ପାର୍କିଂ ପାଇଁ ଜାଗା ନେଲେ, ଦୋକାନ ଖୋଲିଲେ
ବ୍ୟାବସାୟିକ ପ୍ରତିଷ୍ଠାନ ସ୍ବାର୍ଥରେ ବିଡିଏ, ବିଏମ୍ସି
ବିଡିଏ ଶୋଇଛି, ବିଏମ୍ସି ଲୋକଙ୍କୁ ଲୁଟୁଛି
ବ୍ୟବସାୟୀ ଲାଭ ଖାଇବେ, ଲୋକ ପାର୍କିଂ ଟଙ୍କା ଦେବେ?
ଭୁବନେଶ୍ବର : ରାଜଧାନୀରେ ଥିବା ବିଭିନ୍ନ ସପିଂ ମଲ୍, ହସ୍ପିଟାଲ, ମଲ୍ଟିପ୍ଲେକ୍ସ, ସିନେମା ହଲ୍ରେ ଆଦାୟ ହେଉଥିବା ବେଆଇନ୍ ପାର୍କିଂ ଫି’ ଉପରେ ବିଡିଏ ରୋକ୍ ଲଗାଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନକୁ ମାଗଣା ପାର୍କିଂ ଯୋଗାଇବା ନେଇ ନୋଟିସ୍ କରିନି କି ପାର୍କିଂ ସୁବିଧା ଦେଉନଥିବାରୁ କାର୍ଯ୍ୟାନୁଷ୍ଠାନ ବି ନେଉନି। ଫଳରେ ରାଜଧାନୀବାସୀ ଜନପଥରେ ଥିବା ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗାଡ଼ି ପାର୍କିଂ କଲେ ଏବେ ବି ଟଙ୍କା ଗଣୁଛନ୍ତି। ପାର୍କିଂ ଫି’ ଆଦାୟ ଉପରେ ରୋକ୍ ଲାଗିବା ପରେ ଜନପଥକୁ ଯେଉଁଭଳି ବାଦ୍ ଦିଆଯାଇଛି, ଲାଗୁଛି ଜନପଥରେ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନାହିଁ ବୋଲି ବିଡିଏ ଭାବୁଛି।
ବିଡିଏର ନିୟମ ଅନୁଯାୟୀ, ବ୍ୟାବସାୟିକ ପ୍ରତିଷ୍ଠାନ, ରେସ୍ତୋରାଁ, ଲଜ୍, ଅଫିସ୍ କମ୍ପ୍ଲେକ୍ସ, ଆଇଟି କମ୍ପ୍ଲେକ୍ସ ଆଦି ପାର୍କିଂ ପାଇଁ ମୋଟ୍ ନିର୍ମାଣର ୪୦% ଛାଡ଼ିବେ। ହେଲେ ଜନପଥରେ ଥିବା କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ, ରେସ୍ତୋରାଁ, ହୋଟେଲ, ଅଫିସ୍ କମ୍ପ୍ଲେକ୍ସ ଆଦିରେ ପାର୍କିଂ ସୁବିଧା ନାହିଁ। ଫଳରେ ଲୋକମାନେ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି। ଆଉ ବିଏମ୍ସି ଏହାର ସୁବିଧା ନେଇ ଲୋକଙ୍କୁ ଲୁଟୁଛି।
ଜନପଥରେ ଥିବା ପ୍ରାୟ ୨୦୦ରୁ ଅଧିକ ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ସମୟରେ ବିଡିଏରୁ ଯେଉଁ ପ୍ଲାନ୍ ଅନୁମୋଦନ କରିଥିଲେ ସେଥିରେ ସେମାନେ ତଳ ମହଲାକୁ ପାର୍କିଂ ପାଇଁ ବ୍ୟବହାର କରିବେ ବୋଲି ନକ୍ସାରେ ଦେଖାଇଥିଲେ। ଯାହାକୁ ଦେଖି ବିଡିଏ ପ୍ଲାନ୍ ଅନୁମୋଦନ କରିଥିଲା। କିନ୍ତୁ ନିର୍ମାଣ ସରିବା ପରେ ଏଗୁଡ଼ିକୁ ସେମାନେ ଦୋକାନ ଘର ଭାବେ ବ୍ୟବହାର କଲେ। ବିଡିଏ ଏନେଇ ପାଟି ଫିଟାଇଲାନି କି କାର୍ଯ୍ୟାନୁଷ୍ଠାନ ନେଲାନି। ଫଳରେ ଏହି ଦୋକାନକୁ ଆସୁଥିବା ଲୋକମାନେ ରାସ୍ତା ଉପରେ ଗାଡ଼ି ରଖିଲେ। ଲୋକ ଦୋକାନ ଆଗରେ ଗାଡ଼ି ରଖୁଥିବା ଦେଖି ବିଏମ୍ସି ଏଥିରୁ ରାଜସ୍ବ ଆଦାୟ କରିବାକୁ ଯୋଜନା କଲା। ଆଉ ବ୍ୟବସାୟୀଙ୍କ ଉପରେ କିଛି ପଦକ୍ଷେପ ନନେଇ ଲୋକଙ୍କଠାରୁ ପାର୍କିଂ ଫି’ ନାଁରେ ଲୁଟି ଚାଲିଛି।
ଏଠାରେ ପ୍ରଶ୍ନ ଉଠୁଛି, ଯିଏ ନିୟମ ଉଲ୍ଲଂଘନ କରିଛି ସେ ଟଙ୍କା ଗଣିବ ନା ଯିଏ ଏଠାକୁ ସାମଗ୍ରୀ କିଣିବାକୁ ଆସୁଛି ସେ ଟଙ୍କା ଗଣିବ? ବିଡିଏ କର୍ତ୍ତୃପକ୍ଷ କାହିଁକି ଏହିଭଳି ପାତରଅନ୍ତର ନୀତି କରୁଛନ୍ତି? ଯେଉଁ ବିଡିଏ ଉପାଧ୍ୟକ୍ଷ ଏହି ପାର୍କିଂ ନିୟମ କଡ଼ାକଡ଼ି ଲାଗୁ କରିଛନ୍ତି ସେ ବିଏମ୍ସି କମିସନର ଥିିଲେ ହେଁ ବିଏମ୍ସି କାହିଁକି ଲୋକଙ୍କଠାରୁ କାହିଁକି ପାର୍କିଂ ଫି’ଆଦାୟ କରୁଛି?
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ସାରା ଦେଶରେ କେଉଁଠି ବି ଅନ୍-ଷ୍ଟ୍ରିଟ୍ ପାର୍କିଂ ବ୍ୟବସ୍ଥା ନଥିବା ବେଳେ ଭୁବନେଶ୍ବରରେ ଏହାକୁ ଲାଗୁ କରାଯାଇଛି। ସବୁଠୁ ବ୍ୟସ୍ତବହୁଳ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ଲୋକଙ୍କୁ ଲୁଟ୍ କରାଯାଉଛି।
ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନମାନେ ନିଜର ପାର୍କିଂ ବ୍ୟବସ୍ଥା କରିନାହାନ୍ତି ସେମାନେ କାହିଁକି ପାର୍କିଂ ବାବଦକୁ ବିଏମ୍ସିକୁ ଟଙ୍କା ଦେବେନି? ଜନପଥରେ ଯେଉଁ ଅନ୍-ଷ୍ଟ୍ରିଟ୍ ପାର୍କିଂ ହେଉଛି, ସେ ଟଙ୍କା ବ୍ୟାବସାୟିକ ପ୍ରତିଷ୍ଠାନଙ୍କଠାରୁ କାହିଁକି ଆଦାୟ କରାଯାଉନି? ଯେଉଁ ଘର ମାଲିକମାନେ ଭଡ଼ା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି ଏବଂ ପାର୍କିଂ ଅଞ୍ଚଳରେ ଦୋକାନ ଖୋଲିଛନ୍ତି, ସେମାନେ କାହିଁକି ଅନ୍-ଷ୍ଟ୍ରିଟ୍ ପାର୍କିଂ ସ୍ଲଟ୍ କିଣିବେନି? ଏପରିକି ଜନପଥରେ ଥିବା ଲାଲଚାନ୍ଦ ଜୁଏଲର୍ସ, ଖିମ୍ଜୀ ଜୁଏଲର୍ସ ଭଳି ଅଳଙ୍କାର ସୋ’ରୁମ୍ ଗ୍ରାହକଙ୍କୁ ସୁବିଧା ଦେବା ପାଇଁ ଜନପଥରେ ତାଙ୍କ ସୋ’ରୁମ୍ ସାମ୍ନାରେ ଥିବା ବିଏମ୍ସି ପାର୍କିଂ ଅଞ୍ଚଳକୁ ନିଲାମ ନେଇଛନ୍ତି। ଆନୁଷ୍ଠାନିକ ପାର୍କିଂ ବାବଦରେ ସେମାନେ ବିଏମ୍ସିକୁ ବର୍ଷକୁ ବର୍ଷ ଟଙ୍କା ଦେଉଛନ୍ତି। ଏହି ନିୟମ ଅନ୍ୟ ସମସ୍ତ ଦୋକାନ ପାଇଁ କାହିଁକି ଲାଗୁ ହେବନି।
ଏନେଇ ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି ଯେ ଆମେ ଜନପଥରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନକୁ ନୋଟିସ୍ କରିବାକୁ ଯୋଜନା କରିଛୁ। ଲୋକଙ୍କ ସୁବିଧା ପାଇଁ ଯାହା ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଦରକାର ଆମେ ନେବୁ।