କ୍ୟାପିଟାଲ ହାଟରେ ପାର୍କିଂ ଯନ୍ତ୍ରଣା: ଗାଡ଼ି ରଖିବେ କେଉଁଠି?

ଭୁବନେଶ୍ବର: ସମ୍ପ୍ରତି କ୍ୟାପିଟାଲ ହାଟରେ ଗ୍ରାହକମାନଙ୍କ ପାଇଁ ବାଇକ୍ ପାର୍କିଂ କରିବା ଏକ ବଡ଼ ସମସ୍ୟା ହୋଇଛି। ପୂର୍ବରୁ ବାଇକ୍‌ ରହୁଥିବା ସ୍ଥାନକୁ କେବଳ କାର୍ ପାର୍କିଂ ପାଇଁ ସୀମିତ କରାଯାଇଥିବାରୁ ଏହି ସମସ୍ୟା ଉପୁଜିଛି। ତେଣୁ ଗ୍ରାହକମାନେ ବାଇକ୍‌ ରଖିବାକୁ ସ୍ଥାନ ନ ପାଇ ଏବେ ଏହି ହାଟରୁ ମୁହଁ ଫେରାଉଥିବା ଜଣାପଡ଼ିଛି। ଫଳରେ ଏହି ହାଟରେ ଆଉ ଆଗ ଭଳି ବେପାର ହେଉନାହିଁ ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ବିଏମ୍‌ସି କର୍ତ୍ତୃପକ୍ଷ ବାଇକ୍‌ ରଖିବା ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା ନ କଲେ ରାଜଧାନୀର ଏହି ପୁରାତନ ହାଟ ଅବସ୍ଥା ଶୋଚନୀୟ ହୋଇପଡ଼ିବ ଓ ହଜାର ହଜାର ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ ବୋଲି ବ୍ୟବସାୟୀ ସଂଘ ବିଏମ୍‌ସି ନିକଟରେ ଅଭିଯୋଗ କରିଛି।

ଆକଳନ ଅନୁସାରେ, ଏହି ହାଟକୁ ପ୍ରତିଦିନ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଗ୍ରାହକ ଆସୁଛନ୍ତି। ହାଟରେ ବ୍ୟବସାୟୀ ସଂଖ୍ୟା ୧୫ଶହ। ପୁଣି ବହୁ ବ୍ୟବସାୟୀଙ୍କ ପାଖରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ବି ୫ଶହରୁ ଅଧିକ ହେବ। ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀମାନେ ପ୍ରାୟ ବାଇକ୍‌ ବ୍ୟବହାର କରୁଛନ୍ତି। ତେଣୁ ସେମାନଙ୍କ ବାଇକ୍‌ ସଂଖ୍ୟା ୨ ହଜାରରୁ ଅଧିକ ହେବ। ଅନ୍ୟପକ୍ଷରେ ପୂର୍ବରୁ ଥିବା ବାଇକ୍‌ ଷ୍ଟାଣ୍ଡରେ ଅତିବେଶିରେ ୮ ଶହ ବାଇକ୍‌ ରହିବା ସମ୍ଭବ। ଅର୍ଥାତ୍ କେବଳ ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀଙ୍କ ବାଇକ୍‌ ରଖିବା ପାଇଁ ଉକ୍ତ ଷ୍ଟାଣ୍ଡରେ ସ୍ଥାନାଭାବ ସବୁବେଳେ ରହିଛି। ଅବଶ୍ୟ ସେମାନଙ୍କ ବାଇକ୍‌ ପ୍ରାୟ ଷ୍ଟାଣ୍ଡ ବାହାରେ ରହୁଥିବାରୁ ଗ୍ରାହକମାନେ ବାଇକ୍‌ ରଖିବା ପାଇଁ କିଛି ସ୍ଥାନ ପାଆନ୍ତି। ପୂର୍ବରୁ କ୍ୟାପିଟାଲ୍ ଥାନାରୁ ପେଟ୍ରୋଲ ପମ୍ପ୍ ପର୍ଯ୍ୟନ୍ତ ଥିବା ଲେନ୍‌ରେ ବାଇକ୍ ପାର୍କିଂ ପାଇଁ ସୁବିଧା ଥିଲା। ତେଣୁ ଗ୍ରାହକମାନଙ୍କ ବାଇକ୍‌ ପାର୍କିଂ ସମସ୍ୟା ବହୁ ପରିମାଣରେ ସମାଧାନ ହୋଇଯାଉଥିଲା। ମାତ୍ର ବର୍ତ୍ତମାନ ସେଠାରେ କେବଳ କାର୍ ପାର୍କିଂ କରାଯିବ ବୋଲି ବିଏମ୍‌ସି ନିୟମ କରିଛି। ଫଳରେ ସେଠାରେ ରହି ଯାଉଥିବା ଏକ ହଜାରରୁ ଊର୍ଦ୍ଧ୍ବ ବାଇକ୍ ରହିବା ପାଇଁ ଆଉ ଜାଗା ନାହିଁ। ତେଣୁ ଏହି ହାଟକୁ ଆସୁଥିବା ଲୋକେ ବାଇକ୍‌ ରଖିବା ପାଇଁ ବଡ଼ ହୀନସ୍ତା ହେଉଛନ୍ତି। ହାଟର ବ୍ୟବସାୟୀ ସଂଘର ସଭାପତି ଗୟାଧର ସ୍ବାଇଁଙ୍କ କହିବା କଥା, ବର୍ତ୍ତମାନ ବ୍ୟବସାୟୀମାନଙ୍କ ଗାଡ଼ି ରଖିବା ପାଇଁ ସ୍ଥାନ ନାହିଁ। ତେଣୁ ଦୈନିକ ହାରାହାରି ୧୦ ହଜାର ଗ୍ରାହକଙ୍କ ବାଇକ୍‌ ରହିବ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ହାଟ ଚାରିକଡ଼ରେ ଥିବା ଡ୍ରେନ୍ ଓ ରାସ୍ତାକୁ କବ୍‌ଜା କରି ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ଦୋକାନ ରହିଛି। ଏହି ସବୁ ଉଠା ଦୋକାନୀଙ୍କୁ ଏଠାରୁ ହଟାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ବିଏମ୍‌ସି ଟାଳଟୁଳ ନୀତି ଅବଲମ୍ବନ କରି ଏମାନଙ୍କୁ ଉଚ୍ଛେଦ କରୁନାହିଁ। ସେମାନଙ୍କୁ ଉଚ୍ଛେଦ କଲେ ଗାଡ଼ି ପାର୍କିଂ ସମସ୍ୟା ବହୁ ପରିମାଣରେ ହ୍ରାସ ପାଇପାରନ୍ତା ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ବର୍ତ୍ତମାନ କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁଥିବାରୁ ଖୋଲା ପଡ଼ିଆରେ ବସୁଥିବା ପ୍ରାୟ ୭୦୦ ପରିବା ଦୋକାନୀ କିଛି ଦିନ ପରେ ହାଟକୁ ଫେରିବେ। ସେତେବେଳେ ଏହି ସମସ୍ୟା ଆହୁରି ଭୟଙ୍କର ହେବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏବେଠାରୁ ପାର୍କିଂ ଅସୁବିଧା ପାଇଁ ଏହି ହାଟରୁ ଲୋକେ ମୁହଁ ଫେରାଇବା ଆରମ୍ଭ କଲେଣି। ଫଳରେ ବ୍ୟବସାୟ କମୁଛି ବୋଲି ବହୁ ଦୋକାନୀ କହିଛନ୍ତି।

ଇଲେକ୍ଟ୍ରିକ୍ ଦୋକାନୀ ମାନସ ରଂଜନ ରାଉତଙ୍କ କହିବାନୁଯାୟୀ, ପୂର୍ବାପେକ୍ଷା ଏବେ ଗ୍ରାହକ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି। ସାଧାରଣ ଗ୍ରାହକଟି ବାଇକ୍‌ ରଖିବାରେ ଯନ୍ତ୍ରଣା ଭୋଗୁଥିବାରୁ ଏଠାକୁ ଆସିବାକୁ ମନ କରୁନାହିଁ। ଏମିତି ପରିସ୍ଥିତି ଲାଗି ରହିଲେ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବ ବୋଲି ସେ ଆଶଙ୍କା କରିଛନ୍ତି। ସେହିଭଳି ହାଟକୁ ନିୟମିତ ଆସୁଥିବା ଗ୍ରାହକ ସମୀକ୍ଷା ରାଉତଙ୍କ କହିବା କଥା, ଏଠାରେ ଅନ୍ୟ ହାଟ ତୁଳନାରେ ଦର କମ୍ ରହେ। ତେଣୁ ଦୂର ହେଲେ ମଧ୍ୟ ସେ ଏଠାକୁ ଆସନ୍ତି। ମାତ୍ର ଏବେ ସ୍କୁଟି ରଖିବାକୁ ବଡ଼ ନୟାନ୍ତ ହେବାକୁ ପଡ଼ୁଛି। ତେଣୁ ଆଉ ଏଠାକୁ ଆସିବା ପାଇଁ ମନ ହେଉନାହିଁ।

ସୂଚନାଯୋଗ୍ୟ, ଏହି ସମସ୍ୟାକୁ ନେଇ ଅକ୍ଟୋବର ୧୬ରେ ସଂଘ ବିଏମ୍‌ସିକୁ ଲିଖିତ ଆକାରରେ ଜଣାଇଛି। ବାଇକ୍ ପାର୍କିଂ ସମସ୍ୟା ସୁଧାରିବା ପାଇଁ ୩ଟି ବିକଳ୍ପ ପ୍ରସ୍ତାବ ମଧ୍ୟ ସଂଘ ଦେଇଛି। ଜବରଦଖଲ ହଟାଇବା, କାର୍ ପାର୍କିଂ ସ୍ଥାନରୁ ଅଧା ବାଇକ୍‌ ପାଇଁ ଛାଡ଼ିବା ଆଦି ଦିଗ‌ରେ ବିଚାର କରିବାକୁ ସଂଘ ବିଏମ୍‌ସିକୁ ଅନୁରୋଧ କରିଛି। ଏ ନେଇ ବିଏମ୍‌ସିର ଜେଡ୍‌ଡିସି ଅଂଶୁମାନ ରଥଙ୍କୁ ପଚରାଯିବାରୁ ବାଇକ୍ ପାର୍କିଂ ପାଇଁ କୌଣସି ନୂଆ ବ୍ୟବସ୍ଥା ହୋଇନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର