ଭୁବନେଶ୍ୱର: ପାର୍ଟ ପ୍ଲଟ ବିକ୍ରି ନେଇ ‌ଯେଉଁ କଟକଣା ରହିଥିଲା ତାହା କୋହଳ ହେବାକୁ ଯାଉଛି। ସର୍ବ‌ାଧିକ ୫ହଜାର ବର୍ଗଫୁଟ ପରିମିତ ପ୍ଲଟ ବିକ୍ରିରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି। ଏଥିପାଇଁ ରୂପରେଖ(ମୋଡାଲିଟି)ପ୍ରସ୍ତୁତ ହେବ। ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ଚିଠା ପ୍ରସ୍ତାବ ତିଆରି କରିବାକୁ ନଗର ଉନ୍ନୟନ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ଲୋକସେବା ଭବନରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

Advertisment

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ପାର୍ଟପ୍ଲଟ୍‌ ରେଜିଷ୍ଟ୍ରେସନ ବା ଖଣ୍ଡ ଜମି ପଞ୍ଜୀକରଣରେ ରହିଥିବା ସମସ୍ୟାର ସମାଧାନ ଦୁଇ ପାଦ ଆଗକୁ ଯାଇଛି। ୪ଟି ପର୍ଯ୍ୟାୟରେ ଏହାର ସମାଧାନ ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ଓଡିଏ(ଓଡିଶା ଡେଭଲପ୍‌ମେଣ୍ଟ ଅଥରିଟି)ର ଧାରା ୧୫ ଓ ୧୬ରେ ଯାବତୀୟ ଦ୍ବନ୍ଦ୍ବ ରହିଛି। ଓଡିଏ-ରୁଲ୍‌ସ୍‌ -୮୭ରେ ମଧ୍ୟ ସଂଶୋଧନର ଆବଶ୍ୟକତା ଅଛି। ଗୋଟିଏ ପଟେ କେନ୍ଦ୍ରୀୟ ଆଇନ ରେରା ଓ ଆଉ ଗୋଟିଏ ପଟେ ଓଡିଏ, ଏଭଳି ଏକାଧିକ ଆଇନରେ ପରସ୍ପର ବିରୋଧୀ ଧାରା ଛନ୍ଦି ହୋଇଯାଇଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଆଇନ ସମସ୍ତ ରାଜ୍ୟ ପାଇଁ ଲାଗୁ କରାଯାଇଛି। କିନ୍ତୁ ଯେଉଁ ଆଇନ ସହର ପାଇଁ ହୋଇଛି ତାହା ଗ୍ରାମାଞ୍ଚଳରେ ଲାଗୁ କରାଯାଇଛି। ଗ୍ରାମାଞ୍ଚଳ ଆଇନ ସହରାଞ୍ଚଳରେ ଲାଗୁ ହୋଇଛି। ଏଣୁ ଆବଶ୍ୟକତା ଅନୁଯାୟୀ ତାହାର ସମାଧାନ ହେବ। ଉଭୟ ଆଇନ ଗୋଟିଏ ଲାଇନ୍‌ରେ ଯିବେ। ଅଲଗା ଅଲଗା ଗଲେ ସମସ୍ୟା ହେବ। ଯେଉଁ ଆଇନର ଓଡ଼ିଶାରେ ଆବଶ୍ୟକତା ନାହିଁ ସେଗୁଡ଼ିକୁ ଆମେ ଶେଷ କରିବୁ। ୧୯୮୨ ମସିହାରୁ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାହା ଏବେ ଜଟିଳ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭଗ ରେରା ସହଯୋଗରେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବ।

୫ହଜାର ବର୍ଗଫୁଟ ବିକ୍ରି ପାଇଁ ରହିବନି ସମସ୍ୟା
ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଏହାପରେ ଓଡିଏ ଆଇନ୍‌ରେ ଆବଶ୍ୟକୀୟ ସଂଶୋଧନ କରାଯିବ। ଚଳିତ ମାସର ତୃତୀୟ ସପ୍ତାହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଚିଠା ପ୍ରସ୍ତାବ ଆଗତ କରିବ। ଏହା ପରେ ଯଦି ଆବଶ୍ୟକ ପଡ଼ିଲେ ଆଗାମୀ ବିଧାନସଭାରେ ଆଇନ ସଂଶୋଧନ ହେବ। ଏହାକୁ ନେଇ ଅଧ୍ୟାଦେଶ ଜାରି ହେବ। କେନ୍ଦ୍ରୀୟ ଆଇନ୍‌ରେ ସ୍ପଷ୍ଟୀକରଣ ଦିଆଯିବ। ଭିନ୍ନ ଭିନ୍ନ ଆଇନର ଧାରାକୁ ନେଇ ଯେଭଳି କୌଣସି ଦ୍ବନ୍ଦ୍ବ ରହିବ ନାହିଁ ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହେବ। ଏହା ସହିତ ଆପାର୍ଟମେଣ୍ଟ ପଞ୍ଜୀକରଣ ଉପରେ ମଧ୍ୟ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କି ଗୋଟିଏ ପଟେ ପାର୍ଟ ପ୍ଲଟ୍‌ ‌ପଞ୍ଜୀକରଣରେ କଟକଣା ଲାଗିଥିଲା। ଅନ୍ୟପଟେ ଲୁଟ୍‌ତରାଜ ଚାଲିଥିଲା। ବିଭିନ୍ନ ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ କଟକଣା ସମୟରେ ପ୍ରାୟ ୫ ହଜାର ପାର୍ଟ ପ୍ଲଟ୍‌ ପଞ୍ଜୀକୃତ ହୋଇଛି। ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ଏଭଳି ୩୧ ଅଧିକାରୀଙ୍କ କାରନାମା ଆମର ହସ୍ତଗତ ହୋଇଛି। ତାହାର ଆଇନଗତ ଦିଗକୁ ନେଇ ଅନୁଧ୍ୟାନ ଚାଲିଛି। ବେଆଇନ ଭାବେ କରିଥିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ। 

ସୂଚନାଯୋଗ୍ୟ, ଜମି ବିକି ଝିଅ ବାହାଘର ଓ ଚିକିତ୍ସା ସେବା ପାଇବାକୁ ଚାହୁଥିବା ଲୋକଙ୍କ ମଧ୍ୟରେ ପାର୍ଟପ୍ଲଟ୍‌ ବିକ୍ରି କଟକଣାକୁ ନେଇ ଅସନ୍ତୋଷ ରହିଥିଲା। ପାର୍ଟ ପ୍ଲଟ୍‌ ପଞ୍ଜୀକରଣ କରିବାକୁ ଭୁବନେଶ୍ବରରେ ଜଣେ ମହିଳା କର୍ମଚାରୀ ଲାଞ୍ଚ ନେବା ବେ‌ଳେ ଧରାପଡ଼ିବା ପରେ ପ୍ରସଙ୍ଗ ଉଗ୍ରରୂପ ନେଇଥିଲା। ସରକାର ଏ ବାବଦରେ ତଥ୍ୟ ତଲବ କରିବା ସହ କଟକଣା ହଟାଇବାକୁ ଉଦ୍ୟମ କରିଥିଲେ। ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସମେତ ରେରା, ବିଡିଏ ପ୍ରଭୃତି ସଂସ୍ଥାରୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।