିଷୟରେ ଚିନ୍ତା କରାଯାଇଥିଲା। ଆସନ୍ତା ୧ ମାସ ଭିତରେ ଏହା ଶିଶୁଙ୍କ ପାଇଁ ଖୋଲିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର