ବିଡିଏର ପାର୍କିଂ ଫି’ ଆଦାୟ ବନ୍ଦ ନିର୍ଦ୍ଦେଶ କେହି ମାନିଲେନି, ପୂରା ନିର୍ଭୟରେ ଆଦାୟ କଲେ

ଭୁବନେଶ୍ବର: କୌଣସି ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ଲୋକଙ୍କୁ ପାର୍କିଂ ଫି’ ଦେବାକୁ ପଡ଼ିବନି। ଏହି ସବୁ ସ୍ଥାନରେ ମାଗଣାରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ଯିଏ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିବ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିଭଳି ନିର୍ଦ୍ଦେଶନାମ‌ା ବିଡିଏ ପକ୍ଷରୁ ବୁଧବାର ସଂଧ୍ୟାରେ ଜାରି ହୋଇଥିଲା। ହେଲେ ଯେଉଁମାନଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହେଲା, ସେମାନେ ଆଜି କର୍ତ୍ତୃପକ୍ଷଙ୍କୁ ଖୋଲା ଚାଲେଞ୍ଜ ଦେଇ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିଛନ୍ତି। ନିର୍ଦ୍ଦେଶନାମା ଜାରି ହେବାର ୨୪ଘଣ୍ଟା ନ ପୂରୁଣୁ ସେମାନେ ପୂର୍ବ ଭଳି ପାର୍କିଂ ଫି’ ଆଦାୟ କରିବାରେ ଲାଗି ପଡ଼ିଛନ୍ତି।

ବିଡିଏ ବେଆଇନ ପାର୍କିଂ ଫି’ ଆଦାୟ ଉପରେ ରୋକ୍ ଲଗାଇବା ପରେ ବିଭିନ୍ନ ସପିଂ ମଲ୍‌, ମଲ୍ଟିପ୍ଲେକ୍ସରେ ସ୍ଥିତି କେମିତି ଅଛି, ତାହା ପରଖିଥିଲା ‘ସମ୍ବାଦ’ ଟିମ୍‌। ଆମେ ଦେଖିଥିଲୁ ଯେ ଯେଉଁଠି ପାର୍କିଂ ଫି’ ଆଦାୟ ନକରିବା ନିୟମ ହୋଇଛି ସେଠାରେ ପୂରା ନିର୍ଭୟରେ ପାର୍କିଂ ଫି’ ଆଦାୟ ହେଉଛି। କେତେକ ଜାଗାରେ ବାଇକ୍ ପାଇଁ ଫି’ ଆଦାୟ ହେଉଥିବା ବେଳେ କାର୍‌ ପାର୍କିଂକୁ ମାଗଣା କରାଯାଇଛି। ଆଉ କିଛି ସ୍ଥାନରେ ପାର୍କିଂ ଅଞ୍ଚଳ ଖାଲି ଥିବା ସତ୍ତ୍ବେ ପାର୍କିଂ ଫୁଲ୍‌ ହୋଇଯାଇଛି ‌କହି ଲୋକଙ୍କୁ ଫେରାଇ ଦିଆଯାଉଥିଲା।

ରିପୋର୍ଟ: ବିଶ୍ବଜିତ ଦାଶ, ଫଟୋ: ବିଭୂତି ସାହୁ

ଏସ୍‌ପ୍ଲାନେଡ୍ ୱାନ୍ ମଲ୍‌ରେ ବି ଲୁଟିଲେ

ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରେ ଆଜି ପୂରା ନିର୍ଭୟରେ ପାର୍କିଂ ଫି’ ଆଦାୟ ହୋଇଥିଲା। ଯିଏ ବାଇକ୍ ନେଇ ଆସୁଥିଲେ ସେମାନଙ୍କଠାରୁ ୧୦ଟଙ୍କା, କାର୍‌ ପାଇଁ ୩୦ଟଙ୍କା ହିସାବରେ ଫି’ ଆଦାୟ ହୋଇଥିଲା। ଆଜି ପୂରା ଦିନତମାମ୍ ଏଠାରେ ବେଆଇନ୍ ଭାବେ ପାର୍କିଂ ଫି’ ଆଦାୟ ହୋଇଥିଲେ ହେଁ କମିସନରେଟ୍ ପୁଲିସ, ବିଏମ୍‌ସି ଓ ବିଡିଏ କେହି ବି ଚଢ଼ଉ କରିନଥିଲେ କି ଏହି ବେଆଇନ ପାର୍କିଂ ଫି’ ଆଦାୟ ଉପରେ ରୋକ୍ ଲଗାଇ ନଥିଲେ।

ମଲ୍ଟିପ୍ଲେକ୍ସ, ସିନେମା ହଲ୍‌ ବି ମାନିଲେନି
ଏସ୍‌ କମ୍ପ୍ଲେକ୍ସ ଏବଂ ମହାରାଜା ସିନେମା ହଲ୍‌ରେ କାର୍‌ ପାର୍କିଂ ପୂର୍ବଭଳି ମାଗଣା ଥିବା ବେଳେ ବାଇକ୍ ପିଛା ୫ଟଙ୍କା ହିସାବରେ ଫି’ ଆଦାୟ ହେଉଥିଲା। ଯେମିତି କ’ଣ ନିୟମ ହୋଇଛି ଜାଣିନାହାନ୍ତି। ମାଗଣାରେ ପାର୍କିଂ ଯୋଗାଇବା ଯେ ପ୍ରକୃତ ନିୟମ, ତାହା ସେମାନେ ନବୁଝିବା ପରି ଲୋକଙ୍କ ସହ ବ୍ୟବହାର କରୁଥିଲେ।

ଫୋରମ୍‌ ମାର୍ଟରେ କହୁଛନ୍ତି ‘ଟୁ ହୁଇଲର୍‌ ପାର୍କିଂ ଫୁଲ୍‌’
ଫୋରମ୍‌ ମାର୍ଟରେ ଆଜି ମଧ୍ୟାହ୍ନରେ ପାର୍କିଂ ସ୍ଥିତି ପରଖିବାକୁ ଆମେ ଗେଟ୍‌ରେ ପ୍ରବେଶ କରିବାରୁ ଟିକେଟ୍‌ କାଟିବାକୁ ପିଓଏସ୍‌ ମେସିନ୍ ଧରିଥିବା ସୁରକ୍ଷା କର୍ମୀ କହିଥିଲେ ‘ଟୁ ହୁଇଲର୍ ପାର୍କିଂ ଫୁଲ୍‌’ ବାହାରେ ପାର୍କିଂ କରନ୍ତୁ। ପ୍ରକୃତରେ ମଲ୍‌ର ପାର୍କିଂ ଅଞ୍ଚଳ ଫୁଲ୍‌ ଅଛି କି ନାହିଁ ଯାଞ୍ଚ କରିବାକୁ ଆମେ ମଲ୍‌ର ପାର୍କିଂ ଅଞ୍ଚଳକୁ ଯାଇଥିଲୁ। ସେଠାରେ ଦେଖିଥିଲୁ ଦୁଇଟି ଧାଡ଼ିରେ କିଛି ବାଇକ୍ ପାର୍କିଂ ହୋଇଛି। ଏହାସହ ୧୫ଟି କାର୍ ପାର୍କିଂ ହୋଇଛି। ବାକି ଅଞ୍ଚଳ ପୂରା ଖାଲି ପଡ଼ିଛି। ସେହିପରି ପାର୍କିଂକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଥିବା ରାସ୍ତାର ଦୁଇ ପାର୍ଶ୍ବରେ ମଲ୍‌ କର୍ତ୍ତୃପକ୍ଷ ବାଇକ୍ ପାର୍କିଂ କରିଥିଲେ ହେଁ ସେଠାରେ ବି ବହୁ ସ୍ଥାନ ଖାଲି ଥିଲା।

ସ୍ପେସ୍‌ ମେଣ୍ଟେନାନ୍ସ ଚାର୍ଜ ନାଁରେ ପାର୍କିଂ ଫି’ ଆଦାୟ
ଯେଉଁ ବିଡିଏ ଉପାଧ୍ୟକ୍ଷ ସପିଂ ମଲ୍‌ ପାର୍କିଂ ଫି’ ଆଦାୟ କରିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ସେ ବିଏମ୍‌ସି କମିସନର ଅଛନ୍ତି। ସେ ବି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସ୍ମାର୍ଟ ସିଟି କାର୍ଯ୍ୟାଳୟ ଚାଲିଥିବା ଏହି ବିଏମ୍‌ସି-ଭବାନୀ ମଲ୍‌ରେ ଆଜି ଲୋକଙ୍କଠାରୁ ବେଆଇନ ଭାବେ ପାର୍କିଂ ଫି’ ଆଦାୟ ହୋଇଛି। ବାଇକ୍ ପିଛା ୧୦ଟଙ୍କା, କାର୍‌ ପିଛା ୩୦ଟଙ୍କା ହିସାବରେ। ବିଏମ୍‌ସି ସହଭାଗିତାରେ ହୋଇଥିବା ଏହି ମଲ୍‌ରେ ଆଜି ଲୋକଙ୍କୁ ଧମକାଇ ପାର୍କିଂ ଫି’ ଆଦାୟ ହୋଇଥିଲା। ବିଡିଏ ନିୟମ କରିଛି ବୋଲି କହିବାରୁ ଉତ୍ତର ମିଳିଥିଲା ବିଡିଏ ନିୟମ ଆମେ ମାନିବୁନି। ଆମେ ପାର୍କିଂ ଫି’ ନେଉନୁ। ସ୍ପେସ୍ ମେଣ୍ଟେନାନ୍ସ ଚାର୍ଜ ନେଉଛୁ।

ସେଣ୍ଟ୍ରାଲ ମଲ୍‌ରେ ହୋଇଛି ଗୋ‌ଦାମ, ପାଣ୍ଟାଲୁନ୍ସରେ ପାର୍କିଂ ନାହିଁ
ସେଣ୍ଟ୍ରାଲ ମଲ୍‌ରେ ଅଧାରୁ ଅଧିକ ଅଞ୍ଚଳରେ ଗୋଦାମ ଘର ହୋଇଛି। ମାତ୍ର ୧୦/୧୨ଟି କାର୍‌ ପାର୍କିଂ ପାଇଁ ବ୍ୟବସ୍ଥା ରହିଛି। ଏହି ପାର୍କିଂ ପାଇଁ କିନ୍ତୁ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ୁନି। ସେହିପରି ପାଣ୍ଟାଲୁନ୍ସ ମଲ୍‌ରେ ପାର୍କିଂ ବ୍ୟବସ୍ଥା ନଥିବା ବେଳେ ଏହା ସାମ୍ନାରେ ଥିବା ବିଏମ୍‌ସି ପାର୍କିଂ ଅଞ୍ଚଳରେ ଏବେ ମାଗଣା ପାର୍କିଂ ଯୋଗାଇ ଦିଆଯାଉଛି। ହେଲେ ରାସ୍ତା ଉପରେ ବେଆଇନ ଭାବେ କାର୍‌ ପାର୍କିଂ ହେଉଛି। ଦୁଇଟି ମଲ୍‌ ଲାଗିକି ଥିବାରୁ ଏହି ସାମ୍ନାରେ ରାସ୍ତା ଅସମ୍ଭାଳ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା।

ଭବାନୀ ମଲ୍‌ ନିର୍ଦ୍ଦେଶକଙ୍କୁ ନୋଟିସ୍ କଲା ବିଏମ୍‌ସି
ବିଏମ୍‌ସି-ଭବାନି ମଲ୍‌ରେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଭବାନି କନଷ୍ଟ୍ରକସନ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକଙ୍କୁ ଆଜି ବିଏମ୍‌ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ତୁରନ୍ତ ବେଆଇନ ପାର୍କିଂ ଫି’ ଆଦାୟ ବନ୍ଦ କରିବାକୁ କୁହାଯାଇଛି। ନଚେତ୍ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଚଢ଼ାଉ ଜୋରଦାର୍ କରିବାକୁ ଜେଡ୍‌ଡିସିଙ୍କୁ ‌ନିର୍ଦ୍ଦେଶ
ବିଏମ୍‌ସିର ତିନିଜଣ ଯାକ ଜୋନାଲ ଡେପୁଟି କମିସନରଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା ବିଭିନ୍ନ ସପିଂ ମଲ୍‌, ହସ୍ପିଟାଲ, ମଲ୍ଟିପ୍ଲେକ୍ସରେ ଜୋରଦାର୍ ଚେକିଂ କରିବାକୁ ଆଜି ବିଏମ୍‌ସି କମିସନର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ବେଆଇନ ପାର୍କିଂ ଫି’ ଆଦାୟ ହେଉଥିବ ସେଠାରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଆଜି ଏନେଇ ବିଏମ୍‌ସି ଅଫିସରେ ଏକ ବୈଠକ ବସି କାଲିଠାରୁ ଆରମ୍ଭ ହେବାକୁ ଥିବା ଚଢ଼ଉ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ବାପୁଜୀନଗରରେ ବିନା ଅନୁମତିରେ ଆଦାୟ ହେଉଥିଲା ପାର୍କିଂ ଫି’
ବାପୁଜୀନଗରରେ ରାଜ୍ ଇଲେକ୍ଟ୍ରୋନିକ୍ସ ସମ୍ମୁଖରେ କ୍ରିଷ୍ଣା ପରିଡ଼ା ନାମକ ଜଣେ ଯୁବକ ବେଆଇନ୍ ଭାବେ ରାସ୍ତାରୁ ପାର୍କିଂ ଫି’ ଆଦାୟ କରୁଥିବାବେଳେ ବିଏମ୍‌ସିର ଏନଫୋର୍ସମେଣ୍ଟ ଟିମ୍‌ ତାକୁ ଧରିଛି। ସେ କହିଛି ଯେ ତା’ର ମାଲିକ ସୁଶାନ୍ତ ସାହୁ ତାକୁ ପାର୍କିଂ ଟିକେଟ୍‌ ଦେଇ ଫି’ ଆଦାୟ କରିବାକୁ କହିଥିଲା। ତେଣୁ ସେ ଆଦାୟ କରୁଥିଲା। ଏ‌ ସୁଶାନ୍ତ ସାହୁ କିଏ? ବିଏମ୍‌ସି ଏହି ବ୍ୟକ୍ତିଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର