ପୁଣି ପାର୍କିଂ ଫି’ ନିୟମ ମାନିଲାନି ଏସ୍‌ପ୍ଲାନେଡ୍

ଅଭିଯୋଗ ପାଇବା ପରେ ବି ବିଡିଏ ଉପାଧ୍ୟକ୍ଷ ଚୁପ୍

ଭୁବନେଶ୍ବର: କୌଣସି ସପିଂ ମଲ୍‌ ପାର୍କିଂ ଫି’ ଆଦାୟ କରିପାରିବେନି। ଯିଏ ପାର୍କିଂ ଫି’ ଆଦାୟ କରିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହିଭଳି ନିୟମ ବିଏମ୍‌ସି ଓ ବିଡିଏ ପକ୍ଷରୁ ଅକ୍ଟେବାର ୧୬ରୁ ହୋଇଛି। ବିଭିନ୍ନ ସପିଂ ମଲ୍‌ ଏବେ ଏହି ନିୟମ ମାନି ଦୁଇ ମାସ ହେଲା ଆଉ ପାର୍କିଂ ଫି’ ଆଦାୟ କରୁନାହାନ୍ତି। କିନ୍ତୁ ଏହି ନିୟମ ନମାନିବା ମୁଡ଼୍‌ରେ ରସୁଲଗଡ଼ ଛକ‌େର ଥିବା ଏସ୍‌ପ୍ଲାନେଡ୍ ମଲ୍‌ ଅଛି। ବିଏମ୍‌ସି ଓ ବିଡିଏର ନିୟମକୁ ବେଖାତିର କରି ଆଜି ମଲ୍‌କୁ ଆସୁଥିବା ଲୋକଙ୍କ ଠାରୁ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିଛି। ଏପରିକି ଯେଉଁମାନେ ଏହାକୁ ବିରୋଧ କଲେ ସେମାନଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ବାରା ଦୁର୍ବ୍ୟବହାର କରିବାକୁ ବି ମଲ୍‌ କର୍ତ୍ତୃପକ୍ଷ ପଛାଇନଥିଲେ।

