କିଟ୍‌ରେ ଜାତୀୟ ଯୁବ ଛାୟା ସଂସଦ ପ୍ରତିଯୋଗିତା, ‘ସଂସଦ ଗଣତନ୍ତ୍ରର ମନ୍ଦିର’

ଚନ୍ଦ୍ରଶେଖରପୁର: କିଟ୍‌ ଲ’ ସ୍କୁଲ୍ ପକ୍ଷରୁ ଦୁଇଦିନିଆ ଜାତୀୟ ଛାୟା ଯୁବ ସଂସଦ ପ୍ରତିଯୋଗିତା ଆଜି ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ସାଂସଦ ସୁରେଶ ପୂଜାରି, ସାଂସଦ ସସ୍ମିତ ପାତ୍ର ଏବଂ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଭାବାନ୍‌ ଯୁବକ/ଯୁବତୀମାନଙ୍କୁ ସଂସଦ ଯିବା ପାଇଁ ଆହ୍ୱାନ ଦେଇଥିଲେ।
ଶ୍ରୀ ପଟ୍ଟନାୟକ କହିଲେ, ସଂସଦର ନିଷ୍ପତ୍ତି ଦେଶର ନିଷ୍ପତ୍ତି। ସଂସଦ ହେଉଛି ଦେଶର ସ୍ବର। ତେଣୁ ସଂସଦରେ ଯାହା କିଛି ନିଷ୍ପତ୍ତି ହୁଏ, ତାହା ଆମ ପାଇଁ ଆଇନ ହୋଇଥାଏ। ବର୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ହୋଇପଡ଼ିଛି। ଏହାର ବିନିଯୋଗରେ ଆମ ଦେଶର ସଂସଦ କିଭଳି ସମସ୍ତଙ୍କ ପାଇଁ ଏବଂ ମୁକ୍ତ ସଂସଦ ହୋଇପାରିବ, ସେଥିପାଇଁ ଛାତ୍ରଛାତ୍ରୀମାନେ ଚିନ୍ତା କରିବାକୁ ସେ ଆହ୍ବାନ ଦେଇଥିଲେ।

ଶ୍ରୀ ପୂଜାରି କହିଲେ, ଦେଶର ଭାଗ୍ୟ ସଂସଦ ଦ୍ବାରା ପରିଚାଳିତ। ଏବେ ଗଣତନ୍ତ୍ରର ସଂଜ୍ଞା ପରିବର୍ତ୍ତନ ହୋଇଛି। ପୂର୍ବରୁ ସମାଜର ଜ୍ଞାନୀ ଓ ବିଦ୍ବାନ ଲୋକ ସଂସଦକୁ ନିର୍ବାଚିତ ହୋଇ ଯାଉଥିଲେ। ଏବେ କିନ୍ତୁ ଏମାନଙ୍କ ପକ୍ଷେ ନିର୍ବାଚନ ଏକ କଷ୍ଟକର ବ୍ୟାପାର ବୋଲି ସେ କହିଥିଲେ। ସମାଜ ଏବଂ ରାଜନୀତିରେ ନୈତିକତା ହ୍ରାସ ପାଇଛି। ଏବେ ରାଜନୀତିକୁ ଉଚ୍ଚଶିକ୍ଷିତ ଓ ପ୍ରତିଭାବାନ୍‌ ଯୁବକମାନେ ଆସିବା ଉଚିତ ବୋଲି ସେ କହିଥିଲେ। ଡ. ପାତ୍ର କହିଲେ, ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର। ଆମ ସଂସଦରେ ଭାରସାମ୍ୟ ରକ୍ଷା କରିବା ପାଇଁ ଶାସକ ଓ ବିରୋଧୀ ଦଳ ରହିଛି। ଏହା ହେଉଛି ଆମ ସଂସଦର ସୌନ୍ଦର୍ଯ୍ୟ। ସଂସଦରେ ସବୁବେଳେ ସ୍ବଚ୍ଛ ଓ ଠିକ୍ ତର୍କ ତଥା ଆଲୋଚନା ହେବା ଉଚିତ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ହୃଷୀକେଶ ମହାନ୍ତି, କିଟ୍‌ ଲ’ ସ୍କୁଲ୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ଏସ୍‌.ସି ରାଇନା, କିଟ୍ ଜାତୀୟ ଯୁବ ଛାୟା ସଂସଦ ପ୍ରତିଯୋଗିତାର ଫାକଲଟି ଯୁଗ୍ମ ଆବାହକ ଡ. ବିନିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଛାତ୍ର ପ୍ରତିନିଧିମାନେ ଭାଗ ନେଇଛନ୍ତି। ଏଥିରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯାଇ ବିଲ୍ ପ୍ରସ୍ତୁତ କରାଯିବ ଏବଂ ସେଗୁଡ଼ିକୁ ସଂସଦକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର