ଭୁବେନଶ୍ବର: ରାଜଧାନୀରେ ବିଏମ୍ସିର ପାର୍କିଂ ଜୁଲମ୍ ଆହୁରି ବଢ଼ିବାକୁ ଯାଉଛି। ଏବେ ଦୁଇ ଘଣ୍ଟା ପରେ ଘଣ୍ଟା ପ୍ରତି ପାର୍କିଂ ଫି’ ଆଦାୟ ହେଉଥିବା ବେଳେ ଆଗାମୀ ଦିନରେ ପିକ୍ ଆୱାରରେ ଅର୍ଥାତ୍ ରାଜଧାନୀର ସବୁଠୁ ଅଧିକ ଭିଡ଼ ସମୟ ସକାଳ ୯ଟାରୁ ୧୧ଟା, ଅପରାହ୍ଣ ୪ଟାରୁ ୭ଟା ପର୍ଯ୍ୟନ୍ତ ଅଧିକ ପାର୍କିଂ ଫି’ ଆଦାୟ ହେବ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।
ବିଏମ୍ସି ନିଜର ଅପାରଗତା ଲୁଚାଇବାକୁ ସାଧାରଣ ଲୋକଙ୍କ ଉପରେ ପାର୍କିଂ ଜୁଲମ୍ ଆରମ୍ଭ କରିଛି ବୋଲି କୁହାଯାଉଛି। ରାଜଧାନୀର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ, ସୋ’ରୁମ୍ ଆଦି ହୋଇଥିବା କୋଠାଗୁଡ଼ିକ ବିଡିଏ ଓ ବିଏମ୍ସିର ବିଲ୍ଡିଂ ଓ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରିଛନ୍ତି। ଯେତିକି ଅଞ୍ଚଳ ପାର୍କିଂ ପାଇଁ ଛାଡ଼ିବା କଥା, ସେତିକି ନଛାଡ଼ି ଦୋକାନ ଘର କରିଦେଇଛନ୍ତି। ସେମାନଙ୍କଠାରୁ ଜରିମାନା ଆଦାୟ କରିବା କି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏବେ ସାଧାରଣ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ କରାଯାଉଛି। ତାହା ପୁଣି ମନଇଚ୍ଛା ନିୟମ ଲାଗୁ କରି।
ବାସ୍ତବ ରୂପ ନେଲାନି ମୋ ସାଇକେଲ୍-ମୋ ବସ୍ ଲିଙ୍କ୍ ଯୋଜନା
ବିଏମ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଆଇଜେଡ୍ ସଂସ୍ଥା ପକ୍ଷରୁ ଭୁବନେଶ୍ବରର ପାର୍କିଂ ବ୍ୟବସ୍ଥା ନେଇ ସର୍ଭେ ହୋଇଥିଲା। ଏଥିରେ କିପରି କମ୍ ଜାଗାରେ ଅଧିକ ପାର୍କିଂ ହୋଇପାରିବ, ପାର୍କିଂ ଅଞ୍ଚଳରେ କିପରି ଭିଡ଼ କମିବ, ଅଧିକ ଲୋକ କିପରି ସାଧାରଣ ପରିବହନ ବ୍ୟବସ୍ଥାରେ ସାମିଲ୍ ହେବେ, ସେନେଇ ସର୍ଭେ ହୋଇଥିଲା। ଏହାପରେ ସ୍ମାର୍ଟ ପାର୍କିଂ ପଦ୍ଧତି ଆପଣାଇବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଜିଆଇଜେଡ୍ ପ୍ରସ୍ତାବ ଦେଇଛି ଯେ ବ୍ୟସ୍ତ ସମୟ ବା ପିକ୍ ଆୱାର୍ରେ ଲୋକଙ୍କଠାରୁ ଅଧିକ ପାର୍କିଂ ଫି’ ଆଦାୟ କଲେ, ଲୋକ ରାସ୍ତାରେ ଗାଡ଼ି ପାର୍କିଂ କରିବେନି। ଫଳରେ ରାସ୍ତାଗୁଡ଼ିକ ଫାଙ୍କା ହୋଇଯିବ। ଯଦି କେହି ପାର୍କିଂ କରେ, ତେବେ ଦୁଇ ଗୁଣା ଅଧିକ ଫି’ ଲାଗୁ ହେବ। ଏହାଦ୍ବାରା ବିଏମ୍ସିର ରାଜସ୍ବ ବଢ଼ିବ, ରାସ୍ତାରେ ଅଯଥା ଭିଡ଼ ହେବନି।
ଜିଆଇଜେଡ୍ ସୁପାରିସ୍ ଅନୁଯାୟୀ, ପାର୍କିଂ ଅବଧି ଦୁଇ ଘଣ୍ଟାକୁ କମାଯିବା ସହ ପ୍ରତି ଘଣ୍ଟା ପିଛା ପାର୍କିଂ ଫି’ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ରାଜଧାନୀର ସବୁ ପାର୍କିଂ ଅଞ୍ଚଳ ନିଲାମ ହୋଇଗଲେ ଏବଂ ନୂଆ ନିୟମ ଅନୁଯାୟୀ ପାର୍କିଂ ଫି’ ଆଦାୟ ହେଲେ, ପିକ୍ ଆୱାର ବ୍ୟବସ୍ଥା ଲାଗୁ ହେବ। ଆସନ୍ତା ଦୁଇ ତିନି ମାସ ପରେ ଏହା ଲାଗୁ ହେବ। ପିକ୍ ଆୱାର୍ରେ ଅଧିକ ପାର୍କିଂ ଫି’ ଆଦାୟ କଲେ ଲୋକମାନେ ପାର୍କିଂ ଫି’ ବୋଝରୁ ରକ୍ଷା ପାଇବା ପାଇଁ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭର କରିବେ। ଏହାଦ୍ବାରା ମୋ ବସ୍ରେ ଅଧିକ ଯାତ୍ରୀ ହେବେ। ମୋ ବସ୍ ଯୋଜନା ସଫଳ ହେବ, ରାଜଧାନୀର ପ୍ରଦୂଷଣ କମିବ ଏବଂ ଗାଡ଼ି ପାର୍କିଂ ଜନିତ ଭିଡ଼ ସମସ୍ୟାର ସମାଧାନ ହେବ। ବିଏମ୍ସି କର୍ତ୍ତୃପକ୍ଷ ରାଜଧାନୀର ବାସ୍ତବ ସ୍ଥିତି, ସାଧାରଣ ପରିବହନ ବ୍ୟବସ୍ଥା କେତେଦୂର ଲୋକଙ୍କ ପାଇଁ ଉପଯୋଗୀ ହେଉଛି, ପାର୍କିଂ ଫି’ ଦେଲେ ଲୋକଙ୍କୁ କେତେ ବାଧୁଛି ତାହାର ସର୍ଭେ କଲେନି। ଜିଆଇଜେଡ୍ ବି ଭୁବନେଶ୍ବରେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ କିପରି ପାର୍କିଂ ଅଞ୍ଚଳକୁ ଦୋକାନରେ ପରିଣତ କରିଦେଇଛି, ତାହା ଜାଣିନି। ଜିଆଇଜେଡ୍କୁ ବ୍ୟବସ୍ଥିତ ପାର୍କିଂ ପାଇଁ କୁହାଗଲା ସେ ଯାହା ରିପୋର୍ଟ ଦେଲା, ତାହାକୁ ବିଏମ୍ସି କର୍ତ୍ତୃପକ୍ଷ ସମୀକ୍ଷା ନକରି ଲାଗୁ କରିବାରେ ଲାଗିଛନ୍ତି।
ଯିଏ ସାଧାରଣ ଲୋକଙ୍କୁ ପାର୍କିଂ ଫି’ ନାଁରେ ଶୋଷଣ କରିବାକୁ ଯୋଜନା କରିଛନ୍ତି, ସେମାନଙ୍କୁ କିଏ ବୁଝାଇବ! ଏବେ ବି ମୋ ବସ୍ କେବଳ ରାଜଧାନୀର ପ୍ରମୁଖ ରାସ୍ତାରେ ଯାତାୟାତ କରୁଛି। ତାହା ପୁଣି ପ୍ରତି ୨୦ରୁ ୨୫ ମିନିଟରେ ଗୋଟିଏ ବସ୍ ଆସୁଛି। ବିଭିନ୍ନ ଗଳି କିମ୍ବା ଗତ ୫/୭ବର୍ଷ ଭିତରେ ବିକଶିତ ହୋଇଥିବା ଅଞ୍ଚଳକୁ ମୋ ବସ୍ ଯାଉନି। ସେମାନେ ଯଦି ମୋ ବସ୍ରେ ଯାତାୟାତ କରିବାକୁ ଘରୁ ବାହାରିବେ, ତେବେ ୧୦୦ ଟଙ୍କାର ଅଟୋ ଭଡ଼ା କଲେ ବସ୍ ପାଇବେ। ତାହା ପୁଣି ୨୦ରୁ ୨୫ ମିନିଟ୍ ଅପେକ୍ଷା କଲେ। ବ୍ୟସ୍ତବହୁଳ ରାଜଧାନୀରେ କେଉଁ ଲୋକ ପାଖରେ ବସ୍କୁ ୨୦ମିନିଟ୍ ଅପେକ୍ଷା କରିବା ପାଇଁ ସମୟ ଅଛି? ଘରୁ କାର୍ରେ ଆସିଲେ ଯଦି ୫୦ଟଙ୍କାର ତେଲ ସରିବ ତେବେ ସେ କାହିଁକି ୨୦୦ରୁ ୨୫୦ ଟଙ୍କା ଖର୍ଚ୍ଚ କରି ସାଧାରଣ ପରିବହନ ବ୍ୟବସ୍ଥାରେ ସାମିଲ୍ ହେବ? ଏହାବାଦ୍ ମୋ ସାଇକେଲ୍ରେ ଲୋକ ଆସି ମୋ ବସ୍ରେ ଯାତାୟାତ କରିବା ନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଯେଉଁ ସ୍ବପ୍ନ ଦେଖାଇଥିଲେ, ମୋ ସାଇକେଲ୍ ଯୋଜନା ଫେଲ୍ ମାରିବା ପରେ ସେ ସ୍ବପ୍ନ ବି ଉଭେଇ ଯାଇଛି।