ଭିନ୍ନକ୍ଷମ ପିଲାଙ୍କ ପାଇଁ ହେବ ସେନସୋରି ପାର୍କ: ଖର୍ଚ୍ଚ ହେବ କୋଟିଏ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଶିଶୁ ଉପଯୋଗୀ ସହର କରିବାକୁ ଯୋଜନା ହୋଇଥିବା ବେଳେ ଏଥିରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ଏକ ସ୍ୱତନ୍ତ୍ର ପାର୍କ ନିର୍ମାଣ ହେବ। ଏହାର ନାମ ରହିବ ସେନସୋରି ପାର୍କ। ବିଏମ୍‌ସି ଓ୍ଵାର୍ଡ ନଂ-୩୦ର ସହିଦନଗର ଅଞ୍ଚଳରେ ଏହି ପାର୍କ ନିର୍ମାଣ ହେବ। ଏଥିପାଇଁ ୦.୪ଏକର ଜମି ଚିହ୍ନଟ ହୋଇଥିବା ବେଳେ ନିର୍ମାଣ ପାଇଁ ପ୍ରାୟ ୧କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ଏନେଇ ଆଜି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଟେଣ୍ଡର୍‌ ଆହ୍ଵାନ ହୋଇଛି।

ଏହି ପାର୍କ ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ୱର ଅର୍ବାନ ନଲେଜ୍‌ ସେଣ୍ଟର୍‌ ମାଧ୍ୟମରେ ଏହାର ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଯେପରି ଦୃଷ୍ଟିହୀନ, ବଧିର, ମାନସିକ ବିକାରଗସ୍ତ ଏବଂ ଅନ୍ୟ ଶାରୀରିକ ଭିନ୍ନକ୍ଷମ ପିଲାମାନେ ଖେଳର ମଜା ନେଇପାରିବେ ଓ ଖେଳିବା ସମୟରେ ଆହତ ହେବେନି, ସେଥିପାଇଁ ପାର୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପାର୍କରେ ସ୍ୱତନ୍ତ୍ର ଭାବେ ବାଲିର ଆସ୍ତରଣ କରାଯିବା ସହ ରବର୍‌ ପକାଯିବ। ପାର୍କକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ର‍୍ୟାମ୍ପ ବ୍ୟବସ୍ଥା ବି ହେବ। ଦୃଷ୍ଟିହୀନ ପିଲା ଯେପରି ବିଭିନ୍ନ ଖେଳକୁ ବୁଝିପାରିବେ ଏବଂ ମଜା ନେଇପାରିବେ ସେଥିପାଇଁ ବ୍ରେଲି ଓ୍ଵାଲ୍‌ ଏବଂ ସାଉଣ୍ଡ ଓ୍ଵାଲ୍‌ କରାଯିବ। ଭିନ୍ନକ୍ଷମ ପିଲାଙ୍କ ପାଇଁ ଚାଲିବା ସମୟରେ ଅଲଗା ଅନୁଭୂତି ଦେବାକୁ ମାଟି, ଘାସ ଏବଂ ପେବେଲ୍‌ସ ପକାଇ ରାସ୍ତା ନିର୍ମାଣ କରାଯିବ।କେବଳ ଏତିକି ନୁହେଁ, ଭିନ୍ନକ୍ଷମ ପିଲା ଯେପରି ଦୋଳିର ମଜା ନେବେ ସେଥିପାଇଁ ବାକ୍ସ ଦୋଳି, ହ୍ଵିଲ୍‌ ଚେୟାର ଦୋଳି ରହିବ। ଏହାସହ ବଲ୍‌ ପୁଲ୍‌, ବାଲିରେ ବିଭିନ୍ନ ଖେଳର ସୁବିଧା ରହିବ। ହ୍ଵିଲ୍‌ ଚେୟାରରେ ଆସିବାକୁ ଥିବା ପିଲା ଯେପରି ହାତରେ ବିଭିନ୍ନ ବ୍ୟାୟାମ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ଯନ୍ତ୍ରାଂଶ ଲାଗିବ। ପିଲାଙ୍କୁ ବିଭିନ୍ନ ଶବ୍ଦର ଅନୁଭୂତି ଦେବା ପାଇଁ ବିଭିନ୍ନ ଖେଳ ସରଞ୍ଜାମରେ ଡ୍ରମ୍‌, ମ୍ୟୁଜିକ୍‌ ପୋଲ୍‌ ଆଦି ଲାଗିବ।

ଏହାବ୍ୟତୀତ ଅନ୍ୟ ପାର୍କରେ ଯେପରି ପାଦ ଚଲା ରାସ୍ତା ଅଛି, ସେହିପରି ରାସ୍ତା ରହିବ। ଅର୍ଣ୍ଣାମେଣ୍ଟାଲ ଗଛ, ବସିବା ପାଇଁ ଚେୟାର, ଖେଳକୁଦ କରିବା ପାଇଁ ଖୋଲା ସ୍ଥାନ ଆଦି ରହିବ ବୋଲି ଯୋଜନା ହୋଇଛି।

ସମ୍ବନ୍ଧିତ ଖବର