ଭୁବନେଶ୍ବର : କେତେବେଳେ ପରିବାରଲୋକଙ୍କ ଦେହ ଖରାପ ତ ଆଉ କେତେବେଳେ ଅସୁବିଧା। ଆଉ କେତେବେଳେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ଲାଗି ପାରୋଲରେ ଆସିଥାନ୍ତି କଏଦୀ। କିନ୍ତୁ କେତେକ ସମୟରେ ଆଉ ଜେଲ୍କୁ ଫେରନ୍ତି ନାହିଁ। କେଉଁଠି ପରିଚୟ ବଦଳାଇ ଆତ୍ମଗୋପନ କରନ୍ତି ତ ଆଉ କେଉଁଠି ଏରିଆ ବଦଳାଇ କଏଦୀ ଅପରାଧ ଘଟାଇବା ନଜରକୁ ଆସିଛି। କିନ୍ତୁ ଏବେ କରୋନାକୁ ଦୃଷ୍ଟିରେ ରଖି ଜେଲରେ ସଂକ୍ରମଣ ଆଶଙ୍କା ଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଏଦୀଙ୍କୁ ପାରୋଲ, ଫର୍ଲୋ, ଜାମିନ, ସଜା ଶେଷ ହେବା ପୂର୍ବରୁ କମାଇ ଦିଆଯାଇ ମୁକ୍ତି ଦିଆଯାଇଛି। କିନ୍ତୁ ପାରୋଲ ଓ ଫର୍ଲୋରେ ଯାଇଥିବା କଏଦୀ ପରବର୍ତ୍ତୀ ସମୟରେ ଚିନ୍ତା ବଢ଼ାଇ ପାରନ୍ତି କିମ୍ବା ବିପଦ ସାବ୍ୟସ୍ତ ହୋଇପାରନ୍ତି। କାରଣ ପୂର୍ବରୁ ଏଭଳି ଅନକେ ନଜିର୍ ରହିଛି।
ଗ୍ୟାଙ୍ଗଷ୍ଟର ଅନିଲ ଛୋଟରାୟ ଅନ୍ତରୀଣ ଜାମିନରେ ଯାଇ ପୂର୍ବରୁ ଅପରାଧ ଘଟାଇଥିବା ନଜିର ରହିଛି। ସେହିପରି ଗ୍ୟାଙ୍ଗଷ୍ଟର୍ ହାଇଦର ନାଁରେ ବି ପୂର୍ବରୁ ଏଭଳି ମାମଲା ରହିଛି। ଏକ ହତ୍ୟାକାଣ୍ଡ ମାମଲାରେ ଝାରପଡ଼ା ଜେଲ୍ରେ ଆଜୀବନ ଦଣ୍ଡ ଭୋଗୁଥିବା କଏଦୀ ଶିବ ପ୍ରସାଦ ମହାନ୍ତି ଓରଫ୍ ବାବାଜୀ ପାରୋଲରେ ଯାଇ ଜେଲକୁ ନ ଫେରିବାରୁ ୱାରେଣ୍ଟ ଜାରି କରାଯାଇଥିଲା। ରାଜସ୍ଥାନରେ ଜଣେ ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସଜା କାଟୁଥିବା ବିତିହୋତ୍ର ମହାନ୍ତି ୨୦୦୬ରେ ମା’ଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ପାରୋଲରେ ଯାଇଥିଲେ। କିନ୍ତୁ ଏହା ପରେ ସେ ଆଉ ଫେରି ନଥିଲେ। ଘଟଣାକୁ ନେଇ ବିତିହୋତ୍ରଙ୍କ ବାପା ତତ୍କାଳୀନ ବରିଷ୍ଠ ଆଇପିଏସ୍ ଅଫିସର୍ ବିଦ୍ୟାଭୂଷଣ ମହାନ୍ତିଙ୍କୁ ବଦନାମ୍ ହେବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ୨୦୧୩ ମେ’ରେ ବିତିହୋତ୍ର ନାଁ ବଦଳାଇ କେରଳରେ ଏକ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ଧରାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ କରୋନା ପାଇଁ ରାଜ୍ୟର ବିଭିନ୍ନ ଜେଲରୁ ପାରୋଲରେ ୯ଜଣ ଏବଂ ଫର୍ଲୋରେ କିଛି ଅଭିଯୁକ୍ତ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଆଜୀବନ ସଜା କାଟୁଥିବା କଏଦୀ ରହିଛନ୍ତି। କରୋନା ମୁକାବିଲା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ଗତିବିଧି ଉପରେ କିଏ ନଜର ରଖିବ, କେତେଦିନ ପର୍ଯ୍ୟନ୍ତ ସେମାନେ ଜେଲ୍ ବାହାରେ ରହିବେ, ପରବର୍ତ୍ତୀ ସମୟରେ ସବୁ ଠିକ୍ଠାକ୍ ହେଲା ପରେ କଏଦୀମାନେ ଜେଲକୁ ଫେରିବେ କି ନାହିଁ, ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ, ୨୦୧୮ ମସିହାରେ ପଞ୍ଜାବର ବିଭିନ୍ନ ଜେଲରୁ ସର୍ବାଧିକ ୧୬୮ଜଣ କଏଦୀ ପାରୋଲରେ ଯାଇ ଚମ୍ପଟ ମାରିଥିଲେ। ସେହିପରି ଗୁଜରାଟରେ ୫୬ଜଣ, ରାଜସ୍ଥାନରେ ୪୦, ହରିୟାଣାରେ ୨୩, ମହାରାଷ୍ଟ୍ରରେ ୧୫, ହିମାଚଳପ୍ରଦେଶରେ ୧୦, ମଧ୍ୟପ୍ରଦେଶରେ ୯ ଜଣ କଏଦୀ ଯାଇ ଫେରି ନଥିଲେ। ଏହିପରି ଭାବେ ଦେଶର ବିଭିନ୍ନ ଜେଲ୍ରୁ ୩୪୩ଜଣ ପାରୋଲରେ ଯାଇ ଫେରାର୍ ହୋଇଯାଇଥିଲେ। ପାରୋଲରେ ଯାଇ ଫେରାର ଥିବା ୧୫୦ଜଣଙ୍କୁ ଗିରଫ କରାଯାଇଥିଲା।
ଏ ନେଇ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ସେମାନଙ୍କ ଗତିବିଧି ଉପରେ ନିୟମିତ ନଜର ରଖାଯିବା ଆବଶ୍ୟକ। ସ୍ଥିତି ସ୍ବାଭାବିକ ହେବା ପରେ ଯଦି ଜେଲକୁ ନ ଫେରନ୍ତି, ତାହାଲେ ସେମାନଙ୍କ ବିରୋଧରେ ଵାରେଣ୍ଟ ଜାରି କରାଯିବ। ଯେଉଁମାନେ ଗ୍ୟାରେଣ୍ଟର ଥିବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। କୌଣସି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପାରୋଲ କିମ୍ବା ଫର୍ଲୋରେ ଛଡ଼ାଯାଇ ନାହିଁ। ଅଧାରୁ ଅଧିକ ଜେଲଦଣ୍ଡ ଭୋଗିଥିବା କଏଦୀଙ୍କୁ ଛଡ଼ା ଯାଇଛି। ଆଚାର ବ୍ୟବହାର ଓ ଅନ୍ୟ କେତେକ ଦିଗକୁ ଆଧାର କରି ଏଭଳି ନିଷ୍ପତ୍ତି ନିଆ ଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/jail-fa.jpg)