ଭୁବନେଶ୍ବର: ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ପାର୍କିଂ ଫି’ ଦେବାକୁ ପଡ଼ିବନି। ଏହି ସବୁ ସ୍ଥାନରେ ମାଗଣାରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ଯିଏ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିବ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୧୯ ମସିହା ଅକ୍ଟୋବର ୧୬ ତାରିଖ‌ରେ ଏହିଭଳି ନିର୍ଦ୍ଦେଶନାମ‌ା ଜାରି କରିଥିଲା ବିଡିଏ। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ବୁଲି ଚଢ଼ଉ କଲା। କେତେକ ମଲ୍‌ କୋର୍ଟ ବି ଗଲେ। ହେଲେ କିଛି ଲାଭ ହେଲା ନାହିଁ। ଶେଷରେ ବିଡିଏର ନିର୍ଦ୍ଦେଶ କାଏମ୍‌ ରହିଲା। ମଲ୍‌ରେ ପାର୍କିଂ ମାଗଣା ହେଲା। ହେଲେ ଏହି ନିୟମକୁ ଏବେ ବିଏମ୍‌ସି ପରିବର୍ତ୍ତନ କରିବାକୁ ବସିଛି। ମଲ୍‌ରେ ପାର୍କିଂ ଫି ଆଦାୟ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

Advertisment

ଏଭଳି ନିଷ୍ପତ୍ତି ନେବା ପଛରେ ବିଏମ୍‌ସି ଏକ ବଡ଼ କାରଣ ଦେଖାଇଛି। ତାହା ହେଉଛି ମଲ୍‌ ଭିତରେ ପାର୍କିଂ ମାଗଣା ହେବା ପରେ କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ଓ ବଡ଼ବଡ଼ିଆ ଏହାକୁ ପାର୍କିଂ ଭାବରେ ବ୍ୟବହାର କରୁଥିଲେ। ବ୍ୟବସାୟ ସ୍ଥଳକୁ ଆସିବା ପରେ କାର୍‌ ଏଠାରେ ପାର୍କିଂ କରୁଥିଲେ। ଯଦିଓ ମଲ୍‌ ସହ ତାଙ୍କ ବ୍ୟବସାୟ ସ୍ଥଳର କୌଣସି ସମ୍ପର୍କ ନଥିଲା। ମଲ୍‌ ଠାରୁ କିଛି ଦୂରରେ ବ୍ୟାବସାୟିକ ପ୍ରତିଷ୍ଠାନ ରହିଥିଲା। ସାରା ଦିନ ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ କାର୍‌ ଛିଡ଼ା ହୋଇ ରହୁଥିଲା‌। ଏଭଳି ଏକାଧିକ କାର୍‌ ପାର୍କିଂ ଫଳରେ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇ ଯାଉଥିଲା। ଜାଗା ନଥିବାରୁ ମଲ୍‌କୁ ଆସୁଥିବା ଗ୍ରାହକ ବାହାରେ ଗାଡ଼ି ରଖୁଥିଲେ। ବାହାରେ ପାର୍କିଂ ବେଆଇନ ହୋଇଥିବାରୁ ଗାଡ଼ିଗୁଡ଼ିକୁ ଉଠାଇ ନିଆଯାଉଥିଲା। ମୋଟା ଅଙ୍କର ଜରିମାନା ଦେଇ ଗ୍ରାହକ ଗାଡ଼ି ମୁକୁଳାଉଥିଲେ। ବଡ଼ବଡ଼ିଆଙ୍କ ପାଇଁ ତଣ୍ଡ ଗଣୁଥିଲା ସାଧାରଣ ଗ୍ରାହକ। ମଲ୍‌ର ବ୍ୟବସାୟୀ ମଧ୍ୟ କ୍ଷତିଗ୍ରସ୍ତ ହେଉଥିଲା। ଅନେକ ଗ୍ରାହକ ପାର୍କିଂ ନ ଥିବା ଯୋଗୁ ଫେରି ଯାଉଥିବା‌ ବେଳେ ଥରେ ଗାଡ଼ିପାଇଁ ତଣ୍ଡ ଗଣୁଥିବା ଗ୍ରାହକ ସେହି ମଲ୍‌କୁ ଆଉ ଆସୁନଥିଲା।