ଏସ୍‌ପ୍ଲାନେଡ୍‌ ମଲ୍‌ର ବେଆଇନ ପାର୍କିଂ ଫି’ ଆଦାୟ ନେଇ ଆଜି ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଅଭିଯୋଗ କରାଯାଇଥିଲେ ହେଁ ସେ ଏନେଇ କିଛି ପ‌ଦକ୍ଷେପ ନେଇନଥିଲେ। ଏପରିକି ବିଏମ୍‌ସିର କିଛି ଅଧିକାରୀ ଏସ୍‌ପ୍ଲାନେଡ୍‌ ମଲ୍‌ର ବେଆଇନ ପାର୍କିଂ ଫି’ ଆଦାୟ ନେଇ ଜାଣିବା ପରେ ବି କିଛି ପଦକ୍ଷେପ ନେଇନଥିଲେ। ଏହାର ଫାଇଦା ନେଇ ମଲ୍‌ କର୍ତ୍ତୃପକ୍ଷ ଲୋକଙ୍କୁ ଭୁଆଁ ବୁଲାଇଥିଲେ। ଲୋକମାନେ ଯେତେବେଳେ ମିଳିତଭାବେ ବେଆଇନ ପାର୍କିଂ ଫି’ ଆଦାୟକୁ ବିରୋଧ କଲେ ସେତେବେଳେ ମଲ୍‌ କର୍ତ୍ତୃପକ୍ଷ କହିଥିଲେ ଯେ, ଆମକୁ ପାର୍କିଂ ଫି’ ଆଦାୟ କରିବାକୁ ବିଏମ୍‌ସି ଅନୁମତି ଦେଇଛି। ଏପଟେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଏମ୍‌ସି ପକ୍ଷରୁ କାହାକୁ ପାର୍କିଂ ଫି’ ଆଦାୟ କରିବାକୁ ଅନୁମତି ଦିଆଯାଇନି। ଯେଉଁମାନେ ପାର୍କିଂ ଫି’ ଆଦାୟ କରୁଛନ୍ତି ତାହା ବେଆଇନ୍। କୌଣସି ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ଲୋକଙ୍କ ଠାରୁ ପାର୍କିଂ ଫି’ ଆଦାୟ କରିପାରିବେନି। ଏହି ସବୁ ସ୍ଥାନରେ ମାଗଣାରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ଯିଏ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିବ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଏମ୍‌ସି ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ଦେଖି ରାଜଧାନୀବାସୀ କହିଛନ୍ତି ଯେ, ମଲ୍‌ କର୍ତ୍ତୃପକ୍ଷଙ୍କ ସହ ବିଡିଏ, ବିଏମ୍‌ସି ଓ କମିସନରେଟ୍‌ ପୁଲିସର ବଡ଼ବାବୁମାନଙ୍କର କିଛି ଭିତିରିଆ ସମ୍ପର୍କ ରହିଛି ବୋଧେ, ଯେଉଁଥିପାଇଁ ସେମାନେ ଏହି ମଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି। ଆମେ କିଛି ପୁଲିସ ଅଧିକାରୀ, ବିଏମ୍‌ସି, ବିଡିଏର ବରିଷ୍ଠ ଅଧିକାରୀଙ୍କୁ ପାର୍କିଂ ଫି’ ଆଦାୟର ଟିକେଟ୍ ଦେବା ସତ୍ତ୍ବେ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଆଶ୍ଚର୍ଯ୍ୟର ବିଷୟ। ରାଜ୍ୟ ସରକାର ୫ଟି କଥା କହୁଛନ୍ତି କିନ୍ତୁ ବିଏମ୍‌ସି, ବିଡିଏର ବାବୁମାନେ ନିଜ ନିୟମ ଖିଲାପ କରୁଥିବା ମଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଯେଉଁ ମଲ୍‌ କର୍ତ୍ତୃପକ୍ଷ ନିୟମ ନମାନିବେ ସେହି ମଲ୍‌କୁ ସିଲ୍‌ କରାଯିବ ବୋଲି ଯେଉଁ ବାବୁମାନେ କହୁଥିଲେ ସେମାନେ ଏବେ କାହିଁକି ଚୁପ୍ ବସିଛନ୍ତି ଜଣାପଡ଼ୁନି।

ଆଜି ସରକାରୀ କାର୍ଯ୍ୟ ଦିବସ ଥିବାବେଳେ ବିଏମ୍‌ସି, ବିଡିଏର ଅଧିକାରୀମାନେ ଅଭିଯୋଗ ପାଇବା ପରେ ବି କାର୍ଯ୍ୟାନୁଷ୍ଠାନ ନେଲେନି। ବୁଧବାର ଓ ଗୁରୁବାର ଛୁଟିଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ବି ନାହିଁ। ଏପଟେ ଲମ୍ବା ଛୁଟି ଯୋଗୁ ମଲ୍‌ଗୁଡ଼ିକରେ ଭିଡ଼ ଜମୁଥିବାରୁ ମଲ୍‌ କର୍ତ୍ତୃପକ୍ଷ ଏହାର ଫାଇଦା ନେଇ ଏବେ ଲୋକଙ୍କୁ ଲୁଟିବାରେ ଲାଗିପଡ଼ିଛନ୍ତି। ଅପରପକ୍ଷେ ଆଜି କିଛି ଲୋକ ପାର୍କିଂ ଫି’ ଦେବେନି ବୋଲି କହିବାରୁ ସେମାନଙ୍କୁ ବାହାରେ ରାସ୍ତା ଉପରେ ଗାଡ଼ି ପାର୍କିଂ କରନ୍ତୁ ବୋଲି ସୁରକ୍ଷାକର୍ମୀ କହିଥିଲେ। ଏହାପରେ କିଛି ଲୋକ ରାସ୍ତା‌ କଡ଼‌େର ଗାଡ଼ି ପାର୍କିଂ କରିବାରୁ ରାସ୍ତା ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର