ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର। ରାଜଧାନୀର ଅନ୍ୟତମ ପ୍ରମୁଖ ବ୍ୟାବସାୟିକ ପ୍ରାଣକେନ୍ଦ୍ର। ସୁନାଗହଣା ସୋ’ରୁମ୍ଠାରୁ ଆରମ୍ଭ କରି ହୋଟେଲ, ବାର୍, ଗାଡ଼ି ସୋ’ରୁମ୍, ଶିକ୍ଷାନୁଷ୍ଠାନ, କର୍ପୋରେଟ୍ ଅଫିସ୍, ନର୍ସିଂହୋମ୍, ବିବାହ ମଣ୍ଡପ ପରି ଅନେକ ପ୍ରତିଷ୍ଠାନ ଗଢ଼ିଉଠିଛି। ଭେଣ୍ଡିଂ ଜୋନ୍ରେ ୮୦ରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ବେପାର କରୁଛନ୍ତି। ପ୍ରତିଦିନ ଏହି ଅଞ୍ଚଳରେ ହାଜର ହଜାର ଗ୍ରାହକ ଚଳପ୍ରଚଳ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାର୍କିଂର ସୁବ୍ୟବସ୍ଥା କରାଯାଇ ନାହିଁ। ଦୈନିକ ହାରାହାରି ୫ ହଜାର କାର୍ ଓ ବାଇକ୍ ପାର୍କିଂ ସମସ୍ୟା ସୃଷ୍ଟି କରୁଛି। ଡିଷ୍ଟ୍ରିକ୍ଟ ସେଣ୍ଟର ପରିସରରେ ଅସମ୍ଭାଳ ଭିଡ଼ ହେଉଥିବା ବେଳେ ପାର୍ଶ୍ବବର୍ତ୍ତୀ ରାସ୍ତାଗୁଡ଼ିକ ଅବସ୍ଥା ମଧ୍ୟ ତଦ୍ରୁପ। ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପଠାରୁ ନୀଳାଦ୍ରିବିହାର ରାସ୍ତା ହେଉ କି ଆଚାର୍ଯ୍ୟ ହରିହର କଲେଜଠାରୁ କେୟାର ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତା; ସବୁଠି ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଥିବାରୁ ଗ୍ରାହକଙ୍କ ଯାତ୍ରା ଯନ୍ତ୍ରଣାଦାୟକ ହେଉଛି। ସନ୍ଧ୍ୟା ସମୟ କଥା ନକହିବା ଭଲ। ସ୍ଥିତି ଏମିତି ହେଉଛି ଯେ ରାସ୍ତା ପାର୍ଶ୍ବ ସତେ ଯେମିତି ପାର୍କିଂ ସ୍ଥଳ ପାଲଟୁଛି। ଗୋଟିଏ କାର୍କୁ ଆଉ ଗୋଟିଏ କାର୍ ଅତିକ୍ରମ କରିବା କଷ୍ଟକର ହୋଇପଡ଼ୁଛି।
ପାର୍କିଂସ୍ଥଳକୁ ପାର୍କ କରିଦେଲେ
ରାସ୍ତାପାର୍ଶ୍ବରେ ଗାଡ଼ି, ବଢ଼ୁଛି ସମସ୍ୟା
ଲକ୍ଷାଧିକ ରାଜସ୍ବ ହରାଉଛି ବିଏମ୍ସି
ଆଇନର ଆଶ୍ରୟ ନେବାକୁ ସଜବାଜ
ପାର୍କିଂସ୍ଥଳ ପାଇଁ ଜାଗା ନଥିବା କହି ହେବ ନାହିଁ। କାରଣ ୧୯୯୫ର ବିଡିଏ ପ୍ଲାନ ଅନୁଯାୟୀ ଡିଷ୍ଟ୍ରିକ୍ଟ ସେଣ୍ଟର ସମ୍ମୁଖ ଭାଗରେ ପାର୍କିଂ ସ୍ଥଳ କରିବାକୁ ଯୋଜନା ହୋଇଥିଲା। ସେତେବେଳେ ଜାରି ହୋଇଥିବା ନକ୍ସାରେ ମଧ୍ୟ ପାର୍କିଂ ସହ ସବୁଜିମା ରହିବ ବୋଲି ଦର୍ଶାଯାଇଥିଲା। ସେହି ଅନୁଯାୟୀ ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଏଠାରେ ପାର୍କିଂ ପାଇଁ ଟେଣ୍ଡର ଡାକିବା ସହ ନିଲାମ ଦେଉଥିଲା। ବାର୍ଷିକ ପାଖାପାଖି ଦୁଇରୁ ଅଢ଼େଇ ଲକ୍ଷ ଟଙ୍କାରେ ପାର୍କିଂସ୍ଥଳ ନିଲାମ ଯାଉଥିଲା। ଏହାଦ୍ବାରା ବିଏମ୍ସି ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ରାଜସ୍ବ ପାଇବା ସହ ଆଉ ପାର୍କିଂ ସମସ୍ୟା ହେଉ ନଥିଲା। ୨୦୨୦ କରୋନା ସମୟରେ ଏଠାରେ ପାର୍କିଂକୁ ହଠାତ୍ ବନ୍ଦ କରି ଦିଆଗଲା। ବିଏମ୍ସି ମଧ୍ୟ ଟେଣ୍ଡର କଲାନି। ବରଂ ୨୦୨୨-୨୩ ଆର୍ଥିକ ବର୍ଷରେ ଯେଉଁ ସ୍ଥାନ ପାର୍କିଂ ପାଇଁ ଥିଲା ସେଠାରେ ସର୍ବସାଧାରଣ ପାର୍କ କରାଗଲା। ଆବଶ୍ୟକ ନଥିଲେ ମଧ୍ୟ ରାସ୍ତାପାର୍ଶ୍ବରେ ପାର୍କ କରାଯାଇ ସୌନ୍ଦର୍ଯ୍ୟୀକରଣ ହେଲା ବୋଲି କୁହାଗଲା। ମାତ୍ର ଦିନ କେଇଟା ମଧ୍ୟରେ ବିଗିଡ଼ିଗଲାଣି ଏଠାକାର ପରିବେଶ। ବରଂ ପାର୍କିଂ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ହୋଇଛି।
ଲକ୍ଷାଧିକ ଟଙ୍କା ରାଜସ୍ବ ପାଉଥିବା ବିଏମ୍ସି ପାର୍କିଂ ବଦଳରେ ପାର୍କ କରି କି ଲାଭ ପାଇଲା ତାହା ଜଣାନାହଁ। ଅବଶ୍ୟ ଡିଷ୍ଟ୍ରିକ୍ଟ ସେଣ୍ଟରର ସମ୍ମୁଖ ଭାଗରେ ଏକ ଛୋଟ ପାର୍କିଂ ହେଉଛି। ଯେଉଁ ସ୍ଥାନରେ ପାର୍କିଂ ରହିଛି ଏବଂ ବିଏମ୍ସି ଫି’ ଆଦାୟ କରୁଛି ତାହା ବହୁତ ଛୋଟ। ୮ରୁ ୧୦ଟି କାର୍ ପାର୍କିଂ ହେବା ପରେ ଆଉ ଗାଡ଼ି ରଖିବାକୁ ଜାଗା ମିଳୁନାହିଁ। ଶନିବାର ଓ ରବିବାର ରାତିରେ ତ ଡିଷ୍ଟ୍ରିକ୍ଟ ସେଣ୍ଟର ନିକଟ ରାସ୍ତା ସତେ ଯେମିତି ପାର୍କିଂ ସ୍ଥଳ ପାଲଟୁଛି। ୫ରୁ ଅଧିକ ବାର୍ ଏହା ଭିତରରେ ରହିଥିବାରୁ ଗ୍ରାହକ ରାସ୍ତା ପାର୍ଶ୍ବରେ ପାର୍କିଂ କରି ଚାଲିଯାଉଛନ୍ତି। ପରିଣାମ ସ୍ବରୂପ ଟ୍ରାଫିକ୍ ନିୟନ୍ତ୍ରଣ ବାହାରକୁ ଯାଉଛି। ବେଳେବେଳେ ଯୁକ୍ତିତର୍କ ଓ ହାତାହାତି ପରିସ୍ଥିତି ମଧ୍ୟ ଉପୁଜୁଛି। ଏପରିକି ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ପକ୍ଷରୁ ଏସମ୍ପର୍କରେ ବାରମ୍ବାର ବିଏମ୍ସି କମିସନର ଓ ମୁଖ୍ୟଯନ୍ତ୍ରୀଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାର୍କିଂ ସମସ୍ୟାର ସମାଧାନ ହୋଇ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଅଞ୍ଚଳବାସୀ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।