କ୍ୟାପିଟାଲ୍‌ ହସ୍ପିଟାଲ୍‌: ଅଡ଼ୁଆ କରୁଛି ବେଲଗାମ୍‌ ପାର୍କିଂ

ଭୁବନେଶ୍ୱର: ରାଜଧାନୀର ସବୁଠାରୁ ବଡ଼ ସରକାରୀ ଚିକିତ୍ସାଳୟ ହେଉଛି କ୍ୟାପିଟାଲ୍‌ ହସ୍ପିଟାଲ୍‌। କେବଳ ଭୁବନେଶ୍ୱର ନୁହେଁ, ଆଖପାଖ ଅଞ୍ଚଳରୁ ପ୍ରତି ଦିନ ହଜାର ହଜାର ରୋଗୀ ଏଠାକୁ ଆସୁଛନ୍ତି। ଦିନତମାମ ଶତାଧିକ ଗାଡ଼ି ହସ୍ପିଟାଲ୍‌ ପରିସରରେ ରହୁଛି। କିନ୍ତୁ ପାର୍କିଂ ସମସ୍ୟା ଏଠାରେ ଏବେ ଚିନ୍ତାର କାରଣ ସାଜିଛି। ଏକପ୍ରକାର ବେଲଗାମ୍‌ ହୋଇଯାଇଛି ପାର୍କିଂ ବ୍ୟବସ୍ଥା। ‘ନୋ ପାର୍କିଂ ଜୋନ୍‌’ ହିଁ ଗାଡ଼ି ରଖିବାର ସର୍ବାଧିକ ପସନ୍ଦର ସ୍ଥାନ ପାଲଟିଛି। ହସ୍ପିଟାଲ୍‌ କର୍ତୃପକ୍ଷ ଏହି ସମସ୍ୟା ପ୍ରତି ଏକପ୍ରକାର ହାତ ଟେକି ଦେଇଛନ୍ତି। ଆଉ ହସ୍ପିଟାଲ୍‌କୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବରୁ ସମସ୍ୟାକୁ ଆହୁରି ଗୁରୁତର କରୁଛି। ଫଳରେ ଗାଡ଼ି ଚୋରି ବଢ଼ିବା ସହ ରୋଗୀମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ଦୁଇଟି ଗାଡ଼ି ଷ୍ଟାଣ୍ଡ୍‌ ରହିଛ। ହସ୍ପିଟାଲ୍‌ର ମୁଖ୍ୟ ପ୍ରବେଶ ପଥର ଡାହାଣ ପଟେ ଥିବା ଷ୍ଟାଣ୍ଡ୍‌ରେ ଟଙ୍କା ଦେଇ ଗାଡ଼ି ରଖିବାକୁ ପଡ଼େ। ଏମ୍‌ସିଏଚ୍‌ ବିଲ୍ଡିଂ ପାଖରେ ଥିବା ଷ୍ଟାଣ୍ଡ୍‌ରେ ମାଗଣାରେ ଗାଡ଼ି ରଖିବାର ସୁବିଧା ଅଛି। ଏହା ବାଦ୍‌ ଗତ ଜାନୁଆରି ୨୬ ତାରିଖରେ ମୁଖ୍ୟ ଓପିଡି ନିକଟରେ ହସ୍ପିଟାଲ୍‌ର କର୍ମଚାରୀ ଓ ଡାକ୍ତରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡ୍‌ କରାଯାଇଛି।

ହସ୍ପିଟାଲ୍‌ରେ ଗାଡ଼ି ରଖିବା ପାଇଁ ଏପରି ସୁବିଧା କରାଯାଇଥିଲେ ବି ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ଦେଖିବାକୁ ମିଳୁଛି। ଏଣେତେଣେ ମନଇଚ୍ଛା ଗାଡ଼ି ରଖୁଥିବା ଦେଖିବାକୁ ମିଳିଛି। କାଜୁଆଲ୍‌ଟି, ଆଉଟଡୋର୍‌, ଏମ୍‌ସିଏଚ୍‌ ବିଲ୍ଡିଂ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପାର୍କିଂରେ ଅଧିକ ଅବ୍ୟବସ୍ଥା ଦେଖାଦେଉଛି। ଯିଏ ଯେଉଁଠି ପାରିଲା, ନିଜ ସୁବିଧା ଅନୁସାରେ ଗାଡ଼ି ରଖି ଦେଉଛନ୍ତି। ହସ୍ପିଟାଲ୍‌ ପରିସରରେ ଯେଉଁଠି ଯେଉଁଠି ‘ନୋ ପାର୍କିଂ ଜୋନ୍‌’ ସାଇନ୍‌ବୋର୍ଡ ଲଗାଯାଇଛି, ସେଠାରେ ପାର୍କିଂ କରିବାକୁ ଲୋକ ଅଧିକ ପସନ୍ଦ କରୁଛନ୍ତି। ପୁଣି କିଛି ଜାଗାରେ ରାସ୍ତା ମଝିରେ ଅତ୍ୟନ୍ତ ବେପରଓ୍ଵା ଢଙ୍ଗରେ ଗାଡ଼ି ରଖୁଥିବାର ଦେଖାଯାଉଛି। ଜଣେ ନିୟମ ଭାଙ୍ଗି ପାର୍କିଂ କଲା ପରେ ସେଠାରେ ଗାଡ଼ି ଭର୍ତ୍ତି ହୋଇଯାଉଛି। ଏଥି ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ମଝିରେ ମଝିରେ ଆମ୍ବୁଲାନ୍ସ ଆସିଲେ ବି ସମସ୍ୟାର ସାମ୍ନା କରୁଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ଯଥେଷ୍ଟ ସିକ୍ୟୁରିଟି ଗାର୍ଡ ଥିଲେ ବି ଏଣେତେଣେ ଗାଡ଼ି ନ ରଖିବା ପାଇଁ ଲୋକଙ୍କୁ ସଚେତନ କରାଉ ନାହାନ୍ତି। କେହି କିଛି କହୁ ନ ଥିବାରୁ ନିୟମ ଭାଙ୍ଗିବା ପାଇଁ ସମସ୍ତେ ପରସ୍ପର ଭିତରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୁଣି ଆହାର କେନ୍ଦ୍ରଟି ହସ୍ପିଟାଲ୍‌ ଭିତରେ ରହିଥିବାରୁ ମଧ୍ୟାହ୍ନରେ ପାର୍କିଂ ସମସ୍ୟା ପୂରା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ସେହି ସମୟରେ ପ୍ରାୟ ଦୁଇ ଘଣ୍ଟା ଧରି ଫାଟକ ନିକଟରେ ଗାଡ଼ି ଓ ସାଇକେଲ୍‌ ଭର୍ତ୍ତି ହୋଇଯାଉଛି। ଆହାର କେନ୍ଦ୍ର ପାଖରେ କିପରି ବ୍ୟବସ୍ଥିତ ଢଙ୍ଗରେ ଗାଡ଼ି ପାର୍କିଂ ହେବ, ସେ ନେଇ କୌଣସି ଯୋଜନା ହିଁ କରାଯାଇନି।

ସମ୍ବନ୍ଧିତ ଖବର