ଏଭଳି ସ୍ଥିତି ନେଇ ବାରମ୍ବାର ଅଭିଯୋଗ ହେବାରୁ ପବ୍ଲିକ୍‌ ୱାର୍କସ୍‌ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା ଏହି ପ୍ରସଙ୍ଗ ଗତ କର୍ପୋରେସନ ବୈଠକରେ ଉଠାଇଥିଲେ। ସେ ଦର୍ଶାଇଥିଲେ ଯେ, ମଲ୍‌ରେ ପାର୍କିଂ ଦେୟ ନ ନେବା ପାଇଁ ବିଡିଏ ନିଷ୍ପତ୍ତି ନେଇଥିଲା। କିନ୍ତୁ କେତେକ ଏହାର ଦୁରୁପଯୋଗ କରି ଗାଡ଼ି ପାର୍କିଂ କଲେ। ଫଳରେ ମଲ୍‌କୁ ଆସୁଥିବା ଗ୍ରାହକଙ୍କ ଗାଡ଼ି ପାର୍କିଂ ପାଇଁ ସ୍ଥାନାଭାବ ହେଲା। ମଲ୍‌ମାଲିକମାନେ ପାର୍କିଂ ଦେୟ ଆଦାୟ କରିପାରିବେ ବୋଲି ନିକଟରେ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି। ଓଡ଼ିଶାର ଅନ୍ୟ ସହରରେ ମଲ୍‌ମାଲିକମାନେ ପାର୍କିଂ ଫି ଆଦାୟ କରୁଛନ୍ତି। ଏଣୁ ବିଏମ୍‌ସି ଅଞ୍ଚଳରେ ଥିବା ମଲ୍‌ମାଲିକମାନଙ୍କୁ ପାର୍କିଂ ଫି ଆଦାୟ କରିବାକୁ ଅନୁମତି ଦିଆଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ପାର୍କିଂ ଫି ଆଦାୟ କରିବା ପାଇଁ ମଲ୍‌ ତଥା ମଲ୍ଟିପ୍ଲେକ୍ସ କର୍ତ୍ତୃପକ୍ଷ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ଏଠାରେ ପ୍ରଶ୍ନଉଠିଛି, ବଡ଼ବଡ଼ିଆଙ୍କ ପାଇଁ କାହିଁକି ସାଧାରଣ ଲୋକ ପାର୍କିଂ ଫି ଗଣିବେ? ଦୀର୍ଘ ଦିନ ଧରି ଗାଡ଼ି ପାର୍କ କରୁଥିବା ମାଲିକଙ୍କୁ ଖୋଜି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନି? ଏହି ନିଷ୍ପତ୍ତି ପୂର୍ବରୁ ନିୟମ କରିଥିବା ବିଡିଏ ସହ କାହିଁକି ଯୋଗାଯୋଗ କିମ୍ବା ସମନ୍ବୟ ରଖାଯାଇ ନାହିଁ? ନିୟମ ଦୁରୁପଯୋଗ ଆଳରେ ମଲ୍‌ମାଲିକମାନଙ୍କ ରାଜସ୍ବ ବଢ଼ାଇବା ଯୋଜନା ହୋଇ ନାହିଁ ତ’? ଏଭଳି ଅନେକ ପ୍ରଶ୍ନ ବିଏମ୍‌ସିର ଏହି ନିଷ୍ପତ୍ତିକୁ ବିବାଦୀୟ କରିଛି। ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି, ବୈଠକରେ ଏହି ନିଷ୍ପତ୍ତି ହୋଇଛି। କିନ୍ତୁ ଏବେ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗିଥିବାରୁ ଏହା ଏବେ କାର୍ଯ୍ୟକାରୀ ହେବାର ନାହିଁ। କାର୍ଯ୍ୟକାରୀ ହେବା ଯଥେଷ୍ଟ ପୂର୍ବରୁ ମଲ୍‌ମାଲିକ ଓ ସର୍ବସାଧାରଣଙ୍କୁ ଅବଗତ କରାଯିବ।