ଭୁବନେଶ୍ବର: ଖୋଲା ଆକାଶ ତଳେ କାର୍‌, ବାଇକ୍‌, ସାଇକେଲ୍‌ ପାର୍କିଂ ହେଉଛି। ଖରାରେ ରଙ୍ଗ ଫିକା ପଡ଼ିଯାଉଛି, ବର୍ଷା ହେଲେ ହେଲ୍‌ମେଟ୍‌ରେ ପାଣି ପଶିଯାଉଛି। ପରିତ୍ୟକ୍ତ ପରିବେଶ ‌ଯୋଗୁଁ ବିଷାକ୍ତ ସରୀସୃପ ପାର୍କିଂରେ ବୁଲୁଛନ୍ତି, ଗାଡ଼ିରେ ପଶି ଯାଉଛନ୍ତି। କେତେବେଳେ ହେଲ୍‌ମେଟ୍‌ ତ’ କେତେବେଳେ ଗାଡ଼ିର ଯନ୍ତ୍ରାଂଶ ଚୋରି ହୋଇଯାଉଛି। ଏହା ସତ୍ତ୍ବେ ଭୁବନେଶ୍ବର ରେଳ ଷ୍ଟେସନ୍‌ ପାର୍କିଂ ଭଡ଼ା ୮ ଗୁଣା ବଢ଼ାଇ ଦିଆଯାଇଛି। ଯାହା ରେଳ ଯାତ୍ରୀଙ୍କୁ ବାଧୁଛି। ଯଦି କେହି ୫ ଦିନ ଦୁଇଚକିଆ ଗାଡ଼ି ରଖୁଛି, ତାକୁ ପ୍ରାୟ ୫ଶହ ଟଙ୍କା ଗଣିବାକୁ ପଡ଼ୁଛି। ସେ ପୁଣି ୧୮ ପ୍ରତିଶତ ଜିଏସଟି ସହ। ସମାନ ସ୍ଥିତି କାର ପାର୍କିଂ କ୍ଷେତ୍ରରେ। ରେଳ ଯାତ୍ରୀମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିତ୍ତିଭୂମି ନ ଥାଇ ଏତେ ଟଙ୍କା ବୃଦ୍ଧି ବହୁତ ବାଧୁଛି ବୋଲି କ୍ଷୋଭର ସହ କହିଛନ୍ତି। ଏହାକୁ ନେଇ ମାଳ ମାଳ ଅଭିଯୋଗ ରେଳ ବିଭାଗ ପାଖରେ ପହଞ୍ଚିଛି। 
ଭୁବ‌ନେଶ୍ବର ରେଳ ଷ୍ଟେସନ୍ ସମ୍ମୁଖରେ ଥିବା ପୂର୍ବତଟ ରେଳବାଇର ବାଇକ୍‌ ଓ ଚାରିଚକିଆ ପାର୍କିଂରେ ପ୍ରତିଦିନ ହଜାର ହଜାର ଗାଡ଼ି ପାର୍କିଂ ହେଉଛି। ପୂର୍ବରୁ ବାଇକ୍‌ ପାର୍କିଂ କଲେ ୨୪ ଘଣ୍ଟାକୁ ୧୨ ଟଙ୍କା ଓ ସାଇକେଲ୍‌ ପାଇଁ ୨୪ ଘଣ୍ଟାକୁ ୫ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ନୂଆ ଟେଣ୍ଡର ପରେ ଚଳିତ ମାସରେ ଉଭୟ କାର୍‌ ଓ ବାଇକ୍‌ ପାର୍କିଂ ଭଡ଼ାକୁ ବଢ଼ାଇ ଦିଆଯାଇଛି। କାର୍‌ ଅପେକ୍ଷା ସାଇକେଲ୍‌ ଓ ବାଇକ୍ ପାର୍କିଂ ଭଡ଼ା ଯାତ୍ରୀଙ୍କୁ ଅଧିକ ବାଧୁଛି। 
ପାର୍କିଂରେ ଗାଡ଼ି ରଖି ବଲାଙ୍ଗୀର ଯାଉଥିବା ପୁଣ୍ୟଶ୍ଳୋକ ମିଶ୍ର କହିଛନ୍ତି, ଖୋଲା ଆକାଶ ତଳେ ଖରା-ବର୍ଷା, ଧୂଳିମଳିରେ ଗାଡ଼ି ପଡ଼ି ରହୁଛି। କଟା ପଇଡ଼ ଗଦା ହୋଇଛି। ଅନାବନା ଗଛ ଚରିଗଲାଣି। ସଫାସୁତରା ନାହିଁ। ଆବୁଡ଼ା ଖାବୁଡ଼ା ଜାଗାରେ ଗାଡ଼ି ପାର୍କିଂ ହେଉଛି। ଚାରିପଟୁ ଅବାଧ ପ୍ରବେଶର ବାଟ ରହିଛି। ଯଦି ପାର୍କିଂ ଫି’ ବୃଦ୍ଧି କରାଯାଉଛି, ସେହି ଅନୁସାରେ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରସ୍ତୁତ ହେଉ। ଅନ୍ୟ ରେଳଯାତ୍ରୀମାନେ କହିଛନ୍ତି, ଏଭଳି ଭଡ଼ା ବୃଦ୍ଧି ମଧ୍ୟବିତ୍ତ, ଗରିବ ରେଳଯାତ୍ରୀଙ୍କୁ ବାଧୁଛି। ଅନେକ ଗରିବ ଶ୍ରେଣୀର ଲୋକେ ରେଳ ଉପରେ ନିର୍ଭରଶୀଳ। ପେଟପାଟଣା ପାଇଁ ମାସକୁ ୫/୭ହଜାର ଟଙ୍କା ଦରମାରେ ବାହାରେ ଚାକିରି କରୁଛନ୍ତି। ସେଥିରୁ ଯଦି ୨ହଜାର ଟଙ୍କା ପାର୍କିଂରେ ଖର୍ଚ୍ଚ କରିବେ, ଚଳିବେ କିପରି? 
ପାର୍କିଂ ଦାୟିତ୍ବରେ ଥିବା କର୍ମଚାରୀମାନେ କହିଛନ୍ତି, ଗତ ୧୩ ତାରିଖରୁ ଦର ବଢ଼ିଛି। ଯେଉଁ ଦର ଧାର୍ଯ୍ୟ ହୋଇଛି, ତାହା ରେଳ ବିଭାଗ ନିର୍ଦ୍ଧାରଣ କରିଛି। ଭୁବନେଶ୍ବର ରେଳ କର୍ତ୍ତୃପକ୍ଷ କହିଛନ୍ତି, ପାର୍କିଂ ଦରଧାର୍ଯ୍ୟ ଆମେ କରୁନାହୁଁ। ଏହା ରେଳ ମନ୍ତ୍ରାଳୟ ନିର୍ଦ୍ଧାରଣ କରୁଛି। ରେଳ ବିଭାଗର ଇ-ପୋର୍ଟାଲ୍‌ ଜରିଆରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେହି ଅନୁସାରେ ଟେଣ୍ଡର ଦିଆଯାଇଛି। ଭିତ୍ତିଭୂମି ନ ଥାଇ ପାର୍କିଂ ଫି’ ବୃଦ୍ଧି ହୋଇଥିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।