ଆଜି ଆସିବେ ସହରାଞ୍ଚଳ ବିକାଶ ସଂସଦୀୟ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ବର : ସଂସଦୀୟ ଷ୍ଟାଣ୍ଡିଂ କମିଟିର ୨୦ଜଣ ସଦସ୍ୟ, ସଦସ୍ୟା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ୫ଜଣ ବରିଷ୍ଠ ଅଧିକାରୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିବେ। ଏହି କମିଟି ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ବୁଲି ଦେଖିବେ। ଏଥିରେ ୨୦୧୯-୨୦ ବର୍ଷ ପାଇଁ ଚିହ୍ନଟ ହୋଇଥିବା ବିଷୟଗୁଡ଼ିକୁ କମିଟି ଅନୁଧ୍ୟାନ କରିବ।

ସଂସଦୀୟ କମିଟି ୧୫ରୁ ୨୦ ତାରିଖ ମଧ୍ୟରେ ଇନ୍ଦୋର, ମୁମ୍ବାଇ, ଭୁବନେଶ୍ବର ଓ କୋଲକତା ଗସ୍ତରେ ବାହାରିଛି। କମିଟି ଇନ୍ଦୋର ଓ ମୁମ୍ବାଇ ବୁଲିବା ପରେ ଭୁବନେଶ୍ବରରେ ଶୁକ୍ରବାର ପହଞ୍ଚିବେ। କମିଟି ନଗର ଉନ୍ନୟନ ବିଭାଗର କେତେକ ପ୍ରକଳ୍ପ ବୁଲି ଦେଖିବେ। ଏହାପରେ ସ୍ମାର୍ଟ ସିଟି ପ୍ରକଳ୍ପରେ ହେଉଥିବା ବିଭିନ୍ନ କାର୍ଯ୍ୟ, ଅମୃତ ଯୋଜନାରେ ହୋଇଥିବା ବିଭିନ୍ନ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସହରୀ ବନ୍ୟାର ପରିଚାଳନା, ପାନୀୟ ଜଳ ଯୋଗାଣ, ଜାତୀୟ ସହରାଞ୍ଚଳ ବିକାଶ ଯୋଜନା ଏବଂ ସହରାଞ୍ଚଳ ଜୀବିକା ମିସନ ଆଦିର ସମୀକ୍ଷା କରିବେ। ଏହି କମିଟି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କାର୍ଯ୍ୟାଳୟ ସହ ଭୁବନେଶ୍ବର ଅପରେସନ୍ ସେଣ୍ଟର ବି ବୁଲି ଦେଖିବେ। କମିଟି ଶନିବାର ପୁରୀ ଯାଇ ଜାତୀୟ ଐତିହ୍ୟ ବିକାଶ ଏବଂ ସହରାଞ୍ଚଳ ବିକାଶ ଯୋଜନା, କଠିନ ଏବଂ ତରଳବର୍ଜ୍ୟ ପରିଚାଳନା, ଅମୃତ ଯୋଜନାର ସମୀକ୍ଷା କରିବେ। ରବିବାର ଦିନ ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ଯାଇ ତାହାର ଭାସ୍କର୍ଯ୍ୟ ଓ ମନ୍ଦିରଶୈଳୀ ଦେଖିବାର କାର୍ଯ୍ୟକ୍ରମ ରହିଛି। ସଂସଦୀୟ କମିଟିର ପରିଦର୍ଶନ ପାଇଁ ନଗର ଉନ୍ନୟନ ବିଭାଗ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌, ବିଏମ୍‌ସିର ପଦାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିବା ପାଇଁ ଧାର୍ଯ୍ୟ ହୋ‌ଇଛି।

ସମ୍ବନ୍ଧିତ ଖବର