ଘୋଷଣାରେ ସୀମିତ ସର୍ବନିମ୍ନ ମଜୁରି : ଆନ୍ଦୋଳନକୁ ଓହ୍ଲାଇବ ପାର୍ଲେ-ଲିଙ୍ଗରାଜ ବିସ୍କିଟ୍‌ସ୍‌ ୱାର୍କର୍ସ ୟୁନିଅନ

ଭୁବନେଶ୍ୱର : ବିଭିନ୍ନ ଶିଳ୍ପସଂସ୍ଥା‌ ସହ ଦିନ ମଜୁରିଆ ଭାବରେ କାମ କରୁଥିବା ଶ୍ରମିକଙ୍କ ପାଇଁ ସରକାର ଧାର୍ଯ୍ୟ କରିଛନ୍ତି ସର୍ବନିମ୍ନ ମଜୁରି। ତେବେ ଏହା କେବଳ ଘୋଷଣାରେ ସୀମିତ ରହିଛି। କୌଣସି ସଂସ୍ଥା ଏହାକୁ ମାନୁ ନାହାନ୍ତି। ବର୍ଷ ବର୍ଷ ଧରି ଶ୍ରମିକଙ୍କ ବଳରେ ଲାଭବାନ୍‌ ହେଉଥିଲେ ମଧ୍ୟ ଶ୍ରମିକ ଶୋଷିତ ହେଉଛି ଏଭଳି ଏକ ଅଭିଯୋଗ ନେଇ ପଟିଆସ୍ଥିତ ପାର୍ଲେ- ଲିଙ୍ଗରାଜ ବିସ୍କିଟ୍‌ସ୍‌ ୱାର୍କର୍ସ ୟୁନିଅନ୍‌ର ଶତାଧିକ ଶ୍ରମିକ, କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ଆଜି ନେହରୁ ଯୁବ ପ୍ରତିଷ୍ଠାନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ବାରିକ ଓ ଯୁଗ୍ମ ସମ୍ପାଦକ ସୁବଳ ଚରଣ ସାହୁ କହିଛନ୍ତି ଯେ ସମ୍ପୃକ୍ତ ସଂସ୍ଥା ସହ ଶ୍ରମ ବିଭାଗ ଓ ସରକାରଙ୍କ ପର୍ଯ୍ୟନ୍ତ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳ ମିଳୁନି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦାବି ପୂରଣ ପାଇଁ ପଦକ୍ଷେପ ନନେଲେ ଶହ ଶହ ଶ୍ରମିକ ସପରିବାର ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବୁଲୁ ରଞ୍ଜନ ବାରିକ, ଉପସଭାପତି ମିହିର ପଶାୟତ, ସଂଗଠନ ସମ୍ପାଦକ ରଶ୍ମି ରଞ୍ଜନ ନାୟକ, ସୁଶାନ୍ତ ବେହେରା, ଲତା ଶତପଥୀ ପ୍ରମୁଖ ଶ୍ରମିକ ନେତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ୨୦୧୮ରେ ଶ୍ରମିକମାନଙ୍କୁ ପୂଜା ଭେଟି ଦେବା ଅବସରରେ ସରକାର ଏକ ସ୍ବତନ୍ତ୍ର ଗେଜେଟ୍‌ ନୋଟିଫିକେସନ ଜରିଆରେ ସର୍ବନିମ୍ନ ମଜୁରି ବୃଦ୍ଧି କରିଛନ୍ତି। ଅକ୍ଟୋବର ସୁଦ୍ଧା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସଂସ୍ଥାମାନେ ଶୁଣୁ ନାହାନ୍ତି। ଏ ନେଇ ଅଭିଯୋଗ ହେବା ପରେ ଶ୍ରମ ବିଭାଗ କେବଳ ଏକ ଚିଠି ଜରିଆରେ ସମ୍ପୃକ୍ତ ସଂସ୍ଥାକୁ ତାଗିଦ କରିଛି।

ସମ୍ବନ୍ଧିତ ଖବର