ଭୁବନେଶ୍ବର: ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ କେନ୍ଦ୍ର ରାଜ୍ୟ କର୍ମଚାରୀ ଫେଡେରେସନ୍ମାନଙ୍କର ମିଳିତ ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ଆଶିଂକ ପ୍ରଭାବ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ଶ୍ରମିକ ଓ କୃଷକ ସଙ୍ଗଠନ ପକ୍ଷରୁ ଭୁବନେଶ୍ବରର କିଛି ସ୍ଥାନରେ ବିକ୍ଷୋଭ ଓ ବନ୍ଦ ପାଳନ କରାଯାଇଥିଲା। ଫଳରେ ପୂର୍ବାହ୍ନରେ ଅନେକ ଜାଗାରେ ଦୋକାନ ବଜାର ବନ୍ଦ ହୋଇଥିଲା। ଜାତୀୟ ରାଜପଥ ସମେତ ସହର ମଧ୍ୟରେ ବସ୍ ଓ ଅନ୍ୟ ଭାରୀଯାନ ଚଳାଚଳ ପ୍ରଭାବିତ ହୋଇଥିଲା। ବରମୁଣ୍ଡା ବସ୍ ଟର୍ମିନାଲ୍ରୁ କେବଳ କିଛି ସରକାରୀ ବସ୍କୁ ଛାଡ଼ି ଦେଲେ କୌଣସି ଘରୋଇ ବସ୍ ଚଳାଚଳ ହୋଇନଥିଲା। ସେହିପରି ବିକ୍ଷୋଭକାରୀମାନେ ଭୁବନେଶ୍ବର ରେଳଷ୍ଟେସନରେ ଟ୍ରେନ୍ ଆଗରେ ବସି ରହି ପ୍ରତିବାଦ କରିଥିଲେ। ହେଲେ ସହର ମଧ୍ୟରେ ଗାଡ଼ିମୋଟର ଚଳାଚଳରେ ସେତେଟା ପ୍ରଭାବ ପଡ଼ିନଥିଲା। ସଚିବାଳୟଠାରୁ ଆରମ୍ଭ କରି ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା। ସହରରେ ଥିବା ସ୍କୁଲ୍, କଲେଜ ମଧ୍ୟ ଖୋଲିଥିଲା। ପୂର୍ବାହ୍ନରେ ବନ୍ଦର ପ୍ରଭାବ କିଛି ମାତ୍ରାରେ ଅନୁଭୂତ ହୋଇଥିଲେ ହେଁ ଅପରାହ୍ଣରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଥିଲା।
ସକାଳ ୬ଟାରୁ ଭୁବନେଶ୍ୱର ରେଳଷ୍ଟେସନରେ ସିଆଇଟିୟୁ, ଏଆଇଟିସିୟୁ, ଏଆଇସିସିଟିୟୁ ଏବଂ ଟିୟୁସିସିର ଶତାଧିକ ଶ୍ରମିକ କର୍ମଚାରୀ ରେଳରୋକ କରିଥିଲେ। ଫଳରେ ପୂର୍ବାହ୍ନରେ ରେଳସେବା ପ୍ରଭାବିତ ହୋଇଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭକାରୀମାନେ ସିଟି ବସ୍ ଓ ଅଟୋଗୁଡ଼ିକୁ ବାହାର କରିଦେଇ ନଥିଲେ। ରାଜମହଲ ଛକରେ ପତାକା ଧରି ବିଭିନ୍ନ ସଙ୍ଗଠନ ପକ୍ଷରୁ ଗାଡ଼ିମୋଟର ଅଟକା ଯାଇଥିଲା। ରାମମନ୍ଦିର ଛକରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିବାରୁ ଦୁଇ ପାଖରେ ଗାଡ଼ିଗୁଡ଼ିକ କିଛି ସମୟ ପାଇଁ ଅଟକି ରହିଥିଲା। ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଡୁମୁଡୁମା ଶ୍ରମିକହାଟ ନିକଟ ସର୍ଭିସ ରାସ୍ତାରେ ବିକ୍ଷୋଭ କରାଯାଇଥିଲା। ସେଠାରେ ଶ୍ରମିକ ନେତାଙ୍କୁ ପୁଲିସ ଉଠାଇ ନେଇଥିଲା। ଫଳରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ନୂଆପଲ୍ଲୀ କ୍ରାଉନ୍ ହୋଟେଲ୍ ନିକଟ ଓ ଆଚାର୍ଯ୍ୟବିହାର ନିକଟ ଓଭରବ୍ରିଜ୍ ଉପରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ବାଧ୍ୟ ହୋଇ ପୁଲିସ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା।
ଆୟକର କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ବିକ୍ଷୋଭ କରିଥିଲେ। ସଂଘ ପକ୍ଷରୁ ୬ଟି ଦାବି ରଖାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ଚିତ୍ତରଂଜନ ପଟ୍ଟନାୟକ ଓ କେନ୍ଦ୍ରୀୟ ସରକାରୀ କର୍ମଚାରୀ ମହାସଂଘ ସମନ୍ବୟ ସମିତିର ସାଧାରଣ ସମ୍ପାଦକ ବୃହସ୍ପତି ସାମଲ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଆନ୍ଦୋଳନକାରୀମାନେ ପିକେଟିଂ କରିଥିଲେ। ଅନ୍ୟପଟେ ଓୟୁଏଟି ଶିରିପୁର ଛକ, ଡୁମୁଡୁମା ଆଇଗିଣିଆ ଜାତୀୟ ରାଜପଥ, ରିଜର୍ଭ ବ୍ୟାଙ୍କ, ସିଟି ବସ୍ଷ୍ଟାଣ୍ଡ ସମେତ ସମସ୍ତ ଜାତୀୟକରଣ ବ୍ୟାଙ୍କ, ବୀମା କମ୍ପାନି ଅଫିସ, ବିଏସ୍ଏନ୍ଏଲ୍ ମୁଖ୍ୟ ଦପ୍ତର, ପିଏମ୍ଜି, ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର, ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ, ନାଲକୋ ମୁଖ୍ୟ ଦପ୍ତର ଫାଟକ ଇତ୍ୟାଦି ସ୍ଥାନରେ ବିଭିନ୍ନ ଶ୍ରମିକ ୟୁନିୟନର ରାଜ୍ୟ ନେତୃତ୍ୱ ଓ ଶତାଧିକ କର୍ମୀ ଧର୍ମଘଟ କରି ଗିରଫ ହୋଇଥିଲେ। ଆଜି ପୂର୍ବାହ୍ଣରେ ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ସମେତ ଖଣ୍ଡଗିରି, ଉଦୟଗିରି, ଧଉଳି ପ୍ରମୁଖ ପର୍ଯ୍ୟଟନସ୍ଥଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଅପରାହ୍ଣରେ ସ୍ଥିତି ସ୍ବାଭାବିକ ହୋଇଥିଲା। କିଛି ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା। ଫଳରେ ବାହାରେ ପେଟ୍ରୋଲ ଲିଟର ପିଛା ୧୨୫ରୁ ୧୩୦ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା।
ଦିନ ୧୨ଟା ବେଳେ ବିକ୍ଷୋଭକାରୀଙ୍କ ଏକ ବିଶାଳ ପଟୁଆର ରାଜମହଲ ଛକରୁ ବାହାରି ଲୋୟର ପିଏମ୍ଜିରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇଏନ୍ଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସିପିଏମ୍ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଓ ସୁର ଜେନା, ଏଚ୍ଏମ୍ଏସ୍ ରାଜ୍ୟ ନେତା ବିଏନ୍ ମହାପାତ୍ର, ସିଆଇଟିୟୁ ରାଜ୍ୟ ନେତା ଦୁଷ୍ମନ୍ତ ଓ ସମ୍ପାଦକ ପ୍ରଦୀପ୍ତ ନାୟକ, ଏଆଇସିସିଟିୟୁ ରାଜ୍ୟ ସଭାପତି ରାଧାକାନ୍ତ ସେଠୀ, ସମ୍ପାଦକ ମହେନ୍ଦ୍ର ପରିଡ଼ା, ରାଜ୍ୟ ନେତା ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ଏଲ୍ପିଏଫ୍ ନେତା ବିପି ଦାସ, ଟିୟୁସିସି ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମହାନ୍ତି ଓ ଲଷ୍ମୀ ଦୋରାଙ୍କ ସହ ଶତାଧିକ କର୍ମୀ ଆନ୍ଦୋଳନରେ ଯୋଗ ଦେଇଥିଲେ।
‘ବନ୍ଦ’ର ଆଂଶିକ ପ୍ରଭାବ
ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ କେନ୍ଦ୍ର ରାଜ୍ୟ କର୍ମଚାରୀ ଫେଡେରେସନ୍ମାନଙ୍କର ମିଳିତ ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ଆଶିଂକ...
/sambad/media/media_files/2025/07/10/lqmzxcfsg-2025-07-10-06-55-38.jpg)