ଭୁବନେଶ୍ୱରରେ ସଂସଦୀୟ ଷ୍ଟାଣ୍ଡିଂ କମିଟି : ସ୍ମାର୍ଟ ସିଟିର ଅଗ୍ରଗତି ନେଇ ଅସନ୍ତୋଷ

କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ଶୌଚାଳୟ ନିର୍ମାଣରେ ପଛୁଆ
ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ କମିଟିର ସନ୍ତୋଷ ପ୍ରକାଶ
ଏବେ ବି ୮୦ ଭାଗ ବସ୍ତିବାସିନ୍ଦାଙ୍କ ଘରେ ଶୌଚାଳୟ ନାହିଁ
ଆଜି ପୁରୀରେ ଡ୍ରେନେଜ୍‌ ସମସ୍ୟା ନେଇ ହେବ ମାନସମନ୍ଥନ

ଭୁବନେଶ୍ବର : ସ୍ମାର୍ଟ ସିଟି ପ୍ରକଳ୍ପ ଓ ଅମୃତ ଯୋଜନାରେ ହୋଇଥିବା ବିଭିନ୍ନ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସହରୀ ବନ୍ୟାର ପରିଚାଳନା, ପାନୀୟ ଜଳ ଯୋଗାଣ, ଜାତୀୟ ସହରାଞ୍ଚଳ ବିକାଶ ଯୋଜନା ଓ ସହରାଞ୍ଚଳ ଜୀବିକା ମିସନ କ୍ଷେତ୍ରରେ ଭୁବନେଶ୍ବର ସେତେଟା ଅଗ୍ରଗତି କରିପାରିନି। ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଦିଗରେ କିଛିଟା ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବର୍ଜ୍ୟବସ୍ତୁ ପରିଚାଳନାରେ ପଛରେ ପଡ଼ିଛି। ଆହୁରି ଅଧିକ କରିବାର ଥିଲା ବୋଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟି ଏଭଳି ମତପୋଷଣ କରିଛି।

ଉତ୍ତର ପ୍ରଦେଶର ବରିଷ୍ଠ ସାଂସଦ ଜଗଦମ୍ବିକା ପାଲ୍‌ଙ୍କ ଅଧ୍ୟକ୍ଷତାରେ ଆସିଥିବା କମିଟିର ୧୨ ଜଣିଆ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଭବାନୀ ମଲ୍‌ଠାରେ ଥିବା ଭୁବନେଶ୍ବର ଅପରେସନ ସେଣ୍ଟରରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥନନ୍‌ ସ୍ମାର୍ଟ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ଅନୁଧ୍ୟାନ ପରେ କମିଟିର ଅଧ୍ୟକ୍ଷ ଶ୍ରୀ ପାଲ୍‌ କହିଥିଲେ ଯେ ସ୍ବଚ୍ଛ ଭାରତ, ମେଟ୍ରୋ ସିଟି, ଅମୃତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଉଛି। ୨୪ ଘଣ୍ଟିଆ ପାନୀୟ ‌ଜଳ ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରହିଥିବା ଖୁସିର ବିଷୟ। ତେବେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ୨୦୧୯ ଜୁନ୍‌ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଇ ନ ଥିଲା। ଏବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ମାର୍ଟ ସିଟିର ବିକାଶ ପାଇଁ କେନ୍ଦ୍ର ଓ ଓଡ଼ିଶା ସରକାର ୫୦୦ କୋଟି ଟଙ୍କା ଲେଖାଏ ଖର୍ଚ୍ଚ କରିବେ। ଇଣ୍ଟରନ୍ୟାସନାଲ ସୋରସେସ୍‌ ଓ ପିପିପି ମୋଡ୍‌ରେ ଚାଲିଥିବା କାର୍ଯ୍ୟକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ଦେଖିବ। ଭୁବନେଶ୍ବରରେ ଆଜି ବି ୪୦ ପ୍ରତିଶତ ଲୋକ ବସ୍ତିରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ଘରେ ଏବେ ସୁଦ୍ଧା ଶୌଚାଳୟ ସୁବିଧା ନାହିଁ। ଶତ ପ୍ରତିଶତ ଶୌଚାଳୟ କରିବାକୁ କମିଟି ପ୍ରସ୍ତାବ ଦେଇଛି। ସମସ୍ତଙ୍କ ଘରେ ପାନୀୟ ଜଳ, ବିଜୁଳି, ଶୌଚାଳୟ ହେବା ଆବଶ୍ୟକ। ଶନିବାର ସମୀକ୍ଷା ବୈଠକ କରିବା ପରେ ରିପୋର୍ଟ ପ୍ରସ୍ତୁତ କରି ସଂସଦରେ ଉପସ୍ଥାପିତ କରିବୁ।

ଭୁବନେଶ୍ବର ସାଂସଦ ତଥା କମିଟିର ଅନ୍ୟତମ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ପାନୀୟ ଜଳ ଯୋଗାଣ ଉପରେ ସମୀକ୍ଷା କରାଯାଇଛି। ୧୧୪ଟି ଅର୍ବାନ ଲୋକାଲ୍‌ ବଡି (ୟୁଏଲ୍‌ବି)ରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଓ ସ୍ବରେଜ ବୋର୍ଡ ସମ୍ପର୍କରେ ପ୍ରମୁଖ ସଚିବ ଅବଗତ କରାଇଥିଲେ। ଆସନ୍ତାକାଲି ପୁରୀରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସେଠାରେ ବିଭିନ୍ନ ଦିଗରେ ଆଲୋଚନା ହେବ। ବିଶେଷକରି ଡ୍ରେନେଜ୍‌ ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଭୁବନେଶ୍ବରରେ ଡ୍ରେନେଜ୍‌ ସମସ୍ୟା ରହିଥିବା ନେଇ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କମିଟିର ଦୃଷ୍ଟି ଆକର୍ଷଣ କରିଥିଲି। ୧୦ଟି ଡ୍ରେନ୍‌ କିଭଳି ଗଙ୍ଗୁଆ ସହ ଯୋଡ଼ି ହେବ ଏବଂ ଲୋକଙ୍କର ଯେପରି ଅସୁବିଧା ନ ‌ହେବ ସେ ଦିଗରେ ବିଚାରବିମର୍ଶ କରାଯିବ। ଏବେ କେବଳ ୪ କିମି ରାସ୍ତାକୁ ସ୍ମାର୍ଟ ସିଟିରେ ନିଆଯାଇଛି। ଭୁବନେଶ୍ବର ଅଞ୍ଚଳ ୧୩୫ ବର୍ଗ କିମି ବ୍ୟାପିଛି।। କିନ୍ତୁ ଯେଉଁ ପ୍ରକାର ଆରମ୍ଭ ହୋଇଥିଲା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପ୍ରକାର ଅର୍ଥ ଦିଆଯାଇଛି ତାହା କାର୍ଯ୍ୟକାରୀ ହୋଇପାରିନି। ଆଗାମୀ ଦିନରେ ସମସ୍ତ ଅଞ୍ଚଳର ବିକାଶ କରିବାକୁ କମିଟି ପ୍ରସ୍ତାବ ଦେବ ବୋଲି ସେ କହିଥିଲେ।

ସମୀକ୍ଷା ‌ବୈଠକ ପରେ କମିଟିର ସଦସ୍ୟମାନେ ବାସୁଆଘାଇ ପାଖରେ ଥିବା ସ୍ବରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଗସ୍ତ କରି ଅନୁଧ୍ୟାନ କରିଥିଲେ। ଏହାପରେ ପୁରୀ ଅଭିମୁଖେ ଗସ୍ତ କରିଥିଲେ। ଶନିବାର ସକାଳେ ପୁରୀରେ ସମୀକ୍ଷା ବୈଠକ ହେବ। ସ୍ମାର୍ଟ ସିଟି ଅନ୍ତର୍ଗତ କେଉଁ କାମ ହୋଇଛି ଏବଂ ନଗର ଉନ୍ନୟନ ବିଭାଗ କି କି ଯୋଜନା ରହିଛି ଏବଂ ତାହା କିଭଳି କାର୍ଯ୍ୟକାରୀ ହେଉଛି ତାହାର ଅନୁଧ୍ୟାନ କରାଯିବ। ସଂସଦୀୟ କମିଟି ୧୫ରୁ ୨୦ ତାରିଖ ମଧ୍ୟରେ ଇନ୍ଦୋର, ମୁମ୍ବାଇ, ଭୁବନେଶ୍ବର ଓ କୋଲକତା ଗସ୍ତରେ ବାହାରିଛି। କମିଟି ଇନ୍ଦୋର ଓ ମୁମ୍ବାଇ ବୁଲିବା ପରେ ଆଜି ଭୁବନେଶ୍ବରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର