ଭୁବନେଶ୍ବର: ରାଜମହଲ ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହେବା ପରେ ସାମ୍ନାରେ ରାସ୍ତାରେ ‘ଅନ୍ଷ୍ଟ୍ରିଟ୍ ପାର୍କିଂ’ ବନ୍ଦ କରିଛି ବିଏମ୍ସି। ଏହାକୁ ପରିଚାଳନା କରୁଥିବା ସଂସ୍ଥା ପରିଚୟ କିନ୍ନର ଏସ୍ଏଚ୍ଜିକୁ ଚିଠି ଲେଖି ବିଏମ୍ସି ଏବାବଦରେ ଅବଗତ କରାଇଛି। କିନ୍ତୁ ଏଠାରେ ଖୋଲାଖୋଲି ପାର୍କିଂ ଚାଲିଛି। ବିଏମ୍ସି ବାରଣକୁ ବାଟବଣା କରି ବେଆଇନ କାରବାର ଚାଲିଛି। ଫଳରେ ବହୁତଳ ପାର୍କିଂ ଭିତରେ ବହୁ ପରିମାଣରେ ଫାଙ୍କା ଜାଗା ପଡ଼ିଥିବା ବେଳେ ରାସ୍ତାରେ ପୂର୍ବଭଳି ପ୍ରବଳ ଭିଡ଼ ହେଉଛି। ତେଣୁ ବହୁତଳ ପାର୍କିଂ ନିର୍ମାଣର ମହତ ଉଦ୍ଦେଶ୍ୟ ଫଳବତୀ ହୋଇପାରିନାହିଁ। ପୂର୍ବଭଳି ସନ୍ଧ୍ୟା ସମୟରେ ଅସମ୍ଭବ ଭିଡ଼ ହେଉଥିବାରୁ ଏହି ରାସ୍ତା(ଏଜି ରୁ ରାଜମହଲ)ରେ ଯାତାୟାତ ଏକପ୍ରକାର ଠପ୍ ହୋଇଯାଉଛି। ବିଏମ୍ସି ବାରଣ କରିବା ପରେ ମଧ୍ୟ ଏଠାରେ କିଏ, କାହା ବଳରେ ପାର୍କିଂ କରୁଛି, ସେନେଇ ପ୍ରଶ୍ନ ଉଠିଛି।
ଅଭିଯୋଗ ଆସିବା ପରେ ‘ସମ୍ବାଦ’ ପକ୍ଷରୁ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି କି ଏଠାରେ ପାର୍କିଂ ପାଇଁ ଦିଆଯାଉଥିବା ରସିଦ୍ ଅଲଗା ପାର୍କିଂ ସ୍ଥାନର। ଆଇଡିବିଆଇ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଥିବା ପାର୍କିଂ ପାଇଁ ଉଦ୍ଦିଷ୍ଟ ରସିଦକୁ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ବ୍ୟବହାର କରାଯାଉଛି। ଜଣାପଡ଼ିଛି ଯେ ଏହି ଅଞ୍ଚଳରେ ମଧ୍ୟ ସମ୍ପୃକ୍ତ ସଂସ୍ଥା ପାର୍କିଂ ପାଇଁ ଟେଣ୍ଡର ନେଇଛି। କିନ୍ତୁ ଉକ୍ତ ସଂସ୍ଥାକୁ ବିଏମ୍ସି ପାର୍କିଂ ନ କରିବା ପାଇଁ ଚିଠି ଲେଖିଛି। ବିଏମ୍ସିର ଚିଠି ଆଧାରରେ ସମ୍ପୃକ୍ତ ସଂସ୍ଥା ଏଠାରେ ଆଉ ପାର୍କିଂ ପରିଚାଳନା କରୁନଥିବା କହିଛି। କିନ୍ତୁ କେମିତି ଉକ୍ତ ସଂସ୍ଥାର ରସିଦ୍ ଏଠାରେ ବ୍ୟବହାର ହେଲା? ବିଏମ୍ସିକୁ ଅଭିଯୋଗ ହେବା ପରେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ? ଏ ସବୁକୁ ନେଇ ବିଏମ୍ସିର ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପରକୁ ଆଙ୍ଗୁଠି ଉଠିଛି। ଆନୁଷ୍ଠାନିକ ଭାବେ ଲୋକଦେଖାଣିଆ ଚିଠି ଲେଖି ଦେଇ ଅଧିକାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ଅନ୍ୟ ଏକ ଗୋଷ୍ଠୀ ଜରିଆରେ ପାର୍କିଂ କରାଉଥିବା ଅଭିଯୋଗ ହୋଇଛି।
କେବଳ ଏହି ଜାଗା ନୁହେଁ, ବରଂ ସହରର ବିଭିନ୍ନ ସ୍ଥାନରେ ବିଏମ୍ସି ଗୋଚରରେ ବେଆଇନ ପାର୍କିଂ ଚାଲିଛି। ଏଭଳି ପାର୍କିଂ ଜରିଆରେ କେତେକ ଅଧିକାରୀ ହାତ ଚିକ୍କଣ କରୁଛନ୍ତି। ଅଧିକାରୀଙ୍କ ସାହସ ପାଇ କେତେକ ଠିକାଦାର ଓ ବାହୁବଳୀ ଗୋଷ୍ଠୀ ଜବରଦସ୍ତ ପାର୍କିଂ ଫି’ ଆଦାୟ କରି ଲୋକଙ୍କୁ ଶୋଷଣ କରୁଛନ୍ତି। ପୂର୍ବରୁ ଟ୍ବିଟର୍ ଜରିଆରେ ଗଦାଗଦା ଅଭିଯୋଗ ଆସିଥିଲେ ମଧ୍ୟ ବିଏମ୍ସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଅତିରିକ୍ତ କମିସନର ବିନୟ କୁମାର ଦାସ ରାଜସ୍ବ ଦାୟିତ୍ବ ନେବା ପରେ ଏହି ପାର୍କିଂ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଯୋଜନା କରିଥିଲେ। କେତେକ ଠିକାଦାରଙ୍କ ଲାଇସେନ୍ସ ବାତିଲ କରିବାକୁ ମଧ୍ୟ କହିଥିଲେ। ହେଲେ ଏବେ ଫଳ ଓଲଟା ହୋଇଛି। ତାଙ୍କ ଜ୍ଞାତସାରରେ ସାଧାରଣ ଲୋକ ପାର୍କିଂ ଜୁଲୁମ୍ର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ, ପାର୍କିଂ ପାଇଁ ନିର୍ଦ୍ଧାରିତ ଜାଗା ନ ଥିବାରୁ ବିଏମ୍ସି ଏଥିପାଇଁ ରାସ୍ତାକୁ ନିଲାମ୍ ଦେଇଥିଲା। କେତେକ ଜାଗାରେ ଟେଣ୍ଡର ମୂଲ୍ୟ ଏତେ ଅଧିକ ହୋଇଯାଇଥିଲା ଯେ କେହି ଟେଣ୍ଡରରେ ଭାଗ ନେଇନଥିଲେ। ଏଣୁ ଦୀର୍ଘ ଦିନ ଧରି ସେ ସବୁ ଟେଣ୍ଡର ହୋଇ ପାରୁନଥିଲା। ଏଭଳି ହେଲେ ଏକ ସ୍ବତନ୍ତ୍ର ଟିମ୍ ଜରିଆରେ ଟେଣ୍ଡର ମୂଲ୍ୟକୁ କମ୍ କରାଯାଇ ପୁନଃଟେଣ୍ଡର ହେବା କଥା। କିନ୍ତୁ ବିଏମ୍ସି ବିନା ଟେଣ୍ଡରରେ ବିଭିନ୍ନ ଗୋଷ୍ଠୀଙ୍କୁ ପରିଚାଳନା କରିବାକୁ ଦେଇଥିଲା। ଏହା ପରେ ଅରାଜକତା ଆରମ୍ଭ ହୋଇଥିଲା। ଯାହା ମାର୍କେଟ୍ ବିଲ୍ଡିଂ ସାମ୍ନାରେ ଚାଲିଥିବା ଜୁଲମ୍ରୁ ପ୍ରମାଣିତ ହୋଇଛି।