ଖୋଲିଲା ପାର୍କ ଓ ମଲ୍‌: ୫ରୁ ଖୋଲିବ ସିନେମା ହଲ୍‌, ଦ୍ବନ୍ଦ୍ବରେ ପ୍ରେକ୍ଷାଳୟ

ଭୁବନେଶ୍ବର: ଦୀର୍ଘ ଦିନ ପରେ ରାଜଧାନୀରେ ପାର୍କ ସବୁ ଖୋଲିଛି। ବିଡିଏ ପରିଚାଳିତ ନିକ୍କୋ ପାର୍କ ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ସୂଚନା ମିଳିଛି। କିନ୍ତୁ ବହୁ ପାର୍କରେ ଅସଜଡ଼ା ହୋଇ ପଡ଼ିଥିବା ଭିତ୍ତିଭୂମି ରାଜଧାନୀବାସୀଙ୍କୁ ହତାଶ କରିଛି। ପାର୍କରେ ବଢ଼ି ଯାଇଥିବା ଘାସ, ଲତା ଓ ଉଇ ହୁଙ୍କା ଭ୍ରମଣ କରିବାକୁ ଯାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ବହୁ ପାର୍କର ପଥର ମୂର୍ତ୍ତି ଭାଙ୍ଗି ପଡ଼ିଥିବା ବେଳେ ଜଙ୍ଗଲିଆ ହୋଇ ପଡ଼ିଥିବା ପାର୍କ ସବୁ ଶ୍ରୀହୀନ ଦେଖାଯାଉଛି। ତେଣୁ ଆଜି ପ୍ରଥମ ଦିନରେ କୌଣସି ପାର୍କରେ ଭିଡ଼ ଜମି ନାହିଁ। ସେହିଭଳି ଏବେ ବି କରୋନା ସଂକ୍ରମଣ ଭୟ ଥିବାରୁ ବେଶି ଲୋକ ପାର୍କ ଯାଇନଥିବା ଜଣାପଡ଼ିଛି। ଆଜି ରାଜଧାନୀର ବହୁ ମଲ୍‌ ଖୋଲିଥିଲା ଓ ମଲ୍‌ମାନଙ୍କରେ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା।

ଅନ୍ୟପକ୍ଷରେ ୫ ତାରିଖରୁ ରାଜଧାନୀରେ ଫିଲ୍ମ ହଲ୍ ଖୋଲୁଥିବା ସୂଚନା ମିଳିଛି। ଦୀର୍ଘ ତିନି ମାସ ପରେ ଫିଲ୍ମ ହଲ୍‌ ଖୋଲିବ। ହଲ୍‌ ମାଲିକମାନେ ଭିତ୍ତିଭୂମି ପ୍ରସ୍ତୁତ କରି ରଖିଛନ୍ତି। ୫ ତାରିଖରେ ଶ୍ରୀୟା ହଲ୍‌ ଖୋଲିବାକୁ ଯୋଜନା ଥିବା ସୂଚନା ଦେଇଛନ୍ତି ମ୍ୟାନେଜର ରବି ସାହୁ। ସେହିଭଳି କେଶରୀ ହଲ୍‌ ମଧ୍ୟ ଖୋଲିବ ବୋଲି ସୂଚନା ମିଳିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ୫୦ ପ୍ରତିଶତ ସିଟ୍‌ରେ ଦର୍ଶକଙ୍କୁ ବସିବାକୁ ସୁଯୋଗ ମିଳିବ। ନୂଆ ହିନ୍ଦୀ ଫିଲ୍ମ ରିଲିଜ୍‌ ହେବାକୁ ନଥିବାରୁ ନୂଆ ଇଂରାଜୀ ଫିଲ୍ମ ପ୍ରଦର୍ଶିତ ହେବ। କିନ୍ତୁ ପ୍ରେକ୍ଷାଳୟ ଖୋଲିବା ନେଇ ଦ୍ବନ୍ଦ୍ବ ଉପୁଜିଛି। ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଥି‌ଲେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏଣୁ ଏଭଳି ଦ୍ବନ୍ଦ୍ବକୁ ନେଇ ସଂସ୍କୃତି ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଛି। ସେହିଭଳି ରାଜ୍ୟ ମ୍ୟୁଜିୟମ୍‌ ସହ ଅନ୍ୟାନ୍ୟ ମ୍ୟୁଜିୟମ୍‌ ମଧ୍ୟ ଚଳିତ ସପ୍ତାହରେ ଖୋଲିବାକୁ ଯାଉଥିବା ସୂଚନା ମିଳିଛି। ସଂସ୍କୃତି ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ସୋମବାର ରାଜ୍ୟ ମ୍ୟୁଜିୟମ୍‌ ବନ୍ଦ ରହିବା ନିୟମ ଥିବାରୁ ମଙ୍ଗଳବାର ଏହା ଖୋଲିବ ବୋଲି ଆଶା ରହିଛି। ସେହିଭଳି ପ୍ଲାନେଟୋରିୟମ ମଧ୍ୟ ଖୋଲିବା ପାଇଁ ପ୍ରସ୍ତୁତ ହେଉଛି। ଚଳିତ ସପ୍ତାହରେ ଏହା ଖୋଲିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର