ଫ୍ଲାଏ ଓଭର ତଳେ ପାର୍କିଂ ପ୍ରସଙ୍ଗ: ଉପାଡ଼ିଦେଲେ ପୁଲିସ ନୋଟିସ ବୋର୍ଡ, ପୁଣି କଲେ ପାର୍କିଂ

ପାର୍କିଂ ନୁହେଁ ପାର୍କ କରିବାକୁ ପ୍ରସ୍ତାବ, ଏନ୍‌ଏଚ୍‌ଏଆଇ କହିଲା ‘ପଇସା ନାହିଁ’

ଭୁବନେଶ୍ୱର: ଫ୍ଲାଏ ଓଭର ତଳ ପାର୍କିଂ ସ୍ଥାନ ହୋଇଛି। କେଉଁଠି କ୍ରେନ୍‌, କେଉଁଠି ଅଚଳ ଗାଡ଼ି, କେଉଁଠି ଅଟୋ। ବି‌ଶେଷକରି ଭୁବନେଶ୍ବର ପ୍ରବେଶ ଦ୍ବାର ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍‌ ତଳେ ଏହି ପାର୍କିଂ ଅତ୍ୟନ୍ତ କଦର୍ଯ୍ୟ ପରିବେଶ ସୃଷ୍ଟି କରିବା ପରେ କମିସନରେଟ୍‌ ପୁଲିସ ଫ୍ଲାଏ ଓଭର ବ୍ରିଜ୍‌ ତଳେ ପାର୍କିଂକୁ ବେଆଇନ ଘୋଷଣା କରିଥିଲା। ସ୍ବତନ୍ତ୍ର ନୋଟିସ୍‌ ବୋର୍ଡ ଲଗାଇଥିଲା। ହେଲେ କେହି ତାହାକୁ ଉପାଡ଼ି ଫିଙ୍ଗି ଦେଇଛି। ଫଳରେ ସ୍ଥିତି ଯଥା ପୂର୍ବଂ, ତଥା ପରଂ ହୋଇଯାଇଛି। ସ୍ଥିତି ସୁଧାରିବାକୁ ସମ୍ପୃକ୍ତ ସ୍ଥାନରେ ସ୍ଥାନରେ ପାର୍କ ତିଆରି କରିବାକୁ କମିସନରେଟ୍‌ ପୁଲିସ ଏନ୍‌ଏଚ୍‌ଏଆଇକୁ ପ୍ରସ୍ତାବ ଦେଇଛି। କିନ୍ତୁ ଏହି ସବୁ ଜାଗାରେ ପାର୍କ ତିଆରି ପାଇଁ ପଇସା ନ ଥିବା କହି ଏନ୍‌ଏଚ୍‌ଏଆଇ ନିଜର ଅସହାୟତା ପ୍ରକାଶ କରିଛି। ଅନ୍ୟପଟେ ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍‌ ତଳେ ନିର୍ମାଣାଧୀନ ଦେଶର ପ୍ରଥମ ‘ୱାଟର ଆଣ୍ଡ ସଷ୍ଟେନେବିଲିଟି’ ମ୍ୟୁଜିୟମ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ଏହି ବେଆଇନ ପାର୍କିଂ ହଟାଇ ପାର୍କ ତିଆରି ପ୍ରସ୍ତାବରୁ ସୁଫଳ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସହର ଭିତରେ ରହିଥିବା ଫ୍ଲାଏ ଓଭର ବ୍ରିଜ୍‌ ତଳ ଏକରକମ ପାର୍କିଂ ସ୍ଥାନରେ ପରିଣତ ହୋଇ ସାରିଲାଣି। କେଉଁଠି କ୍ରେନ୍‌ ରହୁଛି ତ କେଉଁଠି ଅଟୋ, କାର୍‌ ପାର୍କିଂ ହେଉଛି। କେତେକ ଜାଗାରେ ଗ୍ୟାରେଜ୍‌ ହୋଇଛି। ଗାଡ଼ି ମରାମତି ହେଉଥିବା ବ‌େଳେ ଗାଡ଼ିର ଅଂଶ ମାସ ମାସ ଧରି ପଡ଼ି ରହିଛି। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତନାଘନା ହୋଇଥିଲା। ତତ୍‌କାଳୀନ ପୁଲିସ କମିସନର ସତ୍ୟଜିତ ମହାନ୍ତି ଏହି ସବୁ ସ୍ଥାନ ଖାଲି କରିବା ପାଇଁ ନୋଟିସ୍‌ ଜାରି କରିଥିଲେ। ଏହି ସବୁ ସ୍ଥାନରେ ପାର୍କିଂ କଲେ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଫଳକ ଲଗାଇଥିଲେ। ବେଶ୍‌ କିଛି ଦିନ ଏହା ପରିଷ୍କାର ରହିବା ପରେ ପୁଣି ଥରେ ଜବର ଦଖଲ ହୋଇଛି। ପୂର୍ବବତ୍‌ ଗାଡ଼ି ଜମା ହୋଇ ରହୁଛି। ଏଭଳି ସ୍ଥିତି ଦେଖିବା ପରେ କମିସନରେଟ୍‌ ପୁଲିସର ଟ୍ରାଫିକ୍‌ ଅଧିକାରୀମାନେ ଏନ୍‌ଏଚ୍‌ଏଆଇ ସହ ଆଲେଚାନା କରିଥିଲେ। ଏହି ସ୍ଥାନରେ ପାର୍କ ତିଆରି କଲେ ଏହାର ରକ୍ଷଣାବେକ୍ଷଣ ହୋଇ ପାରିବ ବୋଲି ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର