ଫ୍ଲାଏ ଓଭର୍‌ ତଳ, ଅଘୋଷିତ ଗ୍ୟା‌ରେଜ୍‌, ବେଆଇନ ପାର୍କିଂସ୍ଥଳ

କଟକ ରୋଡ୍‌କୁ ବିକୃତ କରୁଛି ଫ୍ଲାଏଓଭର୍ ତଳ ସ୍ଥାନ

ଭୁବନେଶ୍ବର: ଲକ୍ଷ୍ମୀସାଗର ଛକରୁ ରସୁଲଗଡ଼ ଛକ; ଏଇ ଦେଢ଼ କିଲୋମିଟର ଭିତରେ ପଡ଼ିବ ତିନିଟି ଫ୍ଲାଏ ଓଭର୍। ଉଦ୍ଦେଶ୍ୟ ହେଉଛି କଟକ ରୋଡ୍‌ ପରି ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଭିଡ଼ ନିୟନ୍ତ୍ରଣ କରିବା ଦିଗରେ ଏହି ତିନିଟି ଫ୍ଲାଏ ଓଭର୍ ବେଶ୍‌ ଉପାଦେୟ ହେବ। କିନ୍ତୁ ବିଏମ୍‌ସି ଓ ପୁଲିସ୍‌ର ଖାମଖିଆଲ ମନୋଭାବ ଯୋଗୁଁ ତିନିଟି ଯାକ ଫ୍ଲାଏ ଓଭର୍‌ର ତଳ ଏବେ ଅଘୋଷିତ ଗ୍ୟାରେଜ୍ ହେବା ସହ ବେଆଇନ ପାର୍କିଂସ୍ଥଳ ପାଲଟିଛି। ଗୋଟିଏ ପଟେ କଟକ ରୋଡ୍‌ରେ ଏହା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ସହ ଅନ୍ୟ ପଟେ ସହରକୁ ବିକୃତ କରୁଛି। ଏଠାରେ ସୌନ୍ଦର୍ଯ୍ୟକରଣ ପାଇଁ ଯଥେଷ୍ଟ ସୁଯୋଗ ଥିଲେ ବି କାହା ସ୍ବାର୍ଥରେ ଏହି ସ୍ଥାନଗୁଡ଼ିକୁ ଏପରି ଅବହେଳିତ କରି ଛାଡ଼ି ଦିଆଯାଇଛି, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରସୁଲଗଡ଼ ଓ ଲକ୍ଷ୍ମୀସାଗର ଫ୍ଲାଏଓଭର୍ ତଳେ ଅବସ୍ଥା ସାଂଘାତିକ ହୋଇଯାଇଛି। ରସୁଲଗଡ଼ ଫ୍ଲାଏଓଭର୍‌ ତଲେ ଟ୍ରକ୍‌ ଚାଳକମା‌ନେ ବେଧଡ଼କ ଭାବେ ପ୍ରତିଦିନ ଟ୍ରକ ପାର୍କିଂ କରି ଚାଲିଛନ୍ତି। ସକାଳୁ ଖାଲିଥିବା ଏହି ସ୍ଥାନ ମଧ୍ୟାହ୍ନ ସୁଦ୍ଧା ଭର୍ତ୍ତି ହୋଇଯାଉଛି। ଦୈନିକ ଏଠାରେ ୧୦ରୁ ଅଧିକ ଟ୍ରକ୍ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି। ଆଉ କିଛି ଭଙ୍ଗା ଦଦରା ଗାଡ଼ି ସେଠାରେ ମାସ ମାସ ଧରି ପଡ଼ି ରହିଛି। ନା ଏନେଇ ଟ୍ରାଫିକ୍‌ ପୁଲିସ ମୁହଁ ଖୋଲୁଛି ନା ଜାତୀୟ ରାଜପଥ କର୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସେହିଭଳି ଲକ୍ଷ୍ମୀସାଗର ଫ୍ଲାଏଓଭର୍ ତଳ ଅବସ୍ଥା ଆହୁରି ଶୋଚନୀୟ। ଏଠାରେ ବହୁ ସଂଖ୍ୟାରେ ପୁରୁଣା ଭଙ୍ଗା ଗାଡ଼ି ଓ ଭଙ୍ଗା କେବିନ୍‌ ସବୁ ପଡ଼ି ରହିଛି। ଯେତିକି ଜାଗା ଖାଲି ଅଛି, ସେଠାରେ ଟ୍ରକ୍ ପାର୍କିଂ ହେଉଛି। ଭଙ୍ଗା ଗାଡ଼ି ଏଠାରେ ବର୍ଷ ବର୍ଷ ଧରି ପଡ଼ି ରହିଛି।

ଭଙ୍ଗା ଗାଡ଼ି ଓ ଦଦରା କେବିନ ପାଇଁ ନିରାପଦ ସ୍ଥାନ ପାଲଟିଛି
ମନଇଚ୍ଛା ପାର୍କିଂ, କାହାରି ନିୟନ୍ତ୍ରଣ ନାହିଁ
ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ, ବିଏମ୍‌ସି, ପୁଲିସ୍ ଜାଣି ଅଜଣା

ରସୁଲଗଡ଼ ଓ ଲକ୍ଷ୍ମୀସାଗରରେ ଏପରି ବେଆଇନ ପାର୍କିଂ ଓ ଭଙ୍ଗା ଗାଡ଼ି ରହିବା ଦ୍ବାରା ବି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ରାସ୍ତାର ଗୋଟିଏ ପଟରୁ ଅନ୍ୟ ପଟକୁ ଆଦୌ ଦେଖାଯାଉନାହିଁ। ଏହା ତ’ ‌କେବେ ଉଠୁନାହିଁ; ଓଲଟା ଟ୍ରାଫିକ୍‌ ସମସ୍ୟା ଓ ରାସ୍ତାର ସୌନ୍ଦର୍ଯ୍ୟକରଣରେ ବାଧକ ସାଜୁଛି। ବର୍ଷ ବର୍ଷ ଧରି ଏସବୁ ପଡ଼ି ରହିଥିଲେ ମଧ୍ୟ କାହାର ଏଥିପ୍ରତି ନିଘା ନାହିଁ। ପୁଲିସ୍ ଓ ବିଏମ୍‌ସି କର୍ତ୍ତୃପକ୍ଷ ପୂରା ଆଖି ବୁଜି ଦେଇଛନ୍ତି। ସ୍ଥାନୀୟ ଲୋକ ଅଭିଯୋଗ କଲେ ମଧ୍ୟ କାହାରି ଖାତିର ନାହିଁ। ନୂଆ କରି ନିର୍ମାଣ ହୋଇଥିବା ବମିଖାଲ ଫ୍ଲାଏଓଭର୍ ତଳ ବି ପାର୍କିଂ ସ୍ଥଳ ପାଲଟି ଗଲାଣି। ଏହି ଫ୍ଲାଏଓଭର୍ ତଳ କାନ୍ଥ ସୁନ୍ଦର ଭାବେ ରଙ୍ଗ ଦିଆଯିବା ସହ ଅତ୍ୟାଧୁନିକ ଟାଇଲ୍‌ସ୍‌ ଲଗାଇ ଏହାର ଫୁଟ୍‌ଫାଥ୍‌ ନିର୍ମାଣ କରାଯାଇଥିଲା। ଆରମ୍ଭରୁ ଏହି ରାସ୍ତା ବହୁ ଚଉଡ଼ା ହେବା ସହ ପଥଚାରୀ ଓ ଗାଡ଼ି ଚାଳକଙ୍କ ସୁବିଧାରେ ଯା’ଆସ କରୁଥିଲେ। କିନ୍ତୁ ଏବେ ଦିନତମାମ ଶତାଧିକ ମୋଟର୍ ସାଇକେଲ୍‌ ଓ କାର୍ ସେଠାରେ ପାର୍କିଂ ହେଉଛି। ତେବେ ଆହୁରି ଗୁରୁତର ବିଷୟ ହେଉଛି, ଦୁଇ ତିନିଟି ଭଙ୍ଗା ଦଦରା ଗାଡ଼ି ବି ଦୀର୍ଘ ଦିନ ଧରି ସେଠାରେ ରଖାଯାଇଛି। ଯଦି ଏବେଠାରୁ ଏହି ସ୍ଥାନଟିକୁ ନିୟନ୍ତ୍ରଣ କରାନଯାଏ, ତେବେ ଆଗକୁ ଏଠାରେ ବି ଲକ୍ଷ୍ମୀସାଗର ଓ ରସୁଲଗଡ଼ ଫ୍ଲାଏଓଭର୍‌ ଭଳି ସ୍ଥିତି ଉପୁଜିବ।

ପ୍ରଶ୍ନ ଉଠୁଛି, ସେଠାରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗାଡ଼ିଗୁଡ଼ିକର ମାଲିକ କିଏ? ସେଗୁଡ଼ିକ କାହିଁକି ଫ୍ଲାଏଓଭର୍ ତଳେ ପଡ଼ି ରହିଛି? ପୁଲିସ୍ କି ବିଏମ୍‌ସି କେହି ଏହାର ଉତ୍ତର ଖୋଜୁନାହାନ୍ତି କାହିଁକି? ଯଦି ସେହି ଗାଡ଼ିଗୁଡ଼ିକର କେହି ଦାବିଦାର ନାହାନ୍ତି, ତେବେ ସେଗୁଡ଼ିକୁ ରାସ୍ତାରୁ ଉଠାଇବାରେ ଅସୁବିଧା କେଉଁଠି? ଯଦି ଦାବିଦାର ଅଛନ୍ତି, ତେବେ ସେମାନଙ୍କଠାରୁ ଫାଇନ୍ ଆଦାୟ କରାଯାଇ ସେହି ଜାଗା ଖାଲି କରିବାକୁ ନୋଟିସ୍ କାହିଁକି ଦିଆଯାଉନି ?

ନଭେମ୍ବରରେ ଆୟୋଜିତ ବିଶ୍ବକପ୍‌ ହକି ପାଇଁ ସାରା ସହର ସଜେଇ ହୋଇଥିଲା। ସହରର ସମସ୍ତ ଓଭରବ୍ରିଜ୍‌ ତଳକୁ ବିଭିନ୍ନ ରଙ୍ଗ ଓ ଚିତ୍ରରେ ଚିତ୍ରିତ କରି ସୌନ୍ଦର୍ଯ୍ୟକରଣ କରାଯାଇ ଆଲୋକମାଳାରେ ସଜାଗଲା। କିନ୍ତୁ ଲକ୍ଷ୍ମୀସାଗର ଫ୍ଲାଏଓଭର୍‌ ଉପରେ କାହାର ନଜର ପଡ଼ିଲାଣି। ଯେମିତି ଏହି ସ୍ଥାନଟିକୁ ଗ୍ୟାରେଜ୍ କରିବା ପାଇଁ ପୁଲିସ୍ ଓ ବିଏମ୍‌ସି ଛାଡ଼ି ଦେଇଛନ୍ତି। ଏ ସମ୍ପର୍କ‌‌‌ରେ ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ କହିଛନ୍ତି, ଘଟଣା ଏବେ ମୋ ନଜରକୁ ଆସିଲା। ଫ୍ଲାଏଓଭର୍‌ ତଳେ ବେଆଇନ ପାର୍କିଂ ହେଉଥିବା ଗାଡ଼ି ମାଲିକଙ୍କୁ ଗାଡ଼ି କାଢ଼ି ନେବାକୁ କୁହାଯିବ। ଏଥିପାଇଁ ସେମାନଙ୍କୁ କିଛି ଦିନ ସମୟ ଦିଆଯିବ। ସମୟ ପୂର୍ବରୁ ସେମାନେ ଗାଡ଼ି ନ କାଢ଼ିଲେ, ଫାଇନ ଆଦାୟ କରାଯିବ ଓ ଗାଡ଼ିଗୁଡ଼ିକ ଜବତ କରାଯାଇ ଥାନାକୁ ଅଣାଯିବ। ଅନ୍ୟପକ୍ଷରେ ବିଡିଏ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଲକ୍ଷ୍ମୀସାଗର ଓ ବମିଖାଲ ଫ୍ଲାଏଓଭର୍ ପୂର୍ତ ବିଭାଗ ଅଧୀନରେ ଯାଉଥିବା ବେଳେ ରସୁଲଗଡ଼ ଫ୍ଲାଏଓଭର୍ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅଧୀନରେ ଆସୁଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଯାଏଁ ସେମାନଙ୍କ ପକ୍ଷରୁ ଆମ ନିକଟରେ କୌଣସି ଅଭିଯୋଗ କରାଯାଇନାହିଁ।

ସମ୍ବନ୍ଧିତ ଖବର